କ୍ୟାପିଟାଲ ହସ୍‌ପିଟାଲ୍‌ରୁ ମାଫିଆ ଗିରଫ ପ୍ରସଙ୍ଗ: ପ୍ରୋତ୍ସାହନ ପଛରେ ପୁଲିସ!

ହାତଗୁଞ୍ଜା ପାଇଁ କେଉଁଠୁ ଆସୁଥିଲା ଟଙ୍କା?

ଭୁବନେଶ୍ୱର: ସୁଦୂର କେନ୍ଦ୍ର‌‌ାପଡ଼ାରୁ ଆସି ଏକ ମାମୁଲି ଚାକିରି କରିଥିଲା ସରୋଜ ମିଶ୍ର। କ୍ୟାପିଟାଲ ହସ୍‌ପିଟାଲରେ ଏକ ସୁରକ୍ଷାକର୍ମୀ ଭାବରେ ଚାକିରି ଆରମ୍ଭ କରିଥିଲା ମାତ୍ର ୩ ବର୍ଷରେ ଚାକିରିରୁ ତଡ଼ା ଖାଇବା ପରେ ମଧ୍ୟ ହସ୍‌ପିଟାଲରେ ରହିଥିଲା। କେବଳ ରହିନଥିଲା ବରଂ ଅନ୍ତଃରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଏକ କ୍ୟାବିନ୍‌କୁ ବେଆଇନ ଭାବେ ଦୁଇବର୍ଷ ଧରି ମାଡ଼ି ବସିଥିଲା। କେହି କିଛି ଭୟରେ କହି ପାରୁ ନ ଥିଲେ।

ଏହି ହସ୍‌ପିଟାଲ୍‌ରୁ ମୁଖ୍ୟମନ୍ତ୍ରୀ ଆକ୍ଟୋବର ଦୁଇ ତାରିଖରେ ‘ମୋ ସରକାର’ ଯୋଜନାର ଶୁଭାରମ୍ଭ କରିଥିଲେ। ଅନେକ ଥର ଖୋଦ୍‌ ମୁଖ୍ୟମନ୍ତ୍ରୀ ନିଜର ଚିକିତ୍ସା କରାଇଥିଲେ। ‘୫-ଟି’ ସଚିବ ପାଣ୍ଡିଆନ୍‌ ଅନେକ ଥର ଅଚାନକ୍‌ ଗସ୍ତ ବି କରିଛନ୍ତି। କୋଣ ଅନୁକୋଣ ବୁଲିବା ସହ ରୋଗୀଙ୍କ କଥା ବୁଝିଛନ୍ତି। ବିଭିନ୍ନ ସମୟରେ ଡାଇରେକ୍ଟର, ସୁପରିଟେଣ୍ଡେଣ୍ଟଙ୍କ ସମେତ ବଡ଼ ବଡ଼ ଅଧିକାରୀ ତନ୍ନତନ୍ନ କରି ହସ୍‌ପିଟାଲର ସ୍ଥିତାବସ୍ଥା ଯାଞ୍ଚ କରୁଥିଲେ। ସୁରକ୍ଷା ପାଇଁ ଏକ ଫାଣ୍ଡି ମଧ୍ୟ ରହିଥିଲା। ହେଲେ ସମସ୍ତେ ଚୁପ୍‌ ଥିଲେ। କେହି ମୁହଁ ଖୋଲୁ ନ ଥିଲେ। ଦେଖୁ ଦେଖୁ ଦୁଇବର୍ଷରେ ସୁରକ୍ଷାକର୍ମୀରୁ ସରୋଜ ମାଫିଆ ପାଲଟି ଯାଇଥିଲା। ଏହା ପଛରେ କିଏ? ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ବ୍ୟଥିତ କରୁଛି। ସତରେ କଣ କେହି ଜାଣିପାରୁ ନ ଥିଲେ? ନା ଜାଣି ଚୁପ୍‌ ରହିବାକୁ ବାଧ୍ୟ ହୋଇଥିଲେ? ନା ଅଭିଯୋଗ ପରେ ମଧ୍ୟ କ୍ୟାପିଟାଲ ଥାନା ପୁଲିସ ନିରବ ରହିଥିଲା? ଯାହାର ଫାଇଦା ନେଇ ସରୋଜ ତା’ର କାୟା ବିସ୍ତାର କରିଥିଲା? ପୁଲିସ ନିରବ ରହିବା ପାଇଁ ସରୋଜ କିଛି ବ୍ୟବସ୍ଥା କରୁଥିଲା କି? ଏହି ପ୍ରଶ୍ନ ଲୁଚି ରହିଥିବା ଅନେକ ଦିଗକୁ ବାଟ ଫିଟାଇଛି। ମୋଟା ଅଙ୍କର ହାତଗୁଞ୍ଜା ନେଇ ପୁଲିସ ନିରବ ରହିଥିବା ନେଇ ଚର୍ଚ୍ଚା ହେଉଛି।

ହାତଗୁଞ୍ଜା ପାଇଁ କେଉଁଠୁ ଆସୁଥିଲା ଟଙ୍କା?
ତିନିବର୍ଷ ତଳେ ସେ ଏଠାରେ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲା। ସ୍ବଳ୍ପ ଦରମାରେ କାମ କରୁଥିଲା। ପ୍ରଥମେ ସେ ସେଣ୍ଟ୍ରାଲ ମେଡିସିନ୍‌ ଷ୍ଟୋରରେ ଡ୍ୟୁଟି କରୁଥିଲା। ସେଠାରେ ବ୍ୟାପକ ହେରଫେର କରି ଟଙ୍କା ରୋଜଗାର କରିବାରୁ ସେଠାରୁ ଡ୍ୟୁଟି ପରିବର୍ତ୍ତନ କରାଯାଇଥିଲା। ହେଲେ ଡ୍ୟୁଟି ନ ଥିବା ବେଳେ ସାଦା ପୋଷାକରେ ସେ ସେଠାରେ ବସି ରହିଲା। ପରେ ସେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗକୁ ଆସିଲା। ସେଠାରେ ଦଲାଲି ଆରମ୍ଭ କଲା। ଲାଇନ୍‌ ପଛରେ ଥିବା ରୋଗୀକୁ ଆଗ ଦେଖାଇବାର ପ୍ରତିଶ୍ରୁତି ଦେଇ ଅର୍ଥ ରୋଜଗାର କଲା। ଏହା ପରେ ପରେ ଘରୋଇ ହସ୍ପିଟାଲ, କ୍ଲିନିକ୍, ପାଥୋଲାବକୁ ପଠାଇ ପୂରା ଦଲାଲ୍ ପାଲଟି ଯାଇଥିଲା। ଧୀରେ ଧୀରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା। ବିଭିନ୍ନ ସମୟରେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଧମକଚମକ ଦେଇ ରୋଗୀଙ୍କୁ ଘରୋଇ ହସ୍ପିଟାଲ, କ୍ଲିନିକ୍ ଓ ପାଥୋଲାବ୍ ପଠାଇବାକୁ ବାଧ୍ୟ କରୁଥିବା ମଧ୍ୟ ଅଭିଯୋଗ ରହିଥିଲା। କ୍ରମେ ସେ ସଫେଇ କାମ, ସୁରକ୍ଷାକର୍ମୀ ନିଯୁକ୍ତି ଟେଣ୍ଡରରେ ସାମିଲ ହୋଇଥିଲା। ଏପରିକି ଜଣେ ମହିଳା କର୍ମଚାରୀଙ୍କୁ ଧମକ ଦେବାକୁ ପଛାଇ ନ ଥିଲା। ଧମକ ପରେ କର୍ମଚାରୀ ଜଣକ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ସେ ଚାକିରି ଛାଡ଼ି ଚାଲି ଯିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର