ବିବାଦରେ କ୍ୟାପିଟାଲ ହସ୍ପିଟାଲ: ଏଚ୍‌ଆଇଭି ଆକ୍ରାନ୍ତଙ୍କ ଡାଏଲିସିସ୍‌ କଲେନି

ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ତନାଘନା, ସ୍ବତନ୍ତ୍ର ଡାଏଲିସିସ୍ ମେସିନ୍‌ ସଂରକ୍ଷିତ ପାଇଁ ଯୋଜନା

ଭୁବନେଶ୍ବର: ଏଚ୍‌ଆଇଭି ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଡାଏଲିସିସ୍ ପାଇଁ ବିବାଦ ଘଟଣା ସମ୍ପର୍କରେ ଆଜି ସ୍ବାସ୍ଥ୍ୟ ବିଭାଗର ତନାଘନା ଆରମ୍ଭ ହୋଇଛି। ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ)ର ବରିଷ୍ଠ ଅଧିକାରୀମାନେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି କର୍ତୃପକ୍ଷଙ୍କ ସହିତ କବାଟକିଳା ଆଲୋଚନା କରିଛନ୍ତି। କେଉଁ ପରିସ୍ଥିତିରେ ସଂପୃକ୍ତ ଆକ୍ରାନ୍ତଙ୍କୁ ଆଡ୍‌ମିସନ୍ କରିବାକୁ ମନା କରାଗଲା ଓ ଆଗକୁ ଏଭଳି ଘଟଣା ପାଇଁ କି ପଦକ୍ଷେପ ଗ୍ରହଣ କରାଯିବ ତାହା ସଂପର୍କରେ ଆଲୋଚନା ହୋଇଛି। ଏପରିକି ଆଗାମୀ ଦିନରେ ହସ୍ପିଟାଲରେ ଥିବା ଡାଏଲିସିସ୍ ସେଣ୍ଟରରେ ସ୍ବତନ୍ତ୍ର ଭାବେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ଏକ ମେସିନ୍‌ ସଂରକ୍ଷଣ ରଖିବା ପାଇଁ ଯୋଜନା ହୋଇଥିବା ସୂଚନା ମିଳିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ଅଞ୍ଚଳର ଜଣେ ବ୍ୟକ୍ତି ଆକ୍ରାନ୍ତଙ୍କ କିଡ୍‌ନି ସମସ୍ୟା ଯୋଗୁଁ ସେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ୍ ହେଉଥିଲେ। ତେବେ ପରବର୍ତୀ ସମୟରେ ତାଙ୍କୁ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜକୁ ରେଫର କରି ଦିଆଯାଇଥିଲା। ମାତ୍ର ଏସ୍‌ସିବିରେ ମେସିନ୍‌ ଖରାପ ରହିଥିବା କର୍ତୃପକ୍ଷ ଦର୍ଶାଇବା ପରେ ଆକ୍ରାନ୍ତଙ୍କ ପରିବାର ଲୋକ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ୩ଦିନ ତଳେ ଆକ୍ରାନ୍ତ ଜଣକ ଡାଏଲିସିସ୍‌ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଆବେଦନ କରିଥିଲେ ହେଁ ତାଙ୍କୁ ଅନୁମତି ମିଳି ନ ଥିଲା। ଡାଏଲିସିସ୍‌ ପାଇଁ ମନା କରାଯିବା ସଂପର୍କରେ ତାଙ୍କ ପରିବାର ଲୋକ ଓସାକ୍ସକୁ ସୂଚନା ଦେଇଥିଲେ। କ୍ୟାପିଟାଲ ହସ୍ପିଟାଲରୁ ନିରାଶ ହେବା ପରେ ଆକ୍ରାନ୍ତ ଜଣକ ରାଜଧାନୀର ଏକ ଘରୋଇ ଡାକ୍ତରଖାନାକୁ ଡାଏଲିସିସ୍ ପାଇଁ ଯାଇଥିଲେ। ସେଠାରେ ତାଙ୍କୁ ଏଥିପାଇଁ ୨୦ହଜାର ଟଙ୍କା ଖର୍ଚ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା। ଏତେ ଟଙ୍କା ଖର୍ଚ କରିବା ପାଇଁ ତାଙ୍କ ପକ୍ଷରେ ସମ୍ଭବ ନ ଥିବାରୁ ସେଠାରୁ ଫେରି ଆସିଥିଲେ। ପରେ ବାଧ୍ୟ ହୋଇ ଗତକାଲି ପୁନର୍ବାର କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ।

ଆକ୍ରାନ୍ତ ଜଣକ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ସମାନ ଢଙ୍ଗରେ ଆଡମିସନ୍ କରିବା ଲାଗି ମନା କରାଯାଇଥିଲା। କାଜୁଆଲ୍‌ଟିରେ ଥିବା ଡାକ୍ତର ତାଙ୍କୁ ଡାଏଲିସିସ୍‌ କେନ୍ଦ୍ରଠାରୁ ଅନୁମତି ଆଣିବା ପାଇଁ କହିଥିଲେ। ଏଭଳି ଭାବେ ହସ୍ପିଟାଲରେ ଦୌଡ଼ିଥିଲେ ଆକ୍ରାନ୍ତଙ୍କ ପରିବାର ଲୋକ। ତେବେ ବୁଝାଶୁଝା କରିବା ପରେ ତାଙ୍କୁ ଆଡମିସନ୍ ମିଳିଥିଲା। ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ତେବେ ପୂର୍ବରୁ ଆଡମିସନ୍ ପାଇଁ ମନା କରାଯିବା ଘଟଣାରେ ଆଜି ଓସାକ୍ସର ପ୍ରକଳ୍ପ ନିର୍ଦେଶିକା ଗୁହା ପୁନମ ତାପସ କୁମାର, ଏପିଡି ଡା. ସଂଯୁକ୍ତା ସାହୁ, ଯୁଗ୍ମ ନିର୍ଦେଶକ(ଏଚ୍‌ଆଇଭି-ଏଡ୍‌ସ) ଡା. ଅଂଜନା ପଣ୍ଡା, ରଂଜନା ପଣ୍ଡା, ଶୁଭେନ୍ଦୁ ପଟ୍ଟନାୟକ ଓ ଲଲାଟେନ୍ଦୁ ନାୟକ ପ୍ରମୁଖ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ହସ୍ପିଟାଲର ବରିଷ୍ଠ ଅଧିକାରୀଙ୍କୁ ସହିତ ଆଲୋଚନା କରିଥିଲେ। ହସ୍ପିଟାଲରେ ପିପିପି ମୋଡ୍‌ରେ ଡାଏଲିସିସ୍ କରାଯାଉଥିବା ବେଳେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ରଭାବେ ଏକ ଡାଏଲିସିସ୍ ମେସିନ୍ ସଂରକ୍ଷିତ ରଖିବା ପାଇଁ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଆଲୋଚନା କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ସୂଚନା ମିଳିଛି। ଏ ସଂପର୍କରେ ଓସାକ୍ସର ପ୍ରକଳ୍ପ ନିର୍ଦେଶିକା ଗୁହା ପୁନମ ତାପସ କୁମାରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ, କୌଣସି ଉତ୍ତର ମିଳିପାରି ନାହିଁ।

ସମ୍ବନ୍ଧିତ ଖବର