‘ସଙ୍ଗୀତ ସାଧନା ଯୋଗ ସହ ସମାନ’

କ୍ୟାପିଟାଲ ହାଇସ୍କୁଲର ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ୱର: ଆଜି ୟୁନିଟ-୩, କ୍ୟାପିଟାଲ ହାଇସ୍କୁଲର ୬୭ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଯୋଗଦେଇ ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପିଲାମାନେ ଦେଶର ଭବିଷ୍ୟତ, ସେମାନେ ଶୃଙ୍ଖଳିତ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି କହିଥିଲେ। ବିଶିଷ୍ଟ ସମ୍ମାନିତ ଅତିଥି ଭାବେ ବିଧାୟକ ବିଜୟ କୁମାର ମହାନ୍ତି ବିଦ୍ୟାଳୟର ଅବଦାନକୁ ସ୍ମରଣ କରି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ଗୌରବବର୍ଦ୍ଧନ କରିବାକୁ ପରାମର୍ଶ ଦେଇଥିଲେ। ‘କାଦମ୍ବିନୀ’ ପତ୍ରିକାର ସମ୍ପାଦିକା ଡ. ଇତି ସାମନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇ ପିଲାମାନଙ୍କୁ ଶିକ୍ଷାର ମହତ୍ତ୍ୱ ବୁଝାଇବା ସହିତ ସମସ୍ତଙ୍କୁ କର୍ତ୍ତବ୍ୟ ପରାୟଣ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ପଦ୍ମଶ୍ରୀ ପ୍ରଫୁଲ୍ଲ କର ସଙ୍ଗୀତ କିପରି ନଜକୁ ଶୃଙ୍ଖଳିତ କରିପାରିବ ଓ ସଙ୍ଗୀତ ସାଧନା ଯୋଗ ସାଧନା କରିବା ସହିତ ସମାନ ବୋଲି ପିଲାମାନଙ୍କୁ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି କର୍ପୋରେଟର୍‌ ଦେବାଶିଷ ସିଟ୍‌ ଏହି ସ୍କୁଲରେ ପାଠ ପଢ଼ି କିପରି ନିଜକୁ ଗୌରବାନିତ୍ୱ ମନେ କରୁଥିଲେ ସେହି ବିଷୟରେ ପିଲାମାନଙ୍କ ସହ ଆଲୋଚନା କରିଥିଲେ। ସ୍କୁଲର ପୂର୍ବତନ ଛାତ୍ର ଓ ଜଣେ ଉଦ୍ୟୋଗପତି ଦେବାଶିଷ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାଦିନର ଅନେକ ସ୍ମୃତି ଓ ଅନୁଭୂତି ମନେ ପକାଇଥିଲେ। ଜୀବନରେ କେବେ ସ୍କୁଲକୁ ନ ଭୁଲି-ବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ରେଣୁକା ଦେବୀ ଅତିଥି ପରିଚୟ ପ୍ରଦାପ କରି ସ୍ୱାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୋନିକା ରାୟ ବାର୍ଷିକ ବିବରଣୀ ପାଠ କରିଥିଲେ। କ୍ୟାପିଟାଲ-୮୦, କ୍ୟାପିଟାଲ-୮୩ ବ୍ୟାଚ୍‌ର ଛାତ୍ରମାନେ ଓ ଅନେକ ବଦାନ୍ୟ ବ୍ୟକ୍ତି କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର