ଭୁବନେଶ୍ବର : କ୍ୟାପିଟାଲ୍ ହସ୍ପିଟାଲ୍ରେ ବର୍ତ୍ତମାନ ୧୬ଟି ଆଇସିୟୁ ଓ ୨୧ଟି ଡାଇଲିସିସି ୟୁନିଟ୍ ଶଯ୍ୟା ରହିଛି। ଏହି ଶଯ୍ୟା ବୃଦ୍ଧି କରାଯିବ। ଏହା ସହ ସବୁ ଶଯ୍ୟାକୁ ଅକ୍ସିଜେନ୍ ସଂଯୋଗ କରାଯିବ। ବର୍ତ୍ତମାନ ମୋଟ୍ ୭୬୦ ଶଯ୍ୟା ଥିଲା ବେଳେ କେବଳ ୧୫୦ ଶଯ୍ୟା ପର୍ଯ୍ୟନ୍ତ ପାଇପ୍ ସାହାଯ୍ୟରେ ଅକ୍ସିଜେନ୍ ପହଞ୍ଚା ଯାଇପାରୁଛି। ଆଜି ବସିଥିବା ହସ୍ପିଟାଲ୍ର ରୋଗୀ କଲ୍ୟାଣ ସମିତି ବୈଠକରେ ଏହି ଗୁରୁତ୍ବପୂ୍ର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଦୀର୍ଘ ୧୪ମାସ ପରେ ଆଜି ରୋଗୀ କଲ୍ୟାଣ ସମିତିର ବୈଠକ ବସିଥିଲା। ସମିତିର ଅଧ୍ୟକ୍ଷା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରୋଗୀମାନଙ୍କୁ ଗୁଣାତ୍ମକ ସେବା ଦେବା ନେଇ ସରଗରମ ଆଲୋଚନା ହୋଇଥିଲା। ଏଥିରେ ମୋଟ୍ ୧୧ଟି ପ୍ରସ୍ତାବ ପାରିତ ହୋଇ ତାହାକୁ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ପୂର୍ବାପେକ୍ଷା ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଥିବାରୁ ପଞ୍ଜୀକରଣ କାଉଣ୍ଟର୍ ସାମ୍ନାରେ ଗହଳି କମାଇବାକୁ ଆଉ ୪ଟି ପଞ୍ଜୀକରଣ କାଉଣ୍ଟର୍ ଖୋଲାଯିବ। ଦୁଇଟି ଶବ ବୋଝେଇ ବ୍ୟାଟେରି ଚାଳିତ ଗାଡ଼ି ସହିତ ୮-୧୦ଜଣ ବସିବା ଭଳି ବ୍ୟାଟେରି ଗାଡ଼ି ରୋଗୀମାନଙ୍କ ପାଇଁ ହସ୍ପିଟାଲ ମଧ୍ୟରେ ଚଳାଚଳ କରିବ। ୧୦୦ ଶଯ୍ୟା ବିଶିଷ୍ଟ ଶିଶୁ ହେଲ୍ଥ ୟୁନିଟ୍ର ଶଯ୍ୟା ସଂଖ୍ୟା ବଢ଼ାଯାଇ ୨୦୦ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ହସ୍ପିଟାଲକୁ ଆସୁଥିବା ରୋଗୀମାନେ ସନ୍ତୁଷ୍ଟ ଅଛନ୍ତି କି ନାହିଁ, ପ୍ରତି ମାସରେ ଏଥିପାଇଁ ସର୍ଭେ କରାଯିବ। ବୈଠକ ପରେ ଗଣମାଧ୍ୟମକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ କ୍ୟାପିଟାଲ୍ ହସ୍ପିଟାଲକୁ ଶ୍ରେଷ୍ଠ ହସ୍ପିଟାଲରେ ପରିଣତ କରାଯିବାକୁ ବୈଠକରେ ଆଲୋଚନା ହୋଇଛି। ଏଠାକୁ ଆସୁଥିବା ରୋଗୀମାନେ ଯେପରି ହଇରାଣ ନ ହୁଅନ୍ତି, ସେ ଦିଗରେ ସମସ୍ତ ପଦକ୍ଷେପ ନିଆଯିବ।
ଖୋଲିବ ଆଉ ୪ ପଞ୍ଜୀକରଣ କାଉଣ୍ଟର୍
୧୪ ମାସ ପରେ ବସିଲା ବୈଠକ
/sambad/media/post_attachments/wp-content/uploads/2022/01/capital-hospital-the-new-indian-express-300x150.jpg)
ଆଜିର ବୈଠକରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ଓ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସମେତ ହସ୍ପିଟାଲର ସମସ୍ତ ବିଭାଗର ଅଧିକାରୀ ଓ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।
ସାଂସଦ ବିଳମ୍ବରେ ଆସିବାରୁ ଚାଲିଗଲେ ମନ୍ତ୍ରୀ
ରୋଗୀ କଲ୍ୟାଣ ସମିତି ବୈଠକ ପୂର୍ବାହ୍ନ ୧୧ଟାରେ ସ୍ଥିର ହୋଇଥିଲା। ଭୁବନେଶ୍ବର ସାଂସଦ ଏହି ସମିତିର ଅଧ୍ୟକ୍ଷା ଥିବାରୁ ତାଙ୍କ ସହମତିରେ ଏହି ସମୟ ଧାର୍ଯ୍ୟ କରାଯାଇଥିଲା। ସମିତିର ସଦସ୍ୟ ଥିବା ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଠିକ୍ ୧୧ଟାରେ ହସ୍ପିଟାଲ୍ରେ ପହଞ୍ଚିଥିଲେ। କିନ୍ତୁ ଅଧ୍ୟକ୍ଷାଙ୍କର ଦେଖା ନ ଥିଲା। ମନ୍ତ୍ରୀ ପାଖାପାଖି ୪୦ ମିନିଟ୍ ଅପେକ୍ଷା କଲେ। ତଥାପି ସାଂସଦ ନ ଆସିବାରୁ ସେ ଉଠି ଚାଲିଗଲେ। ତଳ ମହଲାରେ ମନ୍ତ୍ରୀ ବାହାରକୁ ଯାଉଥିଲା ବେଳେ ସେହି ସମୟରେ ଅପରାଜିତା ଭିତରକୁ ପଶିଥିଲେ। ଉଭୟ ମୁହାଁମୁହିଁ ହୋଇଯାଇଥିଲେ। ଅପରାଜିତା କହିଥିଲେ, ଆପଣ ଯାଉଛନ୍ତି କି? ମୋର ଟିକେ ବିଳମ୍ବ ହୋଇଗଲା। ଆସନ୍ତୁ ବୈଠକ ଆରମ୍ଭ କରିବା। କିନ୍ତୁ ଶ୍ରୀ ପଣ୍ଡା କହିଥିଲେ, ମୁଁ ୪୦ମିନିଟ୍ ଅପେକ୍ଷା କଲି। ଆଉ କେତେ ସମୟ ଅପେକ୍ଷା କରିଥା’ନ୍ତି। ବିଭାଗର ଗୋଟିଏ ବୈଠକ ଅଛି, ମୁଁ ଯାଉଛି। ଆପଣ ବୈଠକ ଆରମ୍ଭ କରନ୍ତୁ। ଅପରାଜିତା କହିଥିଲେ, ଟିଟିଡି ମଣ୍ଡପରେ ଆଉ ଏକ କାର୍ଯ୍ୟକ୍ରମ ଥିବାରୁ ବିଳମ୍ବ ହୋଇଗଲା। ତଥାପି ସମୟ ଜଗିବା କଥା କହି ମନ୍ତ୍ରୀ ଆଉ ଫେରି ନଥିଲେ। ଏହା ପରେ ଅପରାଜିତା ସମ୍ମିଳନୀ କକ୍ଷକୁ ଯାଇ ସଙ୍ଗେ ସଙ୍ଗେ ବୈଠକ ଆରମ୍ଭ କରିଥିଲେ। ଭୁବନେଶ୍ବରର ଅନ୍ୟ ଦୁଇ ବିଧାୟକ ଓ ମେୟର ସେହି ସମୟରେ ପହଞ୍ଚି ବୈଠକରେ ସାମିଲ ହୋଇଥିଲେ। ରୋଗୀ କଲ୍ୟାଣ ସମିତିର ଉପାଧ୍ୟକ୍ଷ ଥିବା ପୁରୀ ସାଂସଦ ପିନାକୀ ମିଶ୍ର ବୈଠକରେ ଅନୁପସ୍ଥିତ ଥିଲେ।ୱେବସାଇଟ୍ରେ ଏବେ ବି ପାଟ୍ଟଶାଣୀଙ୍କ ନାଁ
୨୦୧୯ରୁ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ବର ସାଂସଦ ଭାବେ ନିର୍ବାଚିତ ହେଲେଣି। ନିୟମ ଅନୁଯାୟୀ ଯିଏ ଭୁବନେଶ୍ବର ସାଂସଦ ହେବେ, ସେ କ୍ୟାପିଟାଲ୍ ହସ୍ପିଟାଲର ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ହେବେ। ଅପରାଜିତା ୩ ବର୍ଷ ହେଲାଣି ଏହି ଦାୟିତ୍ବ ତୁଲାଉଛନ୍ତି। କିନ୍ତୁ କ୍ୟାପିଟାଲ ହସ୍ପିଟାଲର ଅଫିସିଆଲ ୱେବ୍ସାଇଟ୍ର ଆରକେଏସ୍ ଅଧ୍ୟକ୍ଷ ଭାବେ ପୂର୍ବ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମ ରହିଛି। ଏହା ସହ ଅନ୍ୟ ସଦସ୍ୟଙ୍କ ନାମ ମଧ୍ୟ ଅପଡେଟ ହୋଇ ନଥିବା ଦେଖିବାକୁ ମିଳିଛି। ତିନି ବର୍ଷ ହେଲା ୱେବ୍ସାଇଟ୍କୁ ଅପ୍ଡେଟ୍ କରା ନ ଯିବା ନେଇ କିଛି ସଦସ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।