କ୍ୟାପିଟାଲ ହସ୍ପିଟାଲ : ନୂଆବର୍ଷରୁ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ

ଅନ୍ୟଟି ଏମ୍‌ସରେ ଖୋଲିବାକୁ ଯୋଜନା

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ପରିସରରେ ନୂଆବର୍ଷରେ କାର୍ଯ୍ୟକ୍ଷମ ହେବ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ। ହସ୍ପିଟାଲ ପକ୍ଷରୁ ଲେପ୍ରୋସି କାର୍ଯ୍ୟାଳୟ ନିକଟରେ ଗୃହ ଯୋଗାଇ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଆବଶ୍ୟକ ସରଞ୍ଜାମ ପ୍ରାରମ୍ଭିକ ପର୍ଯ୍ୟାୟରେ ହସ୍ପିଟାଲ ପକ୍ଷରୁ ଯୋଗାଇ ଦିଆଯାଇଥିବା ବେଳେ କାର୍ଯ୍ୟକ୍ଷମ ହେବା ପରେ ବିଏମସି ସମସ୍ତ ସହାୟତା ପ୍ରଦାନ କରିବ ବୋଲି ଜଣାପଡ଼ିଛି। ରାଜଧାନୀରେ ଦିନକୁ ଦିନ ଲୋକସଂଖ୍ୟାରେ ବୃଦ୍ଧି ହୋଇଛି। ଏହାସହ ବହୁ ସଂଖ୍ୟାରେ ଘରୋଇ ହସ୍ପିଟାଲ ଗଢ଼ି ଉଠିଛନ୍ତି। ତେଣୁ କେବଳ ରାଜଧାନୀ ନୁହେଁ, ଅନ୍ୟ ଜିଲ୍ଲାରୁ ବହୁ ସଂଖ୍ୟାରେ ଲୋକ ରାଜଧାନୀକୁ ଚିକିତ୍ସା ପାଇଁ ଆସୁଛନ୍ତି। ରାଜଧାନୀରେ ୩ଟି ନିର୍ବାଚନମଣ୍ଡଳୀ ରହିଛି। ମାତ୍ର ଜନ୍ମ/ମୃତ୍ୟୁର ପଞ୍ଜୀକରଣ ପାଇଁ ଗୋଟିଏ କାର୍ଯ୍ୟାଳୟ ରହିଛି। ‌ଏହା ଉପରେ ଯଥେଷ୍ଟ ଚାପ ପଡ଼ୁଛି। ତେଣୁ ଏହି ଚାପକୁ ଦୂର କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀରେ ଆଉ ଦୁଇଟି କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗୋଟିଏ କ୍ୟାପିଟାଲ ହସ୍ପିଟାଲରେ ଓ ଅନ୍ୟଟି ଏମ୍‌ସରେ। ଏମ୍‌ସକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କ ପାଇଁ ମେଶ୍ଢାଶାଳସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ରରେ ପଞ୍ଜୀକରଣ କରାଯାଉଛି। ତେଣୁ ଦ୍ବିତୀୟ କାର୍ଯ୍ୟାଳୟଟି ଏମ୍‌ସରେ ଖୋଲିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି।

ସୁଧୁରୁନି ପାଥୋଲୋଜି ସଂସ୍ଥା
କ୍ୟାପିଟାଲ ହସ୍ପିଟାଲରେ ହାଇଏଣ୍ଡ ପାଥୋଲୋଜି ପରୀକ୍ଷାରେ ସୁଧାର ଆସୁନାହିଁ। କେତେବେଳେ ରିପୋର୍ଟ ଭୁଲଭାଲ ତ ଆଉ କେତେବେଳେ ଠିକ୍ ସମୟରେ ରିପୋର୍ଟ ମିଳୁନି। ଏଭଳି ଅଭିଯୋଗ ବଢ଼ି ଚାଲିଥିଲେ ହେଁ, ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ। ପିପିପି ‌ମୋଡରେ ସଂସ୍ଥା କାର୍ଯ୍ୟ କରୁଥିବା ବେଳେ ରାଜ୍ୟ ସରକାରଙ୍କ ସଂସ୍ଥା ସହିତ ଚୁକ୍ତି ହୋଇଥିବା ଯୋଗୁଁ ହସ୍ପିଟାଲ କର୍ତୃପକ୍ଷ କେବଳ ଜାଗା ଯୋଗାଇ ଦେଇଛନ୍ତି। ଏପରିକି ସଂସ୍ଥାର କାର୍ଯ୍ୟଶୈଳୀରେ ପରିବର୍ତନ କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲା ବେଳେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସଂସ୍ଥା ପକ୍ଷରୁ ୧୫ ପ୍ରକାର ପରୀକ୍ଷା ନେଇ ନିଷ୍ପତି ହୋଇଥିଲା ବେଳେ ୬ଟି ପରୀକ୍ଷା କରାଯାଉଛି। ଏଚ୍‌ବିଏ୧ସି, ଟି୩, ଟି୪ ଏବଂ ଟିଏସଏଚ୍ ପରୀକ୍ଷା ହେଉଥିବା ବେଳେ ଏହାବ୍ୟତୀତ ବ୍ଲଡ ଓ ୟୁରିନ କଲଚର, ଏଫଏନ୍‌ଏସି, ପିଏପି ସ୍ମିଅର ଆଦି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ହେଉନାହିଁ। ସେହିପରି ଥାଲାସେମିଆ ରୋଗୀଙ୍କ ପାଇଁ ଆବଶ୍ୟକ ହେଉଥିବା ଫେରିଟିନ୍‌, ଇଲେକ୍ଟ୍ରୋଫ୍ଲେରେସିସ, ଫାକ୍ଟର ଆନାଲିସିସ ପରୀକ୍ଷା ମଧ୍ୟ ହେଉନାହିଁ।

ସମ୍ବନ୍ଧିତ ଖବର