ପୂର୍ବରୁ ଇଞ୍ଜିନିୟର ଫେରିଥିଲେ, ଏବେ ଟେକ୍‌ନିସିଆନ୍‌ ଫେରିଗଲେ

୧୨ବର୍ଷ ପରେ ବି ମାମୋଗ୍ରାଫି ମେସିନ୍‌ ଭାଗ୍ୟ ଖୋଲିଲାନି

ଭୁବନେଶ୍ୱର : ଦୀର୍ଘ ୧୨ବର୍ଷ କ୍ୟାପିଟାଲ ହସ୍ପିଟାଲରେ ପଡ଼ିବା ସତ୍ତ୍ୱେ ସ୍ତନ କର୍କଟ ପାଇଁ ଚିହ୍ନଟ ଥିବା ମାମୋଗ୍ରାଫି ମେସିନ୍‌ର ଭାଗ୍ୟ ଖୋଲିଲାନି। ଯଦିଓ କିଛିମାସ ତଳେ ହସ୍ପିଟାଲ କର୍ତୃପକ୍ଷ ଏହାକୁ ଚଳାଇବା ପାଇଁ ବ୍ୟବସ୍ଥା କରିଥିଲେ। ମେସିନ୍‌ ସଜଡ଼ା ହେଲା, ଟେକ୍‌ନିସିଆନ୍‌ ମଧ୍ୟ ଆସିଲେ। ଏସବୁ ସତ୍ତ୍ୱେ ମେସିନ୍‌ ଚାଲିପାରିଲା ନାହିଁ। ମେସିନ୍‌ ଆସିବା ସମୟରେ ଇନ୍‌ଷ୍ଟେଲସନ୍‌ ଇଞ୍ଜିନିୟର ବିରକ୍ତରେ ଫେରି ଯାଇଥିଲେ ଏବେ ମେସିନ୍‌ ଚଳାଇବାକୁ ଆସିଥିବା ଟେକ୍‌ନିସିଆନ୍‌ ମଧ୍ୟ ଫେରି ଯାଇଛନ୍ତି। ଫଳରେ କ୍ୟାପିଟାଲ ହସ୍ପିଟାଲରେ ଅଳ୍ପ ଦାମ୍‌ରେ ସ୍ତନ କର୍କଟ ନିରୂପଣ ବ୍ୟବସ୍ଥା ମଧ୍ୟ ଏହା ସହିତ ବହୁତ ପଛକୁ ଠେଲି ହୋଇଯାଇଛି।

୨୦୦୫ ମସିହାରେ ନର୍ଗିସ ଦତ୍ତ ଫାଉଣ୍ଡେସନ୍‌ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲକୁ ଦାନ ସୂତ୍ରରେ ମିଳିଥିଲା ମାମୋଗ୍ରାଫି ମେସିନ୍‌। ଏହି ମେସିନ୍‌ ଜରିଆରେ ସ୍ତନ କର୍କଟ ରୋଗର ପରୀକ୍ଷା କରାଯାଇଥାଏ। ମାତ୍ର ସ୍ୱାସ୍ଥ୍ୟ ବିଭାଗ ଓ ହସ୍ପିଟାଲ କର୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇପାରି ନ ଥିଲା। ଏହି ମେସିନ୍‌ ଲଗାଇବାକୁ ମୁମ୍ବାଇରୁ ଜଣେ ଇଞ୍ଜିନିୟର ଆସିଥିବା ବେଳେ ଓଡ଼ିଶାରେ ୩ ଦିନ ରହିଥିଲେ ହେଁ ତାଙ୍କୁ କୌଣସି ପ୍ରକାର ସହାୟତା ପ୍ରଦାନ କରାଗଲା ନାହିଁ। ଶେଷରେ ସେ ବିରକ୍ତ ହୋଇ ମୁମ୍ବାଇ ପଳାଇଥିଲେ। ସେହିଦିନଠାରୁ ହସ୍ପିଟାଲର ପାଥୋଲାବ୍‌ ଭିତରେ ଲକ୍ଷାଧିକ ଟଙ୍କାର ଏହି ଦାମୀ ମେସିନ୍‌ ପଡ଼ି ରହିଥିଲା। ଏଥିପାଇଁ ଅନେକ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏକାଧିକ ନିର୍ଦେଶକ ହସ୍ପିଟାଲର ଦାୟିତ୍ୱ ନେଇଥିଲେ ହେଁ କେହି ଏହାକୁ ଚଳାଇବା ପାଇଁ ଉଦ୍ୟମ କରି ନ ଥିଲେ। କେତେବେଳେ କହିଥିଲେ ଚଳାଇବାକୁ ଟେକ୍‌ନିସିଆନ୍‌ ନାହାନ୍ତି ତ ଆଉ କେତେବେଳେ ପୁରୁଣା ମେସିନ୍‌ ଆଉ ଚାଲି ପାରିବନି। ଦାନ ସୂତ୍ରରେ ମିଳିଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଏହଥିପାଇଁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇ ନ ଥିଲା।

ତେବେ ଗତ ମେ ମାସରେ ହସ୍ପିଟାଲ କର୍ତୃପକ୍ଷ ମାମୋଗ୍ରାଫି ମେସିନ୍‌କୁ ଚଳାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ। ମେସିନ୍‌କୁ ସଜାଡ଼ିଯିବା ପରେ ଏହାକୁ ଏକ୍ସ-ରେ ରୁମ୍‌ ନିକଟରେ ଚଳାଇବାକୁ ନିଷ୍ପତ୍ତି ହୋଇଥିଲା। ସକାଳ ୮ଟାରୁ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ଏହା କାମ କରିବା ସହିତ ଏଥିପାଇଁ ଏସ୍‌ସିବିରୁ ଜଣେ ମହିଳା ଟେକ୍‌ନିସିଆନ୍‌ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ଏତେସବୁ ଆଡ଼ମ୍ବର ପରେ ମେସିନ୍‌ ଚଳାଇବା ସମୟରେ ହିଁ ସମସ୍ୟା ଆରମ୍ଭ ହୋଇଥିଲା। ଏହି ମେସିନ୍‌ ବହୁତ ପୁରୁଣା ହୋଇଥିବାରୁ ଏଥିପାଇଁ ଆବଶ୍ୟକ ପଡ଼ୁଥିବା କ୍ୟାସେ୍‌ଟ ପାଇଁ ନାକେଦମ୍‌ ହୋଇଥିଲେ ହସ୍ପିଟାଲ କର୍ତୃପକ୍ଷ। କ୍ୟାସେଟ୍‌ ପାଇଁ କଟକ ସମେତ ଦିଲ୍ଲୀ ଓ ମୁମ୍ବାଇରୁ ଏହାକୁ ଆଣିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ଉଦ୍ୟମ କରିଥିଲେ। ଏଥିପାଇଁ ବିଭିନ୍ନ ସଂସ୍ଥା ସହ ଯୋଗାଯୋଗ ହୋଇଥିଲା। କିନ୍ତୁ ଏଥିପାଇଁ କ୍ୟାସେଟ୍‌ ମିଳି ନ ଥିଲା। ଫଳରେ ୩/୪ମାସ ପର୍ଯ୍ୟନ୍ତ ଟେକ୍‌ନିସିଆନ୍‌ ଜଣକ ହସ୍ପିଟାଲରେ ବସିବା ପରେ ଏବେ ଏସ୍‌ସିବି ଫେରି ଯାଇଥିବା ଜଣାପଡ଼ିଛି। ଏହାପରେ କ୍ୟାପିଟାଲ ହସ୍ପିଟାଲରେ ମାମୋଗ୍ରାଫି ମେସିନ୍‌ ଚଳାଇବା ଆଶା ମଉଳି ଯାଉଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସଙ୍କ ସୂଚନା ଅନୁଯାୟୀ, ହସ୍ପିଟାଲରେ ଥିବା ମାମୋଗ୍ରାଫି ମେସିନ୍‌ ବହୁତ ପୁରୁଣା। ବହୁତ ଦିନ ପଡ଼ି ରହିବା ପରେ ଏହାକୁ ଚଳାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ତେବେ ଏଥିପାଇଁ ଆବଶ୍ୟକ ହେଉଥିବା କ୍ୟାସେଟ୍‌ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ବିଭିନ୍ନ ସଂସ୍ଥା ସହ ଯୋଗାଯୋଗ ପରେ ମଧ୍ୟ ଏଥିପାଇଁ କ୍ୟାସେଟ୍‌ ଯୋଗାଡ଼ିବା ସମ୍ଭବପର ହୋଇପାରି ନାହିଁ। ତେଣୁ ଏସ୍‌ସିବିରୁ ଆସିଥିବା ଟେକ୍‌ନିସିଆନ୍‌ ଏବେ ଫେରି ଯାଇଛନ୍ତି। ନୂତନ ମେସିନ୍‌ ପାଇଁ ରାଜ୍ୟ ଔଷଧ ନିଗମକୁ ଚିଠି ଦିଆଯାଇଛି। ଯଦି ନିଗମ କର୍ତୃପକ୍ଷ ହସ୍ପିଟାଲକୁ ନୂତନ ମେସିନ୍‌ ଦିଅନ୍ତି ତେବେ ସ୍ତନ କର୍କଟର ପରୀକ୍ଷା ଆରମ୍ଭ ହେବ ବୋଲି ଡା.ଦାସ କହିଛନ୍ତି।

ଗୋଟିଏ ପଟେ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂତନ ମେସିନ୍‌ର ବ୍ୟବସ୍ଥା କରାଯାଇଛି। କିନ୍ତୁ ହସ୍ପିଟାଲରେ ଥିବା ମେସିନ୍‌କୁ କାର୍ଯ୍ୟକ୍ଷମ କରାଯାଇପାରୁ ନାହିଁ। ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲରେ ଚକ୍ଷୁ ଚିକିତ୍ସା ପାଇଁ ଏକ ଦାମୀ ମେସିନ୍‌ର ଶୁଭାରମ୍ଭ କରିଛନ୍ତି। ମାତ୍ର ପୂର୍ବରୁ ଥିବା ଦାମୀ ମେସିନ୍‌ କାର୍ଯ୍ୟକ୍ଷମ ନ ହୋଇ ସେଭଳି ପଡ଼ି ରହିଛି। ଯାହାକି ହସ୍ପିଟାଲ କର୍ତୃପକ୍ଷ ଓ ସ୍ୱାସ୍ଥ୍ୟ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର