ଟିକେଟ୍‌ ପାଇଁ ରୋଗୀ ହଟହଟା

ସୁଧୁରୁନି କ୍ୟାପିଟାଲ ହସ୍ପିଟାଲ ରେଜିଷ୍ଟ୍ରେସନ୍‌ କାଉଣ୍ଟର୍‌ ଅବ୍ୟବସ୍ଥା

ହସ୍ପିଟାଲ କର୍ତୃପକ୍ଷଙ୍କୁ ଫେରାଦ ଦେଲେ ରୋଗୀ

ଭୁବନେଶ୍ୱର : ସୁଧୁରୁନି କ୍ୟାପିଟାଲ ହସ୍ପିଟାଲ ରେଜିଷ୍ଟ୍ରେସନ୍‌ କାଉଣ୍ଟର୍‌ ଅବ୍ୟବସ୍ଥା। ବର୍ଷର ଅଧିକାଂଶ ସମୟ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ହସ୍ପିଟାଲ କର୍ତୃପକ୍ଷଙ୍କ ତାଗିଦ୍‌ ସତ୍ତ୍ୱେ ପଞ୍ଜୀକରଣ ଦାୟିତ୍ୱ ନେଇଥିବା କମ୍ପାନି ଏହାକୁ ଖାତିର କରୁନାହିଁ। ଫଳରେ ଘଣ୍ଟା ଘଣ୍ଟା ଧରି ରୋଗୀଙ୍କୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି।

ଅପରପକ୍ଷରେ ରୋଗୀଙ୍କ ପଞ୍ଜୀକରଣ ପାଇଁ ରାଜ୍ୟ ସରକାର ଇ-ହସ୍ପିଟାଲ ମ୍ୟାନେଜମେଣ୍ଟ ଇନଫରମେସନ୍‌ ସିଷ୍ଟମ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଗତ ୨୯ତାରିଖରେ ଏଥିପାଇଁ ସେଣ୍ଟର ଫର୍‌ ଡେଭଲପମେଣ୍ଟ ଅଫ୍‌ ଆଡ୍‌ଭାନ୍‌ସ କମ୍ପ୍ୟୁଟିଂ ବା ସିଡିଏସି ନୋଇଡା ସହିତ ଚୁକ୍ତି କରାଯାଇଛି। ଏହି ଚୁକ୍ତି ହେବାର ୧୦ଦିନରୁ ଅଧିକ ସମୟ ବିତିଲାଣି କେବେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ତାହା ଜଣାପଡ଼ି ନାହିଁ। ଦୀର୍ଘଦିନ ଧରି ରାଜ୍ୟ ସରକାର ଏଥିପାଇଁ କସରତ ଚଳାଇଥିବା ବେଳେ ଏହି କାରଣ ପାଇଁ କମ୍ପାନିର ମିଆଦ ଶେଷ ହୋଇଯାଇଥିଲେ ହେଁ ଏହାକୁ ବଢ଼ାଇ ଦିଆଯାଇଛି। ମାତ୍ର କମ୍ପାନିର ଖାମଖିଆଲ ମନୋବୃତ୍ତି ପାଇଁ କ୍ୟାପିଟାଲ ହସ୍ପିଟାଲରେ ପଞ୍ଜୀକରଣ ନେଇ ପୂର୍ବରୁ ଯେଉଁ ଅବ୍ୟବସ୍ଥା ଦେଖା ଦେଉଥିଲା ତାହା ଏବେ ବି ଜାରି ରହିଛି।

ଆଜି ଦିନ ୧୧ଟା ସମୟରେ ରେଜିଷ୍ଟ୍ରେସନ୍‌ କାଉଣ୍ଟର ଗୋଟିଏ କମ୍ପ୍ୟୁଟର ଖରାପ ହୋଇଯାଇଥିଲା। ଫଳରେ ଧାଡ଼ି ବେଳକୁ ବେଳ ବଢ଼ି ଚାଲିଥିଲା। ହସ୍ପିଟାଲରେ ବିଭିନ୍ନ ପରୀକ୍ଷା ପାଇଁ ଟିକେଟ୍‌ କରାଯାଉଥିବା କାଉଣ୍ଟରରୁ ଗୋଟିଏ କମ୍ପ୍ୟୁଟରକୁ ନେଇ କମ୍ପାନି ପକ୍ଷରୁ ରେଜିଷ୍ଟ୍ରେସନ୍‌ କରିବାକୁ ଯୋଜନା ହୋଇଥିଲା। ମାତ୍ର ସେତେବେଳକୁ ରୋଗୀମାନେ ହୋ ହଲ୍ଲା କରିବା ଆରମ୍ଭ କରି ଦେଇଥିଲେ। ବେଳକୁ ବେଳ ସମସ୍ୟା ବଢ଼ି ଯାଉଥିବା ଲକ୍ଷ୍ୟ କରି ହାତଲେଖା ଜରିଆରେ ରୋଗୀମାନଙ୍କ ରେଜିଷ୍ଟ୍ରେସନ୍‌ କରାଯାଇଥିବା ସୂଚନା ମିଳିଛି।

କ୍ୟାପିଟାଲ ହସ୍ପିଟାଲର ପଞ୍ଜୀକରଣ କାଉଣ୍ଟରରେ ଅବ୍ୟବସ୍ଥା ଦୀର୍ଘବର୍ଷ ଧରି ଜାରି ରହିଛି। କେତେବେଳେ କମ୍ପ୍ୟୁଟର ଖରାପ ହୋଇ ଯାଉଛି ତ ଆଉ କେତେବେଳେ ପ୍ରିଣ୍ଟର। କ୍ୟାପିଟାଲ ହସ୍ପିଟାଲରେ ଏହି ରେଜିଷ୍ଟ୍ରେସନ୍‌ କାଉଣ୍ଟର ଚଳାଇବା ପାଇଁ ସଂସ୍ଥାକୁ ଗୋଟିଏ ଟିକେଟ୍‌ରୁ ୧ଟଙ୍କା ୯୯ ପଇସା ଦିଆଯାଉଛି। ଏହାସତ୍ୱେ କମ୍ପାନି ପକ୍ଷରୁ ବ୍ୟବସ୍ଥାରେ ଯେଉଁ ସୁଧାର ଆସିବା କଥା ତାହା ଆସୁନାହିଁ। ହସ୍ପିଟାଲରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ କମ୍ପାନିର ମିଆଦ ଦୀର୍ଘଦିନ ହେବ ଶେଷ ହୋଇଯାଇଛି। ତେବେ ରାଜ୍ୟ ସରକାର ଇ-ହସ୍ପିଟାଲ କାର୍ଯ୍ୟକାରୀ କରିବାକୁ ଯାଉଥିବା ଯୋଜନା କରିବା ପରେ ଏହାର ମିଆଦକୁ ପ୍ରତ୍ୟେକ ବର୍ଷ କିଛି ମାସ ପାଇଁ ବଢ଼ାଇ ଦିଆଯାଉଛି।

ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇ-ହସ୍ପିଟାଲ ପାଇଁ ରାଜ୍ୟ ସରକାରଙ୍କ ଚୁକ୍ତି ହେବା ପରେ ସିଡିଏସି ପକ୍ଷରୁ ଗତ ୧୦ଦିନ ମଧ୍ୟରେ ୨ଥର ହସ୍ପିଟାଲ ପରିଦର୍ଶନ କରିଛନ୍ତି। ପ୍ରଥମେ ରେଜିଷ୍ଟ୍ରେସନ୍‌ କାଉଣ୍ଟର୍‌ରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ରେଜିଷ୍ଟ୍ରେସନ୍‌ କରୁଥିବା କମ୍ପାନିର ମିଆଦ ଶେଷ ହୋଇଥିବା ବେଳେ ୩ମାସ ପାଇଁ ପୁଣିଥିରେ ଏହାକୁ ବଢ଼ାଇ ଦିଆଯାଇଛି। ଆସନ୍ତା ମାର୍ଚ ମାସରେ କମ୍ପାନିର ବଢ଼ିଥିବା ମିଆଦ ଶେଷ ହେବ। ଇ-ହସ୍ପିଟାଲ କାର୍ଯ୍ୟକାରୀ ହେଲେ ଏଥିରେ ସୁଧାର ଆସିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର