୩୧ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରେ ନୂତନ ବ୍ୟବସ୍ଥା : ଆରମ୍ଭ ହେବ ଅତ୍ୟାଧୁନିକ ପରୀକ୍ଷା

ଏପ୍ରିଲ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ହାଇବ୍ରିଡ୍‌ ଟଏଲେଟ୍‌

ଭୁବନେଶ୍ୱର : ଚଳିତମାସ ଶେଷ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରେ ଅତ୍ୟାଧୁନିକ ପରୀକ୍ଷା ବ୍ୟବସ୍ଥା। ପୂର୍ବରୁ ଯେଉଁ ଯେଉଁ ପରୀକ୍ଷା ହସ୍ପିଟାଲରେ ହେଉ ନ ଥିଲା ତାହା ଏବେ କ୍ୟାପିଟାଲ ହସ୍ପିଟାଲରେ କରାଯିବ। ଏହାସହ ବିଏମ୍‌ସି ପକ୍ଷରୁ ହସ୍ପିଟାଲ ପରିସରରେ ନିର୍ମାଣ ଆରମ୍ଭ ହୋଇଥିବା ହାଇବ୍ରିଡ୍‌ ଟଏଲେଟ୍‌ ଏପ୍ରିଲ ମାସରେ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତବର୍ଷ ଆରମ୍ଭରୁ ‘ନିଦାନ’ଓ ‘ସହାୟ’ ଯୋଜନା ଆରମ୍ଭ ହୋଇଛି। ଏଥିରେ ସରକାରୀ ଡାକ୍ତରଖାନାରେ ସମସ୍ତ ପ୍ରକାର ପରୀକ୍ଷା ମାଗଣା ଘୋଷଣା କରାଯାଇଛି। ତେବେ କ୍ୟାପିଟାଲ ହସ୍ପିଟାଲରେ ଅନେକ ଅତ୍ୟାଧୁନିକ ପରୀକ୍ଷା ଯନ୍ତ୍ରପାତି ଅଭାବରୁ ଗତ ୩ ମାସ ହେବ ଆରମ୍ଭ ହୋଇପାରି ନ ଥିଲା। ଏସବୁ ଅତ୍ୟାଧୁନିକ ପରୀକ୍ଷା ପାଇଁ ରାଜ୍ୟ ସରକାର ପିପିପି ମୋଡ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଟେକ୍‌ ମେଡ୍‌ ସଂସ୍ଥା ହସ୍ପିଟାଲରେ ଏହି ଅତ୍ୟାଧୁନିକ ପରୀକ୍ଷା କରିବ। ହସ୍ପିଟାଲର ରିଜିଓନାଲ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର୍‌ର ତଳ ମହଲାରେ ଏହି ପରୀକ୍ଷା କରାଯିବ। ଥାଇରଏଡ୍‌, ଏସଚ୍‌ବିଏଓ୍ଵାନ୍‌ ସି, ସିରମ୍‌ ପରୀକ୍ଷା ଭଳି ଅତ୍ୟାଧୁନିକ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଏଠାରେ ହସ୍ପିଟାଲର ନିଜସ୍ୱ ପାଥୋଲୋଜି ଚାଲୁଥିବା ବେଳେ ଏହାକୁ ପ୍ରଥମ ମହଲାକୁ ଉଠାଇ ଦିଆଯାଇଛି।

ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ବିଏମ୍‌ସି ପକ୍ଷରୁ ନିର୍ମାଣ ଚାଲିଥିବା ହାଇବ୍ରିଡ୍‌ ଟଏଲେଟ୍‌ ଏପ୍ରିଲ ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି। ଏମ୍‌ସିଏଚ୍‌ ବିଲ୍ଡିଂ ଓ ପୁରୁଣା ସ୍ତ୍ରୀ ଓ ପ୍ରସୂତି ଓ୍ଵାର୍ଡ ମଧ୍ୟରେ ଏହାର ଘର ନିର୍ମାଣ କରାଯାଇଛି। ଏଠାରେ ୧୦ଟି ହାଇବ୍ରିଡ୍‌ ଟଏଲେଟ୍‌ କାର୍ଯ୍ୟକ୍ଷମ ହେବ। ୬ଟି ପୁରୁଷ ଓ ୪ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ଶୌଚ ପାଇଁ ୫/୭ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯିବ ବୋଲି ଜଣାପଡ଼ିଛି। କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ଶୌଚାଳୟ ପାଇଁ ସମସ୍ୟା ରହିଛି। ହସ୍ପିଟାଲରେ ଏଥିପାଇଁ ଆବଶ୍ୟକ ସୁବିଧା ନ ଥିବାରୁ ହସ୍ପିଟାଲ କର୍ତୃପକ୍ଷ ଏଥିପାଇଁ ବିଏମ୍‌ସି ସହିତ ଆଲୋଚନା କରିଥିଲେ। ବିଏମ୍‌ସି ପକ୍ଷରୁ ଏଥିପାଇଁ ୧୦ଟି ଶୌଚାଳୟ ସହିତ ହାଇବ୍ରିଡ୍‌ ଟଏଲେଟ୍‌ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।

ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ‘ନିଦାନ’ ଯୋଜନାରେ ଅନେକ ଅତ୍ୟାଧୁନିକ ପରୀକ୍ଷା ଯନ୍ତ୍ରପାତି ଅଭାବରୁ ହୋଇପାରୁ ନ ଥିଲା। ତେବେ ନିକଟରେ ଏସବୁ ପରୀକ୍ଷା ପାଇଁ ପିପିପି ମୋଡରେ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ହସ୍ପିଟାଲ ଡାଏଗ୍ନୋଷ୍ଟିକ୍‌ ସେଣ୍ଟରରେ ଏହି ବ୍ୟବସ୍ଥା ହୋଇଛି। ଯାହାଫଳରେ ଲୋକମାନଙ୍କୁ ହସ୍ପିଟାଲରେ ଏହି ସୁବିଧା ମିଳିପାରିବ। ଚଳିତମାସ ଶେଷ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଥିବା ଅଧିକାର ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର