କ୍ୟାପିଟାଲ ହସ୍ପିଟାଲରେ ଏମିତି ମିଳୁଛି ଉନ୍ନତ ସେବା ଜରାରୋଗୀ ୱାର୍ଡ: ଉଦ୍‌ଘାଟନ ପରଠୁ ତାଲା

ଭୁବନେଶ୍ବର: ଗତ ୧୯ ତାରିଖ ଦିନ କ୍ୟାପିଟାଲ ହସ୍ପିଟାଲରେ ବୟସ୍କମାନଙ୍କ ପାଇଁ ଜରାରୋଗୀ ୱାର୍ଡ ଉଦ୍‌ଘାଟିତ ହୋଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସମେତ ବିଭାଗୀୟ ଅଧିକାରୀ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଏହି ୱାର୍ଡର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୟସ୍କ ଲୋକମାନଙ୍କୁ ଉନ୍ନତମାନର ଚିକିତ୍ସା ସହ ସେବା ଯୋଗାଇ ଦେବା। ତେବେ ଏହା ଭିତରେ ଉଦ୍‌ଘାଟନକୁ ୧୦ଦିନ ବିତିଗଲାଣି, କିନ୍ତୁ ୱାର୍ଡରେ ସେବେଠାରୁ ତାଲା ଝୁଲୁଛି। ପୁରୁଷ ଭେଷଜ ୱାର୍ଡରେ ବୟସ୍କ ଲୋକମାନଙ୍କୁ ଚିକିତ୍ସା ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ବେଳେ ଜରାରୋଗୀ ୱାର୍ଡରେ ତାଲା ପକାଇ ଦିଆଯାଇଛି। ଫଳରେ ଜରାରୋଗୀ ୱାର୍ଡ କାହା ପାଇଁ ନିର୍ମାଣ ହୋଇଛି, ତାହାକୁ ନେଇ ପ୍ରଶ୍ନ ଉଠିଛି। କ୍ୟାପିଟାଲ ହସ୍ପିଟାଲରେ ନୂଆ କରି ଖୋଲା ଯାଇଥିବା ଜରାରୋଗୀ ୱାର୍ଡରେ ୧୦ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି। ଏହାସହ ହ୍ବିଲ ଚେୟାର, ଅକ୍ସିଜେନ୍ ଓ ଏସିର ସୁବିଧା ବି ରହିଛି। ପ୍ରାୟ ୩୫/୪୦ଲକ୍ଷ ଟଙ୍କା ଖର୍ଚ କରାଯାଇ ଏକ ଆଖି ଝଲସିବା ଭଳି ୱାର୍ଡ ନିର୍ମାଣ କରାଯାଇଛି। ଏଠାରେ ମଧୁମେହ, ରକ୍ତଚାପ, ଫିଜିଓଥେରାପି, ଜ୍ବର ପୀଡ଼ିତଙ୍କୁ ଚିକିତ୍ସା ଯୋଗାଇ ଦିଆଯିବାକୁ ଯୋଜନା ହୋଇଛି। ଅନ୍ୟ ରୋଗୀମାନଙ୍କ ଭଳି ବୟସ୍କ ରୋଗୀଙ୍କୁ ଏହି ୱାର୍ଡରେ ଚିକିତ୍ସା କରାଯିବ। ହେଲେ ଏହି ୱାର୍ଡ ରୋଗୀଙ୍କ ସେବାରେ ଆସୁନାହିଁ। ୱାର୍ଡରେ କାହିଁକି ତାଲା ଝୁଲୁଛି, ଏ ନେଇ ହସ୍ପିଟାଲ କର୍ତୃପକ୍ଷ ମୁହଁ ଖୋଲୁ ନାହାନ୍ତି।

ୱାର୍ଡରେ ତାଲା ପଡ଼ିବା ସମ୍ପର୍କରେ ଖୋଳତାଡ଼ କରିବାରୁ ଉପରିସ୍ଥ ଅଧିକାରୀଙ୍କ ମଧ୍ୟରେ ମତଭେଦ କାରଣରୁ ଏପରି ହୋଇଥିବା ଶୁଣିବାକୁ ମିଳୁଛି। ଏପରିକି ଏହାକୁ ତୁରନ୍ତ ନ ଖୋଲିବା ପାଇଁ ହସ୍ପିଟାଲରେ ବଡ଼ଧରଣର ଏକ ଚକ୍ରାନ୍ତ ଚାଲିଥିବା ଅଭିଯୋଗ ହେଉଛି। କ୍ୟାପିଟାଲ ହସ୍ପିଟାଲରେ ଏଭଳି ଗୋଟିଏ ପରେ ଗୋଟିଏ ୱାର୍ଡ/ୟୁନିଟ୍ ଖୋଲୁଥିଲେ ହେଁ ଏହାକୁ ସବୁଦିନ ଭଳି କାର୍ଯ୍ୟକ୍ଷମ କରାଇବା ପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କ ଉଦ୍ୟମ ରହୁନାହିଁ। ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଆଣ୍ଠୁଗଣ୍ଠି ରୋଗ ପାଇଁ ଏକ ରୁୢମାଟୋଲୋଜି ବହିର୍ବିଭାଗ ବା ଓପିଡି ଖୋଲିଥିଲା। ସପ୍ତାହକୁ ଗୋଟିଏ ଦିନ ଏହି ଓପିଡି ଚାଲୁଥିଲା। ଆଣ୍ଠୁଗଣ୍ଠି ଜନିତ ସମସ୍ୟା ବୃଦ୍ଧ/ବୃଦ୍ଧାଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଦେଖା ଯାଉଥିବାରୁ ତାହା ସେମାନଙ୍କ ପାଇଁ ବେଶ ସହାୟକ ହେଉଥିଲା। ଏହି ଓପିଡି କାର୍ଯ୍ୟକାରୀ ହେବାର ଦେଢ଼ ବର୍ଷ ଭିତରେ ୫ ହଜାରରୁ ଅଧିକ ରୋଗୀ ଏଠାରେ ସେବା ପାଇଥିଲେ। ମାତ୍ର ଏଠାରେ ନିଯୁକ୍ତ ହୋଇଥିବା ଡାକ୍ତରଙ୍କ ଅନ୍ୟତ୍ର ବଦଳି ହେବା ପରେ ସେବେଠାରୁ ଏହି ଓପିଡି ବନ୍ଦ ହୋଇଯାଇଛି। ସେହିପରି କ୍ୟାପିଟାଲ ହସ୍ପିଟାଲ ସ୍ନାୟୁଗତ ସମସ୍ୟା ପାଇଁ ସ୍ବତନ୍ତ୍ର ଭାବେ ନ୍ୟୁରୋ ବିଭାଗ ଖୋଲାଯାଇ କନ୍‌ସଲ୍‌ଟାଣ୍ଟ ଭାବେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା। ମାତ୍ର ଗତ କିଛି ଦିନ ହେବ ସଂପୃକ୍ତ ଡାକ୍ତର ଅନ୍ୟତ୍ର ଚାଲି ଯାଇଥିବା ଜଣାପଡ଼ିଛି। ଫଳରେ ନ୍ୟୁରୋଲୋଜି ଓପିଡି ପାଇଁ ସମସ୍ୟା ସୃଷ୍ଟି ହୋଇଛି। ପୂର୍ବରୁ ଏସ୍‌ସିବି ମେଡିକାଲ କଲେଜରୁ ସପ୍ତାହକୁ ଜଣେ ଡାକ୍ତର ଯେଉଁଭଳି ଆସୁଥିଲେ, ଏବେ ପୁଣିଥରେ ପୂର୍ବାବସ୍ଥା ଫେରି ଆସିଛି।

କର୍ତୃପକ୍ଷଙ୍କୁ ଲୁଚୁଛନ୍ତି
କ୍ୟାପିଟାଲ ହସ୍ପିଟାଲର କୌଣସି ସମସ୍ୟା ସଂପର୍କରେ ନି‌‌ର୍ଦ୍ଦେଶକ କିମ୍ବା ଅଧୀକ୍ଷକଙ୍କୁ ଯୋଗାଯୋଗ କରାଗଲେ ସେମାନଙ୍କଠାରୁ କୌଣସି ଉତ୍ତର ମିଳୁ ନାହିଁ। ଜରାରୋଗୀ ୱାର୍ଡ ଉଦ୍‌ଘାଟନ ପରଠାରୁ କାହିଁକି ଖୋଲୁ ନାହିଁ, ସେ ସମ୍ପର୍କରେ ଜାଣିବା ପାଇଁ ହସ୍‌ପିଟାଲ ନିର୍ଦ୍ଦେଶକ ଓ ଅଧୀକ୍ଷକଙ୍କୁ ଯୋଗାଯୋଗ ପାଇଁ ବାରମ୍ବାର ଉଦ୍ୟମ କରାଯାଇଥିଲା। ହେଲେ ତାହା ସମ୍ଭବ ହୋଇ ନଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କର୍ତ୍ତୃପକ୍ଷ ଗଣମାଧ୍ୟମଠାରୁ ଲୁଚିବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧିତ ଖବର