କ୍ୟାପିଟାଲ୍ ହସ୍ପିଟାଲ୍ର ଅନ୍ତହୀନ ଅପେକ୍ଷା: ଘୁଞ୍ଚିଘୁଞ୍ଚି ଯାଉଛି ଜରୁରୀକାଳୀନ ଓଟି, ଟ୍ରାଇଏଜ୍, ଏଚ୍ଡିୟୁ ନିର୍ମାଣ
ଭୁବନେଶ୍ବର : କ୍ୟାପିଟାଲ୍ ହସ୍ପିଟାଲ୍ରେ କାର୍ଯ୍ୟକ୍ଷମ ହୋଇପାରୁନାହିଁ ଜରୁରୀକାଳୀନ ଅପରେସନ ଥିଏଟର। ସେହିଭଳି ଜରୁରୀକାଳୀନ ବିଭାଗର ଟ୍ରାଇଏଜ୍ ରୁମ୍ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗର ହାଇଡେଫିନେସନ୍ ୟୁନିଟ(ଏଚ୍ଡିୟୁ) ମଧ୍ୟ ଆରମ୍ଭ ହୋଇପାରୁନାହିଁ। ଟ୍ରାଇଏଜ୍ ରୁମ ଓ ଏଚ୍ଡିୟୁ ନିର୍ମାଣ କାମ ସରିଥିଲେ ସୁଦ୍ଧା ପାରାମେଡିକ୍ ଷ୍ଟାଫ୍ ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ବର୍ଷ ବର୍ଷ ଧରି ରାଜଧାନୀର ତଥା ରାଜ୍ୟର ଏକ ପ୍ରମୁଖ ହସ୍ପିଟାଲ (କ୍ୟାପିଟାଲ ହସ୍ପିଟାଲ) ଏହିସବୁ ଗୁରୁତ୍ବପୂର୍ଣ୍ଣ ୟୁନିଟ୍ ପାଇଁ ଅପେକ୍ଷା କରିଥିବା ବେଳେ ପଦ୍ମ ଘୁଞ୍ଚିଘୁଞ୍ଚି ଗଲା ଭଳି ସ୍ଥିତି ସୃଷ୍ଟିହେଉଛି। ତେଣୁ ଏନେଇ ସାଧାରଣ ଜନତାଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସୂଚନାନୁସାରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଜରୁରୀକାଳୀନ ଅପରେସନ୍ ଥିଏଟର ନଥିବାରୁ ଗୁରୁତର ରୋଗୀ ବା ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥାଏ। ତୁରନ୍ତ ଅପରେସନ୍ ଦରକାର କରୁଥିବା ବ୍ୟକ୍ତିଙ୍କୁ ଏଠାରୁ ଅନ୍ୟତ୍ର ରେଫର୍ କରାଯାଏ। ଫଳରେ ଅନେକ ସମୟରେ ଗୁରୁତର ରୋଗୀଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହେବା ବେଳେ ସେମାନେ ବାଟରେ ମୃତ୍ୟୁମୁଖରେ ପଡ଼ିବା ଭଳି ସ୍ଥିତି ସୃଷ୍ଟି ହୁଏ। ତେଣୁ ରାଜଧାନୀର ଏହି ମୁଖ୍ୟ ଡାକ୍ତରଖାନାକୁ ରେଫରାଲ୍ ହସ୍ପିଟାଲ୍ ମାନ୍ୟତାରୁ ହଟାଇବାକୁ ଏଠାରେ ଜରୁରୀକାଳୀନ ଓଟି ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଏହି ଓଟି ନିର୍ମାଣ କାର୍ଯ୍ୟ ଦୀର୍ଘ ବର୍ଷ ଧରି ଚାଲୁ ରହିଛି। ଆହୁରି ୬ରୁ ୮ ମାସ ଲାଗିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି ଆସିସାରିଛି ଏବଂ ସେସବୁକୁ ଲଗାଯିବାକୁ ବ୍ୟବସ୍ଥା ଚାଲିଛି। ସେହିଭଳି ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଟ୍ରାଇଏଜ୍ ରୁମ୍ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି। କିନ୍ତୁ ଫାର୍ମାସିଷ୍ଟ୍ ଓ ଷ୍ଟାଫ୍ ନର୍ସ ଅଭାବରୁ ଏହାକୁ ଆରମ୍ଭ କରାଯାଉନାହିଁ।

ଏହି ଟ୍ରାଇଏଜ୍ ରୁମ୍ରେ ୫ଟି ଶଯ୍ୟା ରହିଛି। ହସ୍ପିଟାଲର ଜରୁରୀକାଳୀନ ବିଭାଗକୁ ଆସୁଥିବା ରୋଗୀମାନଙ୍କୁ ଏହି ଟ୍ରାଇଏଜ୍ ରୁମ୍ ବ୍ୟବସ୍ଥାରେ ତିନି ବିଭାଗରେ ବିଭକ୍ତ କରାଯାଏ। ସାମାନ୍ୟ ଗୁରୁତରଙ୍କୁ ଗ୍ରିନ୍, ଅଳ୍ପ ଅଧିକ ଗୁରୁତର ରୋଗୀଙ୍କୁ ଅରେଞ୍ଜ୍ ଓ ବେଶି ଗୁରୁତର ରୋଗୀଙ୍କୁ ରେଡ୍ ଜୋନ୍ରେ ବିଭକ୍ତ କରାଯାଇ ଟ୍ରାଇଏଜ୍ ରୁମ୍ରେ ଚିକିତ୍ସା କରାଯାଇଥାଏ। ଅରେଞ୍ଜ୍ ଓ ରେଡ୍ ଜୋନର ରୋଗୀମାନଙ୍କୁ ସଙ୍ଗେ ସଙ୍ଗେ ଟ୍ରାଇଏଜ୍ ରୁମ୍ରେ ସମସ୍ତ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯାଇଥାଏ। ଅବସ୍ଥାରେ ଉନ୍ନତି ଆସିବା ପରେ ତାଙ୍କୁ ସମ୍ପୃକ୍ତ ବା ଆବଶ୍ୟକ ବିଭାଗରେ ଭର୍ତ୍ତି କରାଯାଇଥାଏ। ନଚେତ ତାଙ୍କୁ ଅନ୍ୟ ହସ୍ପିଟାଲ୍କୁ ରେଫର୍ କରାଯାଇଥାଏ। ଫଳରେ ରୋଗୀର ମୃତ୍ୟୁ ଆଶଙ୍କା କମ୍ ହୋଇଥାଏ।
ସୂଚନାଯୋଗ୍ୟ, ଏହି ଟ୍ରାଇଏଜ୍ ରୁମ୍ ଏକ ମିନି ଆଇସିୟୁ ଭଳି କାମ କରିଥାଏ। ଏଠାରେ ଭେଣ୍ଟିଲେଟର ସୁବିଧା ଉପଲବ୍ଧ ରହିବ। ସେହିଭଳି ସ୍ତ୍ରୀ ଓ ପ୍ରସୂ୍ତି ବିଭାଗରେ ୮ ଶଯ୍ୟା ବିଶିଷ୍ଟ ଏଚ୍ଡିୟୁ ନିର୍ମାଣ କାର୍ଯ୍ୟ ଶେଷହୋଇଛି। କିନ୍ତୁ ସମାନ କାରଣରୁ ଏହାକୁ ମଧ୍ୟ କାର୍ଯ୍ୟକ୍ଷମ କରାଯାଇପାରୁନାହିଁ। ଗୁରୁତର ଅବସ୍ଥାରେ ଥିବା ଗର୍ଭବତୀ ମହିଳାଙ୍କୁ ସଙ୍ଗେସଙ୍ଗେ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ଏହି ୟୁନିଟ୍ ଜରୁରୀ। ଏବେ ଏହା କାର୍ଯ୍ୟକ୍ଷମ ହୋଇନଥିବାରୁ ଗୁରୁତର ରୋଗୀଙ୍କୁ କଟକ କିମ୍ବା ଏମ୍ସକୁ ସ୍ଥାନାନ୍ତର କରିବାକୁ ପଡ଼ୁଛି। ଏବାବଦରେ କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ କହିବା କଥା ପାରାମଡେିକ୍ ଷ୍ଟାଫ୍ ଅଭାବରୁ ଟ୍ରାଇଏଜ୍ ଓ ଏଚ୍ଡିୟୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏଥିପାଇଁ ଷ୍ଟାଫ୍ ନିଯୁକ୍ତି କରିବାକୁ ପଦକ୍ଷେପ ନିଆଯାଇଛି। ସେହିଭଳି ଜରୁରୀକାଳୀନ ଓଟି ନିର୍ମାଣ ଖୁବଶୀଘ୍ର ସରିଯିବ। ଯନ୍ତ୍ରପାତି ସବୁ ଆସି ସାରିଛି ଏବଂ ଲଗାଯିବାକୁ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ମଧ୍ୟ ପାରାମେଡିକ୍ ଷ୍ଟାଫ୍ ଅଭାବ। ତେଣୁ ଷ୍ଟାଫ୍ ନିଯୁକ୍ତି ହେବା ପରେ ସବୁ ୟୁନିଟ୍ କାର୍ଯ୍ୟକ୍ଷମ ହେବ ଏବଂ କ୍ୟାପିଟାଲ୍ ହସ୍ପିଟାଲ୍ର ରେଫରାଲ୍ ଟ୍ୟାଗ୍ ହଟିଯିବ।