କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍କଟ କେନ୍ଦ୍ର: ଜନସ୍ବାସ୍ଥ୍ୟ ଲାବୋରେଟାରିକୁ ପ୍ରଶାସନିକ ଅନୁମୋଦନ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ କର୍କଟ ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ଚିକିତ୍ସା। ହସ୍ପିଟାଲରେ ପ୍ରତିଷ୍ଠା ହେବ କ୍ୟାନସର କେୟାର ସେଣ୍ଟର ଓ ଜନସ୍ବାସ୍ଥ୍ୟ ଲାବୋରେଟାରି। ଏଥିପାଇଁ ମୋଟ ୭୦କୋଟି ଟଙ୍କା ଖର୍ଚ ହେବ। ଧାର୍ଯ୍ୟ ସମୟ ଭିତରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଗତ ୨୦ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଶାସନିକ ଅନୁମୋଦନ ଦିଆଯାଇଛି।

ହସ୍ପିଟାଲ ପରିସରରେ ଅତ୍ୟାଧୁନିକ କର୍କଟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଦୀର୍ଘଦିନରୁ ସରକାରୀ ନିଷ୍ପତ୍ତି ହୋଇଥିଲା। ଜାଗା ଚିହ୍ନଟ କାର୍ଯ୍ୟ ଶେଷ ହୋଇଥିଲେ ହେଁ ବିଭିନ୍ନ କାରଣ ପାଇଁ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ଏବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୬ମହଲା ବିଶିଷ୍ଟ କର୍କଟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁମୋଦନ ଦିଆଯାଇଛି। ଏଥିପାଇଁ ପ୍ରାୟ ୫୦କୋଟି ଟଙ୍କା ଖର୍ଚ ହେବ। ହସ୍ପିଟାଲରେ ଏବେ ଡେ କେୟାର କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରୁ ରୋଗୀମାନ‌େ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ଆଗକୁ କର୍କଟ କେନ୍ଦ୍ର ପ୍ରତିଷ୍ଠା ହେବା ପରେ ରୋଗୀଙ୍କ ଅନ୍ୟ ହସ୍ପିଟାଲ ଉପରେ ନିର୍ଭରତା କମିବ ବୋଲି ଆଶା କରାଯାଉଛି।

ସେହିପରି ହସ୍ପିଟାଲରେ ଏକ ରାଜ୍ୟସ୍ତରୀୟ ଜନସ୍ବାସ୍ଥ୍ୟ ଲା ବୋରେଟାରି ପ୍ରତିଷ୍ଠା କରାଯିବାକୁ ମଧ୍ୟ ଅନୁମୋଦନ ମିଳିଛି। ଏଥିପାଇଁ ୨୦.୩୫ କୋଟି ଟଙ୍କା ଖର୍ଚ କରାଯିବ। ୫ମହଲା ବିଶିଷ୍ଟ ଏହି ଲାବୋରେଟାରିରେ ଭାଇରୋ‌ଲୋଜି, ପାଥୋଲୋଜି, ବାଇଓକେମିଷ୍ଟ୍ରି ଓ ଆଇଡିନ୍ ଭଳି ବିଭିନ୍ନ ପରୀକ୍ଷାର ସୁବିଧା ରହିବ। ଯେହେତୁ କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଛି ଓ ରୋଗୀମାନଙ୍କ ବିଭିନ୍ନ ପରୀକ୍ଷାର ଆବଶ୍ୟକତା ପଡ଼ୁଛି। ଏ ଦୃଷ୍ଟିରୁ ଲାବୋରେଟାରି ପାଇଁ ନମୁନା ପରୀକ୍ଷ‌ଣରେ କୌଣସି ସମସ୍ୟା ରହିବ ନାହିଁ। ସେମାନଙ୍କ ନମୁନାକୁ ମଧ୍ୟ ସଂରକ୍ଷଣ କରାଯାଇ ପାରିବ। ଏହାସହ ଜିଲ୍ଲାସ୍ତରରୁ ମଧ୍ୟ ଆବଶ୍ୟକ ପଡ଼ିଲେ ବିଭିନ୍ନ ନମୁନାକୁ ରାଜ୍ୟସ୍ତରୀୟ ଲାବୋରେଟାରିରେ ପରୀକ୍ଷା କରାଯାଇ ପାରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର