କ୍ୟାପିଟାଲ ହସ୍ପିଟାଲ: ଅସ୍ଥାୟୀ ବ୍ୟବସ୍ଥା କେତେ ଦିନ?

ଏସ୍‌ସିବି ବିଶେଷଜ୍ଞଙ୍କ ହାତରେ ସୁପରସ୍ପେସିଆଲିଟି ବିଭାଗ
ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ସମ୍ପୂର୍ଣ୍ଣ ବନ୍ଦ, ନାହିଁ ମଡ୍ୟୁଲାର୍ ଓଟି

ଭୁବନେଶ୍ୱର : ଦୀର୍ଘ ବର୍ଷ ହେଲା କ୍ୟାପିଟାଲ ହସ୍ପିଟାଲର ୪ଟି ସୁପରସ୍ପେସିଆଲିଟି ବିଭାଗ ଅସ୍ଥାୟୀ ବ୍ୟବସ୍ଥା‌ରେ ଚାଲିଛି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କ‌ଲେଜ ଓ ହସ୍ପିଟାଲ (ଏସ୍‌ସିବି)ର ବିଶେଷଜ୍ଞମାନଙ୍କ ହାତରେ ଏହି ବିଭାଗ ନ୍ୟସ୍ତ ରହି ଆସିଛି। ଅସ୍ଥାୟୀ ବ୍ୟବସ୍ଥାରେ ସେମାନେ ସପ୍ତାହରେ ମାତ୍ର ୩ଦିନ ଲେଖାଏ ଆସି ରୋଗୀମାନଙ୍କ ପରୀକ୍ଷା ଓ ଚିକିତ୍ସା କରୁଛନ୍ତି। ଅସ୍ଥାୟୀ ବ୍ୟବସ୍ଥା କାରଣରୁ ସ୍ବାଭାବିକ ଭାବେ ଉପଯୁକ୍ତ ରୋଗୀ ‌ସେବା ମିଳୁନି ବା ବାଧାପ୍ରାପ୍ତ ହେଉଛି। ରାଜଧାନୀର ମୁଖ୍ୟ ହସ୍ପିଟାଲରେ ଏଭଳି ଅସ୍ଥାୟୀ ବ୍ୟବସ୍ଥା ଆଉ କେତେ ଦିନ ଲାଗି ରହିବ ବୋଲି ବହୁ ଦିନ ହେଲା ବୁଦ୍ଧିଜୀବୀମହଲରେ ପ୍ରଶ୍ନ ହୋଇଆସୁଛି। ସେହିଭଳି ଗ୍ୟାଷ୍ଟ୍ରୋଏଣ୍ଟ୍ରେ‌ାଲୋଜି ବିଭାଗ ବହୁ ଦିନ ହେଲା ବନ୍ଦ ହୋଇପଡ଼ିଥିବା ବେଳେ କିଛି ବିଭାଗ ପାଇଁ ଜରୁରୀ ମଡ୍ୟୁଲାର୍‌ ଅପରେସନ୍ ଥିଏଟର ନିର୍ମାଣ ହୋଇପାରିନାହିଁ। ରାଜଧାନୀର ବଡ଼ ସରକାରୀ ମେଡିକାଲର ଏଭଳି ଅବସ୍ଥା। ରାଜ୍ୟରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା ନେଇ ସରକାର ମିଛ ଡିଣ୍ଡିମ ଆଉ କେତେ ଦିନ ପିଟିବେ ବୋଲି ଚର୍ଚ୍ଚା ହେଉଛି। ଖୋଦ୍ ରାଜଧାନୀରେ ଯଦି ଚିତ୍ର ଏଭଳି, ତେବେ ଅପହଞ୍ଚ ଅଞ୍ଚଳର ଡାକ୍ତରଖାନାମାନଙ୍କ ସ୍ଥିତି କିଭଳି ଥିବ, ଏଥିରୁ ସ୍ପଷ୍ଟ ବୋଲି କୁହାଯାଉଛି।

ଏହି ୪ ସୁପରସ୍ପେସିଆଲିଟି ବିଭାଗଗୁଡ଼ିକ ହେଲା, ନ୍ୟୁରୋଲୋଜି, ୟୁରୋଲୋଜି, ନେଫ୍ରୋଲୋଜି, ନ୍ୟୁରୋସର୍ଜରି। ଏହି ୪ ବିଭାଗ ସହ ପ୍ଲାଷ୍ଟିକ ସର୍ଜରି, ଡାଇବେଟିସ୍‌ ଏମିତି ୬ଟି ବିଭାଗରେ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ନାହାନ୍ତି। କଟକରୁ ସପ୍ତାହରେ ତିନି ଦିନ ଆସି ଡାକ୍ତରମାନେ ଏଠାରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଉଛନ୍ତି। କିଛି ବିଭାଗରେ ଡାକ୍ତର ନିଯୁକ୍ତି ପାଇଥିଲେ ମଧ୍ୟ ବଦଳି କାରଣରୁ ସେସବୁ ପଦବି ଖାଲି ପଡ଼ିଛି। ଏସ୍‌ସିବି ବିଶେଷଜ୍ଞମାନଙ୍କ ଏହି ୩ ଦିନିଆ ବ୍ୟବସ୍ଥା କାରଣରୁ ଅନ୍ୟ ଦିନମାନଙ୍କରେ ରୋଗୀମାନେ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ସବୁ ବିଭାଗରେ ଡାକ୍ତରଙ୍କୁ ସାକ୍ଷାତ କରିବା ପାଇଁ ରୋଗୀମାନଙ୍କୁ ଟିକେଟ୍‌ କରିବାକୁ ପୂର୍ବ ଦିନ ରାତି ୧ଟାରୁ ଲାଇନ୍‌ରେ ରହିବାକୁ ପଡ଼ୁଛି। ଦୈନିକ ୪୦ ରୋଗୀଙ୍କୁ ସାକ୍ଷାତ ପାଇଁ ସୁଯୋଗ ମିଳୁ ଥିବାରୁ ବହୁ ରୋଗୀ ଟିକେଟ୍‌ ନପାଇ ଫେରୁଛନ୍ତି। ଏକ ଆକଳନରୁ ଜଣାପଡ଼ିଛି, ଦୈନିକ ଶହେରୁ ଅଧିକ ରୋଗୀ ଲମ୍ବା ଲାଇନ୍‌ରେ ରହି ମଧ୍ୟ ଶେଷରେ ଫେରିବାକୁ ବାଧ୍ୟ ହେଉଛନ୍ତି। ସେହିଭଳି ନ୍ୟୁରୋଲୋଜି ବିଭାଗର ନିଜସ୍ବ ଚାମ୍ବର ନାହିଁ। ସେଥିପାଇଁ ଅର୍ଥୋପେଡିକ୍‌ ବିଭାଗରେ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି।

ବଡ଼ ପରିତାପର କଥା, ଡାକ୍ତର ଅଭାବ କାରଣରୁ ଦୀର୍ଘ ଦିନ ହେଲା ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଏହି ବିଭାଗକୁ ଦୈନିକ ୫୦ରୁ ୬୦ଜଣ ରୋଗୀ ଆସୁଥିଲେ। ମାତ୍ର ଡାକ୍ତରଙ୍କ ବଦଳି କାରଣରୁ ବହୁ ଦିନ ହେବ ଏହି ବିଭାଗ ବନ୍ଦ ହୋଇପଡ଼ିଛି। ସବୁଠୁ ବଡ଼ ସମସ୍ୟା ରହିଛି ପ୍ଲାଷ୍ଟିକ ସର୍ଜରି ଓ ଅଙ୍କୋସଜରି ବିଭାଗରେ। ଏଥିପାଇଁ ମଡ୍ୟୁଲାର୍‌ ଅପରେସନ୍‌ ଥିଏଟର୍‌ ଆବଶ୍ୟକ। ମାତ୍ର ରାଜ୍ୟ ରାଜଧାନୀର ଏହି ମୁଖ୍ୟ ହସ୍ପିଟାଲରେ ଆଜି ପର୍ଯ୍ୟନ୍ତ ମୁଡ୍ୟୁଲାର୍ ଅପରେସନ୍‌ ଥିଏଟର ହୋଇପାରିଲା ନାହିଁ। ତେଣୁ ଡାକ୍ତର କେବଳ ଛୋଟଛୋଟ ଅପରେସନ୍‌ କରୁଛନ୍ତି। ଫଳରେ ଜଟିଳ ଅପରେସନ୍ ଆବଶ୍ୟକ କରୁଥିବା ଗୁରୁତର ରୋଗୀଙ୍କୁ ଘରୋଇ ହସ୍ପିଟାଲ ଯାଇ ସେଠାରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଏନେଇ ସୁପରସ୍ପେସାଆଲିଟି ବିଭାଗର ଡାକ୍ତରମାନେ କହିଛନ୍ତି ଯେ ପୂର୍ବରୁ ସପ୍ତାହରେ କେବଳ ଦୁଇ ଦିନ ଓପିଡି ଖୋଲା ଯାଉଥିଲା। ରୋଗୀ ଅଧିକ ହେବାରୁ ଏବେ ତିନି ଦିନ ଓପିଡି ଖୋଲା ଯାଉଛି। ଦୈନିକ ୪୦ରୋଗୀଙ୍କୁ ଦେଖାଯାଉଥିବା ବେଳେ ଅନ୍ୟ ୱାର୍ଡରୁ ଆସୁଥିବା ରୋଗୀମାନଙ୍କୁ ମଧ୍ୟ ଚିକିତ୍ସା କରାଯାଉଛି। ତେଣୁ ଅଧିକ ଡାକ୍ତର ନିଯୁକ୍ତି ଦେବା ସହ ଓଟିର ବ୍ୟବସ୍ଥା କରାଗଲେ, ଆଉ ଅଧିକ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇପାରିବ। ଏ ବାବଦରେ କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଜଗନ୍ନାଥ ପହିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ବର୍ତ୍ତମାନ ଏଥିପାଇଁ ସୁଦ୍ଧା ସ୍ଥାୟୀ ବ୍ୟବସ୍ଥା ହୋଇନାହିଁ। ଏସ୍‌ସିବି ବିଶେଷଜ୍ଞମାନଙ୍କୁ ନେଇ ଚାଲିଥିବା ଅସ୍ଥାୟୀ ବ୍ୟବସ୍ଥାରେ କିଛି ସମସ୍ୟା ହେଉନଥିବା ସେ କହିଛନ୍ତି।

କାଜୁଆଲିଟିରେ ବି ଡାକ୍ତର ଅଭାବ
କେବଳ ସୁପରସ୍ପେସିଆଲିଟି ବିଭାଗ ନୁହେଁ, ଏଠାରେ କାଜୁଆଲିଟିରେ ମଧ୍ୟ ଡାକ୍ତର ଅଭାବ ରହିଛି। ୨୪ ଘଣ୍ଟିଆ କାମ କରୁଥିବା କାଜୁଆଲିଟିରେ ସବୁ ସମୟରେ ୩ଜଣ ଲେଖାଏଁ ଡାକ୍ତର ରହିବା ନିୟମ ରହିଛି। କିନ୍ତୁ ଏବେ ପ୍ରାୟ ସମୟରେ ୨ ଜଣ ଲେଖାଏଁ ଡାକ୍ତର ଏହି ବିଭାଗରେ ରୋଗୀ ଦେଖୁଛନ୍ତି। ଫଳରେ ସବୁ ସମୟରେ କାଜୁଆଲିଟି ବିଭାଗରେ ରୋଗୀଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। ଏ ବାବଦରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା ଠିକା ବ୍ୟବସ୍ଥାରେ ନିଯୁକ୍ତି ପାଇଥିବା କିଛି ଡାକ୍ତର ପିଜି ଆଡ୍‌ମିସନ କରିବାକୁ ଚାକିରି ଛାଡ଼ି ଦେଇଛନ୍ତି। ତେଣୁ କାଜୁଆଲିଟିରେ ଡାକ୍ତରଙ୍କ ଅଭାବ ଦେଖାଦେଇଛି। ଏନେଇ ଅଧୀକ୍ଷକ ଡାକ୍ତର ପହିଙ୍କୁ କହିବା କଥା ଡାକ୍ତର ପଦବି ଖାଲି ହେବା ପ‌ରେ ନିୟମାନୁସାରେ ନିଯୁକ୍ତି ଦିଆଯାଉଛି। ନିକଟରେ କିଛି ନୂଆ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି ଓ ବାକି ଖାଲି ପଦବି ପୂରଣ ପାଇଁ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର