କ୍ୟାପିଟାଲ ହସ୍ପିଟାଲରେ ବାତ୍ୟା ପ୍ରସ୍ତୁତି : ଗତବର୍ଷର ପରିସ୍ଥିତି ହେବ ନାହିଁ ତ?

ସପ୍ତାହ ପାଇଁ ସମସ୍ତ ଜିନିଷ ମହଜୁଦ ରଖିବା ଉପରେ ଗୁରୁତ୍ବ

ଭୁବନେଶ୍ବର : ବର୍ଷେ ପରେ ରାଜ୍ୟରେ ଆଉ ଏକ ବାତ୍ୟା ଆସିଛି। ଗତବର୍ଷ ମେ’ ମାସରେ ‘ଫନି’ ଓ ଚଳିତବର୍ଷ ‘ଅମ୍ଫାନ’। ଗତବର୍ଷ ବାତ୍ୟାରେ ହସ୍ପିଟାଲର ଶିଶୁ ୱାର୍ଡରେ ଥିବା ଏସ୍‌ଏନ୍‌ସିୟୁରେ ସିଲିଂ ଖସି ପଡ଼ିଥିଲା। ମାତ୍ର ସେଠାରେ ଉପସ୍ଥିତ ଥିବା ଡାକ୍ତର ଓ ଷ୍ଟାଫ ନର୍ସ ଉପସ୍ଥିତ ବୁଦ୍ଧି ଖଟାଇ ନବଜାତକମାନଙ୍କୁ ରକ୍ଷା କରିଥିଲେ। ଫଳରେ ହସ୍ପିଟାଲରେ ଏକ ବଡ଼ ଅଘଟଣରୁ ରକ୍ଷା ପାଇ ଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ହସ୍ପିଟାଲରେ ପାଣି ଜମି ରହିବା ଫଳରେ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ହସ୍ପିଟାଲ ଭିତରେ ପାଣିରେ ଚାଲିବାକୁ ପଡ଼ିଥିଲା। ତେବେ ଚଳିତବର୍ଷ କ୍ୟାପିଟାଲ ହସ୍ପିଟାଲରେ ଏଭଳି ଅଘଟଣ ଦେଖିବାକୁ ମିଳିବନି ତ? ତାହାକୁ ନେଇ ଲୋକମାନଙ୍କ ମନରେ ପ୍ରଶ୍ନ ଉଠିଲାଣି।

ସାମୁଦ୍ରିକ ବାତ୍ୟା ‘ଅମ୍ଫାନ୍‌’କୁ ନଜରରେ ରଖି କ୍ୟାପିଟାଲ ହସ୍ପିଟାଲରେ ଆଜି ଏକ ବୈଠକ ଅନୁଷ୍ଠିତ‌ ହୋଇଥିଲା। ଏଥିରେ ଆସନ୍ତା ୧ ସପ୍ତାହ ପର୍ଯ୍ୟନ୍ତ ସମସ୍ତ ଜିନିଷ ମହଜୁଦ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହି ସମୟ ଭିତରେ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯା‌ଇଛି। ଜେନେରେଟର୍‌ଠାରୁ ବୁଲଡୋଜର୍‌ ପର୍ଯ୍ୟନ୍ତ ପ୍ରସ୍ତୁତ ରହିବା ଲାଗି ସବୁ ବିଭାଗର ଅଧିକାରୀଙ୍କୁ ସୂଚନା ଦିଆଯାଇଛି।

ବାତ୍ୟା ସମୟରେ ସମସ୍ତ କବାଟ, ଝରକା ବନ୍ଦ ରହିବ। ବିଭାଗୀୟ ମୁଖ୍ୟ ଓ ଭାରପ୍ରାପ୍ତ ଅଧିକାରୀ ଏହାକୁ ସୁନିଶ୍ଚିତ କରିବେ। ସବୁ ବିଭାଗର ମୁଖ୍ୟଙ୍କ ସମେତ ଷ୍ଟାଫ୍ ନର୍ସଙ୍କୁ ଆସନ୍ତା ୭ଦିନ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ମହଜୁଦ ରଖିବା ଲାଗି ନିର୍ଦେଶ ଦିଆଯାଇଛି। ବାତ୍ୟା ଓ ଏହାର ପରବର୍ତୀ ସମୟରେ ଯେପରି ରୋଗୀମାନଙ୍କ ଖାଦ୍ୟରେ କୌଣସି ପ୍ରକାର ସମସ୍ୟା ନ ହୁଏ, ସେଥିପାଇଁ ଖାଦ୍ୟ ଯୋଗାଣକାରୀ ସଂସ୍ଥାକୁ କଞ୍ଚାମାଲ ମହଜୁଦ ରଖିବା ଲାଗି କୁହାଯାଇଛି। ବାତ୍ୟା ସମୟରେ ଔଷଧର ଯେପରି କୌଣସି ପ୍ରକାର ଅଭାବ ନ ହୁଏ, ତାହା ଉପରେ ଗୁରୁତ୍ବ ଦିଆଯାଇଛି। ହସ୍ପିଟାଲରେ ଅନବରତ ବିଦ୍ୟୁତ୍‌ ଯୋଗାଣ ଅବ୍ୟାହତ ରଖିବା ଲାଗି ବିଦ୍ୟୁତ୍‌ ବିଭାଗ ଓ ଏହାର କର୍ମଚାରୀମାନଙ୍କୁ କୁହାଯାଇଛି। ଅତି କମ୍‌ରେ ୧୦ ଦିନ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯାଇଛି।

ତେବେ ବାତ୍ୟା ପାଇଁ ହସ୍ପିଟାଲରେ ସ୍ବତନ୍ତ୍ର ଭାବେ ଏକ ‌କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏଥିପାଇଁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ ହେବା ସହିତ ସମସ୍ତ ପ୍ରକାର ଜରୁରୀକାଳୀନ ସହାୟତା ପାଇଁ ଲୋକମାନେ ୯୪୩୭୫୮୫୪୮୯ରେ ଯୋଗାଯୋଗ କରିପାରିବେ। ବାତ୍ୟାରେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ ତୁରନ୍ତ ହଟାଇବା ସହ ଅନବରତ ପାଣି ଯୋଗାଇ ଦେବା ଲାଗି ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ରାସ୍ତା ଓ କୋଠାବାଡ଼ିର ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଥିବା‌ ହସ୍ପିଟାଲର ଅଧୀକ୍ଷକ ଦାୟିତ୍ବରେ ଥିବା ଡା. ଧନଞ୍ଜୟ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର