କ୍ୟାପିଟାଲ ହସ୍ପିଟାଲ: ସିଟି ସ୍କାନ ପାଇଁ ଟଙ୍କା ଦାବି, ବାଦ୍‌ ପଡ଼ୁନାହାନ୍ତି ଡାକ୍ତର

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ସିଟି ସ୍କାନ ପାଇଁ ରୋଗୀଙ୍କଠାରୁ ଟଙ୍କା ଦାବି କରାଯାଉଛି। ଏମିତିକି ଡାକ୍ତର ମଧ୍ୟ ଏଥିରୁ ବାଦ୍ ପଡ଼ୁନାହାନ୍ତି। ଏମିତି ଏକ ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ମା’ଙ୍କ ଚିକିତ୍ସା ପାଇଁ ଏହି ହସ୍ପିଟାଲରେ ସିଟି ସ୍କାନ କରାଇବାକୁ ଯାଇଥିବା ଜଣେ ଡାକ୍ତରଙ୍କ ଠାରୁ ୬୦୦ ଟଙ୍କା ଦାବି କରାଯାଇଥିବା ଅଭିଯୋଗ ହୋଇଛି।

ବାଲିପାଟଣା ୟୁପିଏଚ୍‌ସିରେ ପୂର୍ବରୁ କ‌‌ାର୍ଯ୍ୟରତ ଥିବା‌ ଡାକ୍ତର ରତିରଞ୍ଜନ ସ୍ବ‌ାଇଁଙ୍କ ଅଭିଯୋଗ ଅନୁସାରେ ଗତ ୭ ତାରିଖ ଦିନ ସେ ତାଙ୍କ ମା’ ସଂଯୁକ୍ତା ସ୍ବାଇଁ(୫୨)ଙ୍କ ପେଟ ସମସ୍ୟା ପାଇଁ ଏହି ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଦେଖାଇଥି‌ଲେ। ଡାକ୍ତର ସିଟି ସ୍କାନ କରାଇବା‌କୁ କହିଥିଲେ। ତେଣୁ ଡାକ୍ତର ସ୍ବାଇଁ ସେହି ହସ୍ପିଟାଲରେ ସିଟି ସ୍କାନ କରାଇବାକୁ ଯାଇଥିଲେ। ମା’ଙ୍କ ଯନ୍ତ୍ରଣା ଅଧିକ ହେଉଥିବାରୁ ‌ସେ ଶୀଘ୍ର ସ୍କାନ କରାଇବାକୁ କର୍ମଚା‌ରୀଙ୍କୁ ଅନୁରୋଧ କରିଥିଲେ। ଉକ୍ତ କର୍ମଚାରୀ ତାଙ୍କର ପରିଚିତ ଥିଲେ। ତଥାପି ସେ ଏଥିପାଇଁ ୬୦୦ ଟଙ୍କା ମାଗିଥିଲେ। ଚିହ୍ନା ହୋଇ ମଧ୍ୟ କର୍ମଚାରୀ ଜଣକ ଟଙ୍କା ଦାବି କରିବାକୁ ଡାକ୍ତର ସ୍ବାଇଁ ହସ୍ପିଟାଲ ବାହାରେ ମା’ଙ୍କ ପେଟର ସିଟି ସ୍କାନ କରାଇଥିଲେ। ମା’ଙ୍କ ପେଟ ଯନ୍ତ୍ରଣା ପାଇଁ ସେ ଅଭିଯୋଗ କରିବା ଅପେକ୍ଷା ଚିକିତ୍ସାକୁ ଆଗ ଗୁରୁତ୍ବ ଦେଇଥିଲେ। ତେବେ ଏବାବଦରେ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ସିଟି ସ୍କାନ ଏକ ଆଉଟ୍‌ ସୋର୍ସିଂ କମ୍ପାନି ଦାୟିତ୍ବରେ ରହିଛି। ତଥାପି ତାଙ୍କ ପାଖ‌ରେ ଅଭିଯୋଗ ଥିଲେ, ସେ ତୁରନ୍ତ କିଛି ପଦ‌କ୍ଷେପ ନେଇଥାଆନ୍ତେ। ତଥାପି ଏହି ଘଟଣାର ତଦନ୍ତ କରାଯିବ ଓ ଠିକ ବୋଲି ପ୍ରମାଣ ମିଳିଲେ କଠୋର କାର୍ଯ୍ୟ‌ାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ପ୍ରାୟ ବର୍ଷକ ତଳେ କ୍ୟାପିଟାଲ ହସ୍ପିଟାଲରେ ଆଉଟ୍‌ ସୋର୍ସିଂର ଜଣେ ସୁଇପର୍‌ ସୁପରଭାଇଜର ଏମିତି ବେଆଇନ ନମ୍ବର କରାଇ ରୋଗୀମାନଙ୍କ ଠାରୁ ଟଙ୍କା ନେଇଥିଲେ। ଅଭିଯୋଗ ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା। ହସ୍ପିଟାଲ ନିର୍ଦ୍ଦ‌େଶକଙ୍କ ବିରୋଧ ସତ୍ତ୍ବେ ସଂପୃକ୍ତ ସଂସ୍ଥ‌ା ପୁଣି ତାଙ୍କୁ ନିଯୁକ୍ତି ଦେଇଛି ଓ ସେ ପୁରୁଣା ଅଭ୍ୟାସ ଛାଡ଼ିନାହାନ୍ତି। ଧାଡ଼ିରେ ଅପେକ୍ଷା କରିଥିବା ରୋଗୀଙ୍କଠାରୁ ଟଙ୍କା ନେଇ ବେଆଇନ ଭାବେ ବିଭିନ୍ନ ପରୀକ୍ଷା କରାଇବାରେ ସାହାଯ୍ୟ କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର