କ୍ୟାପିଟାଲ ହସ୍ପିଟାଲ: ସିବିସି ମେସିନ୍ ଖରାପ, ହୋଇପାରୁନି ରକ୍ତ ପରୀକ୍ଷା

୧ହଜାର କ୍ଷମତା ବିଶିଷ୍ଟ ମେସିନ୍ ଆସୁଛି: ନିର୍ଦ୍ଦେଶକ, ୫ଶହ ଲୋକ ବିଶିଷ୍ଟ ଟିକେଟ୍ କାଉଣ୍ଟର୍‌ ପ୍ରସ୍ତୁତ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଅଚଳ ହୋଇପଡ଼ିଛି ସିବିସି (କମ୍ପ୍ଲିଟ୍‌ ବ୍ଲଡ୍ କାଉଣ୍ଟ) ମେସିନ୍। ଦୁଇ ଦୁଇଟି ମେସିନ୍ ରହିଥିଲେ ହେଁ ଲୋକମାନେ ସେବା ପାଇପାରୁ ନାହାନ୍ତି। ସରକାରୀ ହସ୍ପିଟାଲରେ ରୋଗୀମାନଙ୍କୁ ସମସ୍ତ ପରୀକ୍ଷାନିରୀକ୍ଷା (ଇନଭେଷ୍ଟିଗେସନ୍) ଦେୟମୁକ୍ତ କରାଯାଇଛି। ମାତ୍ର ଠିକ୍ ଭାବେ ମେସିନ୍ କାମ କରୁ ନଥିବାରୁ ରୋଗୀମାନେ ଏହାର ଫାଇଦା ନେଇପାରୁ ନାହାନ୍ତି।
କ୍ୟାପିଟାଲ ହସ୍ପିଟାଲରେ ରହିଛି ସିବିସି ମେସିନ୍। ଏଥିରେ ହିମୋଗ୍ଲୋବିନ୍, ଏସିନଫୋଲିଆ, ପ୍ଲେଟଲେଟ୍‌ ଓ ଲିମ୍ପୋସାଇଡ୍‌ ଭଳି ପରୀକ୍ଷା ‌ଜଣାପଡ଼ିଥାଏ। ହେଲେ ଗୋଟିଏ ସିବିସି ମେସିନ୍ ଖରାପ ହୋଇଯାଇଛି। ଆଉ ଗୋଟିଏ ମେସିନ୍ ରହିଥିଲେ‌ ହେଁ ଏହାକୁ କେବଳ ୱାର୍ଡ, ଏସ୍ଏନ୍‌ସିୟୁ ଓ ଇନଡୋର୍‌ ରୋଗୀମାନଙ୍କ ପାଇଁ ସଂରକ୍ଷିତ କରାଯାଇଛି।

ଏଭଳି ପରିସ୍ଥିତିରେ ଓପିଡିରେ ଡାକ୍ତର ଯେଉଁ ରୋଗୀଙ୍କୁ ସିବିସି କରିବା ପାଇଁ ଲେଖୁଛନ୍ତି, ସେମାନଙ୍କୁ ଏହି ସେବା ମିଳିପାରୁ ନାହିଁ। ବାଧ୍ୟ ହୋଇ ରୋଗୀମାନଙ୍କୁ ଘରୋଇ ଡାଏଗ୍ନୋଷ୍ଟିକ୍‌ ସେଣ୍ଟର୍‌ ଉପରେ ନିର୍ଭର କରିବାକୁ ପଡ଼ୁଛି। କେବେ ଖରାପ ମେସିନ୍ ସଜଡ଼ାଯିବ ଓ ରୋଗୀମାନେ ସେବା ପାଇବେ, ତାହାର ବି ସ୍ପଷ୍ଟ ଚିତ୍ର ମିଳି ପାରୁ ନାହିଁ। ହସ୍ପିଟାଲରେ ଏବେ ରୋଗୀଙ୍କ ସଂଖ୍ୟା ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ଅତି ଜରୁରୀ ସେବା ଉପଲବ୍ଧ ନ ହେବାକୁ ନେଇ ରୋଗୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

କ୍ୟାପିଟାଲ ହସ୍ପିଟାଲର ନି‌ର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ହସ୍ପିଟାଲରେ ୨୫୦ କ୍ଷମତା ବିଶିଷ୍ଟ ୨ଟି ମେସିନ୍ ରହିଛି, ଯାହାକି ବହୁତ ପୁରୁଣା। ସେଗୁଡ଼ିକ ଉପରେ ଅଧିକ ଚାପ ପଡ଼ିବା ଫଳରେ ମେସିନ୍ ଖରାପ ହେଉଛି। ତଥାପି ଏବେ ଗୋଟିଏ ମେସିନ୍ କାର୍ଯ୍ୟ କରୁଛି ଓ ଏହାକୁ ଇନଡୋର୍‌ରେ ଥିବା ରୋଗୀମାନଙ୍କ ପାଇଁ ବ୍ୟବହାର କରାଯାଉଛି। ଅପରପକ୍ଷରେ ଖୁବ୍‌ଶୀଘ୍ର ହସ୍ପିଟାଲକୁ ୧ହଜାର କ୍ଷମତା ବିଶିଷ୍ଟ ସିବିସି ମେସିନ୍ ଆସୁଛି। କ୍ୟାପିଟାଲ ହସ୍ପିଟାଲ ପାଇଁ ସ୍ବତନ୍ତ୍ର ଭାବେ ଏହି ମେସିନ୍ କିଣିବା ଲାଗି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଔଷଧ ନିଗମ ପକ୍ଷରୁ ଏହି ମେସିନ୍ ଯୋଗାଇ ଦିଆଯିବ। ତେଣୁ ଖୁବ୍‌ଶୀଘ୍ର ଏହି ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଥିବା ଡା. ସାହୁ କହିଛନ୍ତି।

୫ଶହ ଲୋକ ବିଶିଷ୍ଟ ଟିକେଟ୍ କାଉଣ୍ଟର୍‌ ପ୍ରସ୍ତୁତ
କ୍ୟାପିଟାଲ ହସ୍ପିଟାଲରେ ଏକ ନୂତନ ଟିକେଟ୍ କାଉଣ୍ଟର ଉଦ୍‌ଘାଟନ ଅପେକ୍ଷାରେ ରହିଛି। ପୂର୍ବରୁ ଯେଉଁ କାଉଣ୍ଟର୍‌ ରହିଥିଲା, ତାହା ବେଶ୍ ସଂକୀର୍ଣ୍ଣ। ଏଥିରେ ଆନୁଷଙ୍ଗିକ ସୁବିଧାର ମଧ୍ୟ ଅଭାବ ରହିଥିଲା। ତେଣୁ ଏହାର ନିକଟକୁ ଲାଗି ଏକ ନୂତନ କାଉଣ୍ଟର୍‌ ନିର୍ମାଣ କରାଯାଇଛି। ଏଥିରେ ସମୁଦାୟ ୫ଟି କାଉଣ୍ଟର୍‌ ରହିଛି ଓ ୫ଶହ‌ ଲୋକ ଏକକାଳୀନ ଟିକେଟ୍ କାଟିବାର ବ୍ୟବସ୍ଥା ରହିଥିବା କହିଛନ୍ତି ନିର୍ଦ୍ଦେଶକ ଡା. ସାହୁ। ଏହାସହ କାଉଣ୍ଟର୍ ପରିସରରେ ଲୋକମାନଙ୍କ ପାଇଁ ପିଇବା ପାଣିଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି। ପୂର୍ବରୁ ଯେଉଁ ଟିକେଟ୍ କାଉଣ୍ଟର ରହିଛି, ତାହା କାଜୁଆଲ୍‌ଟିର ଏକ ଏକ୍ସଟେନସନ୍ ଭାବେ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ହୋଇଛି। ଏଥିରେ କେତୋଟି ଶଯ୍ୟା ରହିବ, ତାହା ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଫଳରେ କାଜୁଆଲ୍‌ଟିରେ ହେଉଥିବା ଗହଳି କମିପାରିବ ବୋଲି ଡା. ସାହୁ କହିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟ ଟିକେଟ୍ କାଉଣ୍ଟରକୁ ବାଦ୍ ଦେଲେ ଶିଶୁ ୱାର୍ଡ ଓ ଏମ୍‌ସିଏଚ୍‌ ବିଲ୍ଡିଂରେ ମଧ୍ୟ ଟିକେଟ୍ କାଉଣ୍ଟର ରହିଛି।

ସମ୍ବନ୍ଧିତ ଖବର