ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଅନାବଶ୍ୟକ ଅବସ୍ଥାରେ ଥିବା ରୁମ୍‌କୁ ଚିହ୍ନଟ କରାଯିବ। ସେହି ରୁମ୍‌ର ସଂପ୍ରସାରଣ କରାଯାଇ ଅତି ଜରୁରି ସେବା ପାଇଁ ବ୍ୟବହାର କରାଯିବ। ଏହାସହ ଆଇସିୟୁ ଶଯ୍ୟା ସଂଖ୍ୟା ଆହୁରି ୮ରୁ ୧୦କୁ ବଢ଼ାଯିବ। ଆଜି କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ହସ୍ପିଟାଲକୁ ପ୍ରତିଦିନ ପ୍ରାୟ ୪ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ରୋଗ ଯନ୍ତ୍ରଣାଠାରୁ ଗାଡ଼ି ପାର୍କିଂ ଯନ୍ତ୍ରଣା ବଳିଯାଉଛି। ତେଣୁ ପାର୍କିଂ ସମସ୍ୟାର ସମାଧାନ କରିବା ଲାଗି ହସ୍ପିଟାଲ ପରିସରରେ ଏକ ଭୂତଳ ପାର୍କିଂ ବ୍ୟବସ୍ଥା କରିବା ଲାଗି ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ହାସଲ କରିବା ଲାଗି ବିଦ୍ୟୁତ ବିଭାଗକୁ କୁହାଯାଇଛି। ସେହିପରି କ୍ୟାପିଟାଲ ହସ୍ପିଟାଲରେ ସମସ୍ତ ସୁପର ସ୍ପେଶାଲିଟି ଚିକିତ୍ସା ଉପଲବ୍ଧ କରିବା ଲାଗି ଏବେଠାରୁ ଭିତ୍ତିଭୂମି ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଛି। ସିଟି ସ୍କାନ ଓ ଏମ୍‌ଆରଆଇ ସେବାରେ ଟୋକନ୍‌ ବ୍ୟବସ୍ଥା କରାଯିବ। ଏବେ ଡାଏଲିସିସ ୟୁନିଟ୍‌ରେ ୨୧ଟି ଶଯ୍ୟା ଥିବା ବେଳେ ଏହାକୁ ବଢ଼ାଇବା ଉପରେ ଆଲୋଚନା କରାଯାଇଛି। 

Advertisment

ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍‌ଷ୍ଟିଚ୍ୟୁଟ୍‌ର ଶିଶୁ ବିଭାଗରେ ନିଓନାଟାଲ ଇଣ୍ଟେନ୍‌ସିଭ୍ କେୟାର ୟୁନିଟ୍‌(ଏନ୍‌ଆଇସିୟୁ) ଖୋଲିବାକୁ ନିଷ୍ପତ୍ତି ହୋଇଛି। ଯାହାଫଳରେ ଅସୁସ୍ଥ ନବଜାତକଙ୍କୁ ଅତ୍ୟାଧୁନିକ ମେସିନ୍‌ ସହାୟତାରେ ଚିକିତ୍ସା ଯୋଗାଇ ଦିଆଯିବ। ଏନ୍‌ଆଇସିୟୁ ପାଇଁ ଶିଶୁ ବିଭାଗ ପାଖରେ ଜାଗା ଚିହ୍ନଟ କରିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ହସ୍ପିଟାଲ ପରିସରରେ ସ୍ବଚ୍ଛତା ଓ ରୋଗୀଙ୍କୁ ସୁବିଧା ପ୍ରଦାନ ଉପରେ ବୈଠକରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ନିକଟରେ ରାଜ୍ୟ ସରକାର ‌ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଖାଦ୍ୟ ଦରରେ ବୃଦ୍ଧି କରିଛନ୍ତି। ତେଣୁ ରୋଗୀଙ୍କୁ ଗୁଣାତ୍ମକ ଖାଦ୍ୟ ଦିଆଯାଉଛି କି ନାହିଁ ତାହା ଉପରେ ନଜର ରଖାଯିବ। ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ଅଚାନକ ଚଢ଼ାଉ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହାସହ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ରାଜ୍ୟ ସାମାଜିକ ସୁରକ୍ଷା କୋଠା କିଭଳି ହସ୍ପିଟାଲ କାର୍ଯ୍ୟରେ ବ୍ୟବହାର ହୋଇପାରିବ ସେଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏହାସହ ଏବେ ଯେଉଁସବୁ କୋଠାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏଥିରେ ମାନବ ସମ୍ବଳ ନିଯୁକ୍ତି ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ। ଏହି ବୈଠକରେ ହସ୍ପିଟାଲର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।