ସୋମବାରଠାରୁ କ୍ୟାପିଟାଲ ହସ୍ପିଟାଲରେ କେବଳ ସକାଳ ବେଳା ଖୋଲିବ ଓପିଡି

କ୍ୟାପିଟାଲ ହସ୍ପିଟାଲରେ ବଢ଼ୁଛି କରୋନା ସଂକ୍ରମଣ
ଆଉ ୨ ପଜିଟିଭ୍ ଚିହ୍ନଟ, ଆସିଲା ୭୫୦ ଆଣ୍ଟିଜେନ୍ କିଟ୍

ଭୁବନେଶ୍ବର : ଆସନ୍ତା ସୋମବାରଠାରୁ କ୍ୟାପିଟାଲ ହସ୍ପିଟାଲରେ କେବଳ ସକାଳ ବେଳା ବହିର୍ବିଭାଗ (ଓପିଡି) ଖୋଲିବ। ହସ୍ପିଟାଲରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ କର୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଜେନେରାଲ ଓପିଡି ଓ କାଜୁଆଲଟି ପୂର୍ବଭଳି ଖୋଲା ରହିବ ବୋଲି ସୂଚନା ମିଳିଛି।

ପୂର୍ବରୁ ଓପିଡି ଦିନରେ ଦୁଇବେଳା ଖୋଲୁଥିଲା। ଏବେ ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିବା ଫଳରେ ହସ୍ପିଟାଲ କର୍ତୃପକ୍ଷ ଗୋଟିଏ ବେଳା ଓପିଡି ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିବ। କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଅନ୍ୟ କର୍ମଚାରୀମାନଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ୁଥିବାରୁ କାର୍ଯ୍ୟରେ ବାଧା ଉପୁଜୁଛି। ଏଭଳି ପରିସ୍ଥିତି ସଂପୂର୍ଣ୍ଣ ଭାବେ ଓପିଡିକୁ ବନ୍ଦ ରଖିବା ପରିବର୍ତ୍ତେ ଗୋଟିଏ ବେଳା ଖୋଲା ରଖିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଆଉ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଆଉ ଜଣେ ରୋଗୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆଜି ପାଥୋଲୋଜିରେ କାର୍ଯ୍ୟରତ ଜଣେ ଆଟେଣ୍ଡାଣ୍ଟ ପଜିଟିଭ୍ ବାହାରିଛନ୍ତି। ତାଙ୍କ ସଂସ୍ପର୍ଶରେ ୭ଜଣ ‌କର୍ମଚାରୀ ଆସିଥିବା ବେଳେ ଆଜି ସେମାନଙ୍କର ରାପିଡ୍ ଆଣ୍ଟିଜେନ୍‌ କିଟ୍‌ରେ ପରୀକ୍ଷା କରାଯାଇଥିଲା। ସମସ୍ତେ ନେଗେଟିଭ୍ ଆସିବା ପରେ ସେମାନଙ୍କୁ ପୁନର୍ବାର କ‌ାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ଦିଆଯାଇଥିଲା। ଏବେ ସୁଦ୍ଧା ୨୩ ଜଣ ରୋଗୀ ହସ୍ପିଟାଲରୁ ଚିହ୍ନଟ ହୋଇ ସାରିଲେଣି। ଅପରପକ୍ଷରେ ଆଜି ହସ୍ପିଟାଲକୁ ଅତିରିକ୍ତ ୭୫୦ ରାପିଡ୍ ଆଣ୍ଟିଜେନ୍ କିଟ୍ ପହଞ୍ଚିଛି। ପୂର୍ବରୁ ହସ୍ପିଟାଲକୁ ୫ଶହ କିଟ୍ ଦିଆଯାଇଥିଲା। ସେସବୁ କିଟ୍‌ ଶେଷ ହେବାକୁ ବସିଥିବା ବେଳେ କର୍ତୃପକ୍ଷ ଅଧିକ କିଟ୍‌ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଏହି କିଟ୍‌ରେ ହସ୍ପିଟାଲର କର୍ମଚାରୀଙ୍କଠାରୁ ଆରମ୍ଭ କରି ରୋଗୀଙ୍କ ପର୍ଯ୍ୟନ୍ତ ପରୀକ୍ଷା କରାଯାଇ ହସ୍ପିଟାଲରେ ଆଡମିସନ୍ କରିବା ପାଇଁ ଅନୁମତି ଦିଆଯାଉଛି।

ସମ୍ବନ୍ଧିତ ଖବର