ବିବାଦରେ କ୍ୟାପିଟାଲ ହସ୍ପିଟାଲ : ପ୍ରସୂତିଙ୍କ ଖାଦ୍ୟରେ ପୋକ

ଭୁବନେଶ୍ବର: ପ୍ରସୂତିଙ୍କ ଖାଦ୍ୟରେ ପୋକ। ଏଭଳି ଅଭାବନୀୟ ଘଟଣା ଘଟିଛି କ୍ୟାପିଟାଲ ହସ୍ପିଟାଲରେ। ଏହି ଘଟଣା ନଜରକୁ ଆସିବା ପରେ ହସ୍ପିଟାଲରେ ହଇଚଇ ସୃଷ୍ଟି ହୋଇଥିଲା। କିଭଳି ପରିସ୍ଥିତିରେ ଏହି ଖାଦ୍ୟ ପ୍ରସୂତିଙ୍କୁ ଦିଆଗଲା ତାହାର ତଦନ୍ତ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ, କାକଟପୁର ନୂଆଗଡ଼ ଅଞ୍ଚଳର ଟୁକୁନା ସାହୁ ପତ୍ନୀଙ୍କ ପ୍ରସବ ପାଇଁ ଗତକାଲି କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ଆଜି ସକାଳେ ତାଙ୍କୁ ଜଳଖିଆରେ ଚୁଡ଼ାଉପମା ଦିଆଯାଇଥିବା ବେଳେ ତହିଁରେ ଏକ ପୋକ ପଡ଼ିଥିବା ଟୁକୁନା ଦେଖିଥିଲେ। ସଙ୍ଗେ ସଙ୍ଗେ ସେ ଖାଦ୍ୟ ବାଣ୍ଟୁଥିବା ରୋଷେଇ କର୍ମଚାରୀଙ୍କୁ ଡାକି ପୋକ ପଡ଼ିଥିବା ନେଇ ସୂଚନା ଦେଇଥିଲେ। ମାତ୍ର ସଂପୃକ୍ତ କର୍ମଚାରୀ ଜଣକ କିଛି ଜାଣି ନ ଥିବା କହିଥିଲେ। ପ୍ରସୂତି ଜଣକ ମଧ୍ୟ ଏହି ଖାଦ୍ୟକୁ ଗ୍ରହଣ କରି ନ ଥିଲେ। ପରେ ରୋଗୀଙ୍କ ସଂପର୍କୀୟ ହସ୍ପିଟାଲ ଅଧୀକ୍ଷକଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଛନ୍ତି। କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ଡା.ନାରାୟଣ ସେଠୀ ଗଣମାଧ୍ୟମକୁ କହିଛନ୍ତି ଯେ, ଖାଦ୍ୟରେ ପୋକ ଆସିବା ଘଟଣାର ତଦନ୍ତ କରାଯିବ। ଏଥିପାଇଁ ସେ ରୋଷଶାଳା ଓ ସ୍ତ୍ରୀ ଓ ପ୍ରସୂତି ୱାର୍ଡକୁ ଗସ୍ତ କରି ଏହାର ଅନୁଧ୍ୟାନ କରିଛନ୍ତି। କେଉଁଠି ଓ କିଭଳି ଭାବେ ଖାଦ୍ୟରେ ପୋକ ବାହାରିଲା ସେ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡା.ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର