କ୍ୟାପିଟାଲ ହସ୍ପିଟାଲ ଆମ୍ବୁଲାନ୍‌ସ : ଭିଆଇପିଙ୍କ ସେବା‌ରେ ଲାଗୁଛି, ଘରୋଇ ଆମ୍ବୁଲାନ୍‌ସ ହିଁ ରୋଗୀଙ୍କ ସାହାରା

ଭୁବନେଶ୍ବର: ଦୁଇ ଦିନ ତଳେ ରାଜଧାନୀରେ ୫ ବର୍ଷର ଏକ ଶିଶୁକୁ ନେଇ ଯାଉଥିବା ଆମ୍ବୁଲାନ୍‌ସ ଭିଡ଼ରେ ଫସିବା କାରଣରୁ ଶିଶୁର ମୃତ୍ୟୁ ହେବା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। କ୍ୟାପିଟାଲ ହସ୍ପିଟାଲରେ ୪ଟି ଆମ୍ବୁଲାନ୍‌ସ ରହିଥିବା ବେଳେ କେଉଁ ପରିସ୍ଥିତିରେ ଶିଶୁର ପରିବାର ଲୋକ ଘରୋଇ ଆମ୍ବୁଲାନ୍‌ସର ସହାୟତା ଲୋଡ଼ିଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣା ଦିନ କ୍ୟାପିଟାଲ ହସ୍ପିଟାଲ ଆମ୍ବୁଲାନ୍‌ସ ସହାୟତା କାହିଁକି ଦିଆଗଲା ନାହିଁ, ତାହାକୁ ନେଇ ଅନେ‌କେ ପ୍ରଶ୍ନ ଉଠାଇଛନ୍ତି। ତେବେ କ୍ୟାପିଟାଲ ହସ୍ପିଟାଲରେ ଥିବା ଆମ୍ବୁଲାନ୍‌ସ ରୋଗୀ ନୁହେଁ, କେବଳ ଭିଆଇପିଙ୍କ ସେବାରେ ଲାଗୁଛି। ଯଦି ହସ୍ପିଟାଲର କୌଣସି ବରିଷ୍ଠ ଅଧିକାରୀ କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ଆମ୍ବୁଲାନ୍‌ସ ନେବା ପାଇଁ ଦାବି କରୁଛନ୍ତି ସେମାନଙ୍କୁ ହସ୍ପିଟାଲର ଆମ୍ବୁଲାନ୍‌ସ ଯୋଗାଇ ଦିଆଯାଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେଣୁ ବାଧ୍ୟ ହୋଇ ରୋଗୀମାନେ ହସ୍ପିଟାଲ ପରିସରରେ ଥିବା ଘରୋଇ ଆମ୍ବୁଲାନ୍‌ସ ଉପରେ ହିଁ ନିର୍ଭର କରୁଛନ୍ତି। ଘରୋଇ ଆମ୍ବୁଲାନ୍‌ସ ମାଲିକ/ଡ୍ରାଇଭରଙ୍କ ମୁହଁରୁ ଯାହା ଭଡ଼ା ବାହାରୁଛି, ତାହା ଦେବାକୁ ରୋଗୀମାନେ ବାଧ୍ୟ ହେଉଛନ୍ତି।

ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲରେ ୧ଟି ଏଏଲ୍‌ଏସ୍‌ ବା ଆଡଭାନ୍‌ସହ ଲାଇଫ ସପୋର୍ଟ ଓ ୧ଟି ବିଏଲ୍‌ଏସ୍‌ ବା ବେସିକ ଲାଇଫ୍ ସପୋର୍ଟ ସୁବିଧା ଥିବା ଆମ୍ବୁଲାନ୍‌ସ ରହିଛି। ଗୋଟିଏ ଏଏଲ୍‌ଏସ୍‌ ମୁଖ୍ୟମନ୍ତ୍ରୀ ଓ ଅନ୍ୟଟି ରାଜ୍ୟପାଳଙ୍କୁ କାରକେଡ୍‌ ପାଇଁ ସଂରକ୍ଷିତ ରହିଛି। ମାତ୍ର ଅନ୍ୟ ଦୁଇଟିରେ ଆମ୍ବୁଲାନ୍‌ସରେ ଲାଇଫ୍ ସପୋର୍ଟ ବ୍ୟବସ୍ଥା ନାହିଁ। ଫଳରେ ହସ୍ପିଟାଲରେ ୪ଟି ଆମ୍ବୁଲାନ୍‌ସ ଥାଇ ମଧ୍ୟ ରୋଗୀଙ୍କ କୌଣସି କାମରେ ଆସୁନାହିଁ। ଅପରପକ୍ଷରେ ଯେଉଁ ୨ଟି ଆମ୍ବୁଲାନ୍‌ସ ରହିଛି, ତାହାକୁ ରୋଗୀଙ୍କ ସେବାରେ ନିୟୋଜିତ ନ କରିବା ଲାଗି ହସ୍ପିଟାଲ କର୍ତୃପକ୍ଷ ଏଥିପାଇଁ ଏକ ଅଘୋଷିତ ନିର୍ଦେଶନାମା ଜାରି କରିଛନ୍ତି। ଆମ୍ବୁଲାନ୍‌ସ ଡ୍ରାଇଭର ରାତିରେ ଡ୍ୟୁଟି କରୁଛନ୍ତି ସତ, ହେଲେ ଭିଆଇପିଙ୍କ ପାଇଁ। ଅତି ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ କ୍ୟାପିଟାଲ ହସ୍ପିଟାଲର ନିଜସ୍ବ ଆମ୍ବୁଲାନ୍‌ସ ୮/୧୦ଜଣ ରୋଗୀଙ୍କୁ ସେବା ଯୋଗାଇଛି। ଚଳିତ ବର୍ଷ ଏ ପର୍ଯ୍ୟନ୍ତ କୌଣସି ରୋଗୀ ହସ୍ପିଟାଲ ଆମ୍ବୁଲାନ୍‌ସ ସେବା ପାଇ ନାହାନ୍ତି। କ୍ୟାପିଟାଲ ହସ୍ପିଟାଲରେ ମାଳମାଳ ଘରୋଇ ଆମ୍ବୁଲାନ୍‌ସ ରହିଛି। ହସ୍ପିଟାଲରେ ୩୨ଟି ଘରୋଇ ଆମ୍ବୁଲାନ୍‌ସ ରହିଥିବା ବେଳେ ରୋଗୀମାନେ ଏହା ଉପରେ ନିର୍ଭର କରୁଛନ୍ତି। ଘରୋଇ ଆମ୍ବୁଲାନ୍‌ସ ଉପରେ ଭଡ଼ା ଧାର୍ଯ୍ୟ ନେଇ କୌଣସି କଟକଣା ନାହିଁ। ହସ୍ପିଟାଲରୁ ପ୍ରତ୍ୟେକ ଦିନ ଅନେକ ରୋଗୀ ଅନ୍ୟତ୍ର ରେଫର୍‌ ହେଉଥିବାରୁ ଘରୋଇ ଆମ୍ବୁଲାନ୍‌ସ ହିଁ ଲାଭବାନ ହେଉଛନ୍ତି। କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଏକାଧିକ ‌ଜିଲ୍ଲାରୁ ଲୋକମାନେ ଆସୁଥିବା ବେଳେ ଅଧିକ ଆମ୍ବୁଲାନ୍‌ସ ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି। ମାତ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ କୌଣସି ପଦେକ୍ଷପ ଗ୍ରହଣ କରାଯାଇ ନାହିଁ।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, କ୍ୟାପିଟାଲ ହସ୍ପିଟାଲରେ ଥିବା ଆମ୍ବୁଲାନ୍‌ସ ଗଡ଼ିବା ପାଇଁ ଯେଉଁ ଇନ୍ଧନ ଲାଗୁଛି ଏଥିପାଇଁ ହସ୍ପିଟାଲ କର୍ତୃପକ୍ଷ ରୋଗୀଙ୍କଠାରୁ ଆଦାୟ କରୁଥିବା ୟୁଜର୍ସ ଫି’ରୁ ଭରଣା କରୁଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଥିଲା। ଗୋଟିଏ ପଟେ ହସ୍ପିଟାଲର ଆମ୍ବୁଲାନ୍‌ସ ରୋଗୀଙ୍କ ସେବାରେ ଲାଗୁ ନ ଥିବା ବେଳେ ଅନ୍ୟ ପଟରେ ରୋଗୀଙ୍କଠାରୁ ଆଦାୟ ଅର୍ଥରେ ଏହାର ଇନ୍ଧନ ଭରଣା କରାଯିବାକୁ ନେଇ ହଙ୍ଗାମା ହୋଇଥିଲା। ମାତ୍ର ଏବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲରେ ଆଦାୟ ହେଉଥିବା ୟୁଜର୍ସ ଫି’କୁ ବନ୍ଦ କରି ଦେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ଆମ୍ବୁଲାନ୍‌ସ ଚଳାଚଳ ପାଇଁ ସ୍ବତନ୍ତ୍ର ଭାବେ ପାଣ୍ଠି ପ୍ରଦାନ କରାଯାଉଛି। କ୍ୟାପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨ଟି ଆମ୍ବୁଲାନ୍‌ସ କାରକେଡ୍ ବ୍ୟବହାର ହେଉଛି। ଅନ୍ୟ ଦୁଇଟି ଆମ୍ବୁଲାନ୍‌ସରେ ଲାଇଫ୍ ସପୋର୍ଟ ସୁବିଧା ନାହିଁ। ହସ୍ପିଟାଲକୁ ଅଧିକ ଆମ୍ବୁଲାନ୍‌ସ ଆଣିବା ପାଇଁ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ଏପରିକି ହସ୍ପିଟାଲର ଆରକେଏସ୍‌ ବୈଠକରେ ମଧ୍ୟ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି। ଅଧିକ ଲାଇଫ୍ ସପୋର୍ଟ ଆମ୍ବୁଲାନ୍‌ସ ଆସିବା ପରେ ହିଁ ସେସବୁ ରୋଗୀଙ୍କ ସେବାରେ ନିୟୋଜିତ ହୋଇପାରିବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର