ଭଡ଼ା ଖିଲାପକାରୀଙ୍କ ବିରୋଧରେ ହେବ ମାମଲା

କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ

ଶବ ବ୍ୟବଚ୍ଛେଦ ଗୃହରେ ଆଉ ୨ ମର୍ଚୁଆରି

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ୟୁଟିଲିଟି କମ୍ପ୍ଲେକ୍ସରେ ଭଡ଼ା ବାକି ରଖିଥିବା ମାଲିକଙ୍କ ବିରୋଧରେ ମାମଲା ହେବ। ଦୀର୍ଘ ଦିନ ହେବ ସେମାନେ ଖୁବଶୀଘ୍ର କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ଏ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିବେ ବୋଲି ଜଣାପଡ଼ିଛି।

ଆଜି କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତି ବୈଠକରେ ହସ୍ପିଟାଲରେ ଥିବା ୟୁଟିଲିଟି କମ୍ପ୍ଲେକ୍ସର ଦୋକାନ ଦେଇଥିବା ମାଲିକମାନେ ଦୀର୍ଘଦିନ ହେବ ଭଡ଼ାରେ ଖିଲାପ କରି ଆସୁଥିବା ଉପରେ ଆଲୋଚନା ହୋଇଥିଲା। ହସ୍ପିଟାଲର ୟୁଟିଲିଟି କମ୍ପ୍ଲେକ୍ସରେ ୧୨ଜଣଙ୍କ ନିକଟରେ ମାଲିକାନାସତ୍ୱ ରହିଛି। ମାତ୍ର ଦୀର୍ଘଦିନ ହେବ ଭଡ଼ା ଦେବାରେ ଅବହେଳା କରୁଥିବା ଅଭିଯୋଗ ହୋଇଆସୁଛି। ଏପରିକି ହସ୍ପିଟାଲ କର୍ତୃପକ୍ଷ ଏଥିପାଇଁ ତାଗିଦ୍‌ କରିବା ସତ୍ତ୍ୱେ ସେମାନେ ଏହାକୁ ଶୁଣୁ ନାହାନ୍ତି। ତେଣୁ ସେମାନଙ୍କ ବିରୋଧରେ ସାର୍ଟିଫିକେଟ ମାମଲା କରିବା ପାଇଁ ଆଲୋଚନା ହୋଇଛି। ଏଥିପାଇଁ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ସ୍ୱାସ୍ଥ୍ୟ ବିଭାଗକୁ ଲେଖିବା ପରେ ରାଜସ୍ୱ ବିଭାଗକୁ ଖିଲାପକାରୀଙ୍କ ବିରୋଧରେ ମାମଲା ପାଇଁ ଚିଠି ଦିଆଯିବ।

ସେହିପରି ହସ୍ପିଟାଲରେ ଥିବା ଶବ ବ୍ୟବଚ୍ଛେଦ ଗୃହ ପାଇଁ ମର୍ଚୁଆରିର ଅଭାବ ରହିଛି। ଏବେ ହସ୍ପିଟାଲରେ ୨ଟି ମର୍ଚୁଆରିରେ ୪ଟି ଶବ ରହିବାର ବ୍ୟବସ୍ଥା ଅଛି। ତେବେ ରାଜଧାନୀର ଆଖ ପାଖରେ ଦୁର୍ଘଟଣାଜନିତ ମୃତ୍ୟୁ ଓ ଅନ୍ୟ ଅପମୃତ୍ୟୁ ଘଟଣାରେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଆସୁଛି। ଫଳରେ ଶବ ରଖିବା ବ୍ୟବଚ୍ଛେଦ ଗୃହରେ ଜାଗା ହେଉନାହିଁ। ଅଧିକାଂଶ ସମୟରେ ମର୍ଚୁଆରି ବିଭିନ୍ନ କାରଣରୁ ଖରାପ ହେଉଛି। ତେଣୁ ଶବ ବ୍ୟବଚ୍ଛେଦ ଗୃହରେ ଶବ ପଚି ଯିବା ସହିତ ମୂଷା ଶବକୁ ଖଣ୍ଡିଆଖାବରା କରି ଦେଉଛନ୍ତି। ଗତ କିଛିମାସ ତଳେ ଏଭଳି ଅବ୍ୟବସ୍ଥା ହସ୍ପିଟାଲର ଶବ ବ୍ୟବଚ୍ଛେଦ ଗୃହରେ ଦେଖିବାକୁ ମିଳିଥିଲା। ବେଶ୍‌ କିଛିଦିନ ଏଥିପାଇଁ ହୋ ହଲ୍ଲା ହେବା ପରେ ହସ୍ପିଟାଲ କର୍ତୃପକ୍ଷ ମର୍ଚୁଆରିକୁ ଠିକ୍‌ କରିଥିଲେ। ନିକଟରେ ଆଉ ଏକ ନୂତନ ମର୍ଚୁଆରିର ନିର୍ମାଣ କରାଯାଇଛି। ଏଥିରେ ଏକକାଳୀନ ୩ଟି ଶବ ରହିପାରିବ। ତେବେ ଏତିକି ସଂଖ୍ୟକ ମର୍ଚୁଆରି କ୍ୟାପିଟାଲ ହସ୍ପିଟାଲ ପାଇଁ ଯଥେଷ୍ଟ ନ ଥିବାରୁ ଆହୁରି ୨ଟି ମର୍ଚୁଆରିର ଆବଶ୍ୟକତା ରହିଛି। ତେଣୁ ଭୁବନେଶ୍ୱର ସାଂସଦଙ୍କ ପାଣ୍ଠିରୁ ଏଥିପାଇଁ ଅର୍ଥ ବ୍ୟୟବରାଦ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।

ବୈଠକରେ ଘରୋଇ ଆମ୍ବୁଲାନ୍‌ସକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ହସ୍ପିଟାଲରେ ରହୁଥିବା ଆମ୍ବୁଲାନ୍‌ସଗୁଡ଼ିକର ବୈଧତା ଯାଞ୍ଚ ପାଇଁ ଏମ୍‌ଭିଆଇଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଏହାସହ ହସ୍ପିଟାଲ ପରିସରରେ ସେମାନଙ୍କ ଉପସ୍ଥିତି ନେଇ କୋର୍ଟରେ ମାମଲା ଚାଲି ଥିବାରୁ କେବଳ ଆମ୍ବୁଲାନ୍‌ସର ବୈଧତା ଯାଞ୍ଚ ଉପରେ ହିଁ ଗୁରୁତ୍ୱ ଦିଆଯାଇଥିଲା। ଏହାସହ ହସ୍ପିଟାଲ ପରିସରରେ ଠେଲାରେ ବିକ୍ରି ହେଉଥିବା ଖାଦ୍ୟକୁ ବାରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ହସ୍ପିଟାଲ ପରିସରରେ ଏଭଳି ଖାଦ୍ୟ ବିକ୍ରି ପାଇଁ ଅନୁମତି ନ ଥିବା ସତ୍ତ୍ୱେ ଅନେକ ଠେଲା ଦୋକାନୀ ନିଜର ଠେଲା ପକାଇଛନ୍ତି। ଫଳରେ ସେସବୁ ସ୍ଥାନରେ ପ୍ରବଳ ଗହଳି ହେବା ସହିତ ଯାତାୟାତରେ ବାଧା ଉପୁଜୁଛି। ତେଣୁ ଠେଲାଗୁଡ଼ିକୁ ହସ୍ପିଟାଲରୁ ହଟାଇ ଦିଆଯିବ। ଏହାସହ ହସ୍ପିଟାଲର ଆମ୍ବୁଲାନ୍‌ସ ଡ୍ରାଇଭର ଅବସର ଗ୍ରହଣ କରିବା ପରେ ଡ୍ରାଇଭର୍‌ଙ୍କୁ ନେଇ ସମସ୍ୟା ରହିଛି। ତେଣୁ ଆଉଟସୋର୍ସିଂ ଜରିଆରେ ୨ ଆମ୍ବୁଲାନ୍‌ସ ଡ୍ରାଇଭର୍‌ ନିଯୁକ୍ତି ପାଇଁ ଆଲୋଚନା ହୋଇଛି।

ତେବେ ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ପାଇଁ ଉଦ୍ଦିଷ୍ଟ ଆରଏସ୍‌ବିଓ୍ଵାଇ, ବିକେକେଓ୍ଵାଇ ଓ ଓଏସ୍‌ଟିଏଫ୍‌ରେ କ୍ୟାପିଟାଲ ହସ୍ପିଟାଲରେ ବହୁତ କମ୍‌ ରୋଗୀ ସୁବିଧା ପାଉଥିବା ନଜରକୁ ଆସିଥିଲା। ଏ ନେଇ ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଉଦ୍‌ବେଗ ପ୍ରକାଶ କରିଥିଲେ। କିଭଳି ଅଧିକରୁ ଅଧିକ ରୋଗୀଙ୍କୁ ଏହି ସୁବିଧା ଦିଆଯିବ ତାହାର ବ୍ୟବସ୍ଥା କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର