ଭୁବନେଶ୍ବର: ରାଜ୍ୟର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ କର୍ମଚାରୀ ଅଭାବ ଚରମ ସ୍ଥିତିରେ ପହଞ୍ଚିଛି। କର୍ମଚ‌ାରୀ ଅଭାବରୁ ରୋଗୀଙ୍କ ସମେତ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ହଇରାଣ ହେଉଛନ୍ତି। ଲମ୍ବା ଧାଡ଼ି ଯୋଗୁଁ ରୋଗୀ ଚିକିତ୍ସାରେ ବିଳମ୍ବ ସହ କ୍ୟାବିନ ମଧ୍ୟ ବନ୍ଦ ହୋଇ ପଡ଼ିଛି। ବିଭିନ୍ନ ବିଭାଗର ନୂଆ‌ ଭାବେ ଖୋଲି ଥିବା ୱାର୍ଡଗୁଡ଼ିକ ମଧ୍ୟ କର୍ମଚାରୀ ଅଭାବରୁ ବନ୍ଦ ହୋଇ ପଡ଼ିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା କ୍ୟାପିଟାଲ ହସ୍ପିଟାଲରେ ଗତ ତିନି ମାସ ହେବ ନିର୍ଦ୍ଦେଶକ ପଦବି ଖାଲି ପଡ଼ିଛି। ଅଧୀକ୍ଷକ ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରଶାସନିକ ବିଭାଗରେ ମଧ୍ୟ କର୍ମଚାରୀ ଅଭାବ ପରିଲକ୍ଷିତ ହେଉଛି। 

Advertisment

ସୂଚନାନୁସାରେ କ୍ୟାପିଟାଲ ହସ୍ପିଟାଲ ପିଜିଆଇରେ ପରିଣତ ହେବା ପରେ ରୋଗୀ ସଂଖ୍ୟା ବୃଦ୍ଧି ଘଟିଛି। ୨୦୨୧ ମସିହାରେ ଦିନକୁ ପ୍ରାୟ ୨୦୦୦ ରୋଗୀ ଆସୁଥିବା ବେଳେ ଏବେ ପ୍ରାୟ ୫୦୦୦ ରୋଗୀ ଆସୁଛନ୍ତି। ଏହାସହ ଜରୁରୀକାଳୀନ ବିଭାଗ‌କୁ ମଧ୍ୟ ପ୍ରତିଦିନ ୧୫୦୦ରୁ ଅଧିକ ରୋଗୀ ଆସୁଛନ୍ତି। କିନ୍ତୁ ‌ରୋଗୀ ଦେଖିବାକୁ ଆବଶ୍ୟକ ସଂଖ୍ୟାରେ ଡାକ୍ତର ନାହାନ୍ତି। କ୍ୟାପିଟାଲ ହସ୍ପିଟାଲରେ ୧୭୫ଟି ଡାକ୍ତର ପଦବି ଥିବା ବେ‌ଳେ ମାତ୍ର ୧୧୧ ଜଣ କାର୍ଯ୍ୟରତ ଅଛନ୍ତି। ସେଥିମଧ୍ୟରୁ ୯୭ ଜଣ ନିୟମିତ ଡାକ୍ତର ଥିବା ‌ବେଳେ ୧୪ ଜଣ ଅସ୍ଥାୟୀ। ସବୁ ବିଭାଗରେ ଡାକ୍ତର ଅଭାବ ରହିଛି। ଆବଶ୍ୟକୀୟ ଡାକ୍ତର ଅଭାବ ରହିଥିବାରୁ ରୋଗୀ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି। ଏହାବାଦ ଇନଡୋରରେ ମଧ୍ୟ ଡାକ୍ତର ଅଭାବରୁ ରୋଗୀ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି। ସବୁଠାରୁ ଉଦ୍‌ବେଗର ବିଷୟ, ଜରୁରୀକାଳୀନ ବିଭାଗରେ ଡାକ୍ତର ପଦବି ଖାଲି ରହିଛି। ୨୪ ଘଣ୍ଟା ଚାଲୁଥିବା ଜରୁରୀକାଳୀନ ବିଭାଗରେ ୩୪ ଜଣ ଡାକ୍ତର ରହିବା ସ୍ଥଳେ ଅଛନ୍ତି ମାତ୍ର ୬ ଜଣ ସ୍ଥାୟୀ ଡାକ୍ତର। ଆଉ ୧୪ ଜଣ ଅସ୍ଥାୟୀ ଡାକ୍ତର ନିୟୋଜିତ ରହିଛନ୍ତି। ଫଳରେ ଜରୁରୀକାଳନୀ ବିଭାଗରେ ବିଭିନ୍ନ ସିଫ୍ଟରେ ୩ ଜଣ ଡାକ୍ତର ସ୍ଥାନରେ ୨ଜଣ ଡାକ୍ତରରେ ରୋଗୀ ସେବା ଚାଲିଛି। ଏହାବାଦ ଜରୁରୀକାଳୀନ ବିଭାଗରେ ନିୟୋଜିତ ଡାକ୍ତରମାନେ ରକ୍ତ ସଂଗ୍ରହ କ୍ୟାମ୍ପ, ଭିଭିଆଇପି ଗସ୍ତ, ବିଭିନ୍ନ ଧାରଣାସ୍ଥଳ ଆଦିରେ ଡ୍ୟୁଟିରେ ଯାଉଥିବାରୁ ଜରୁରୀକାଳୀନ ବିଭାଗରେ ସ୍ଥିତି ବିଗିଡ଼ିଯାଇଛି। ପରିସ୍ଥିତି ଏପରି ହେଉଛି ଯେ ପିଜିଆଇରୁ ଡାକ୍ତର ଓ ବିଭିନ୍ନ ବିଭାଗରୁ ଡାକ୍ତର ଆଣି କାମ ଚଳାଇ ଦିଆଯାଉଛି।

 ୬୪ ଡାକ୍ତର, ୫୩ ନର୍ସିଂ ଅଫିସର ପଦବି ଖାଲି
୩ ମାସ ହେଲା ନିର୍ଦ୍ଦେଶକ ନାହାନ୍ତି
ଜରୁରୀକାଳୀନ ବିଭାଗରେ ମାତ୍ର ୬ ସ୍ଥାୟୀ

ଅନ୍ୟପକ୍ଷରେ ହସ୍ପିଟାଲରେ ମଧ୍ୟ ଆବଶ୍ୟକ ମୁତାବକ ନର୍ସିଂ ଅଫିସର ନାହାନ୍ତି। ୨୧୪ ପଦବିରୁ ୫୩ଟି ଖାଲି ରହିଛି। ହସ୍ପିଟାଲରେ ସମୁଦାୟ ୭୫୦ଟି ଶଯ୍ୟା ରହିଥିବା ବେଳେ ଏହାଠାରୁ ଢେର ଅଧିକ ସଂଖ୍ୟାରେ ରୋଗୀ ଭର୍ତ୍ତି ହେଉଛନ୍ତି। ବର୍ଷା ଦିନରେ ଏହି ସଂଖ୍ୟା ୧୦୦୦ ଛୁଇଁ ଯାଉଛି। ଦୈନିକ ପ୍ରାୟ ୩୫୦ ରୋଗୀ ବିଭିନ୍ନ ୱାର୍ଡରେ ଭର୍ତ୍ତି ହେଉଛନ୍ତି। ଏତେ ରୋଗୀଙ୍କୁ ସେବା ଦେବାପାଇଁ ନର୍ସିଂ ଅଫିସରଙ୍କ ଅଭାବ‌ ରହିଛି। ତେଣୁ ଆଉଟସୋର୍ସିଂ ନର୍ସ ଓ ବିଭିନ୍ନ ନର୍ସିଂ କଲେଜରୁ ଇଣ୍ଟର୍ଣ୍ଣସିପ୍‌ ପାଇଁ ଆସୁଥିବା ଛାତ୍ରଛାତ୍ରୀଙ୍କ ଦ୍ବାରା କାମ ଚଳାଇ ଦିଆଯାଉଛି। ୱାର୍ଡରେ ରୋଗୀଙ୍କୁ ସେବା ଯୋଗାଇବାରେ ବିଳମ୍ବ ହୋଇଥିବାରୁ ବିଭିନ୍ନ ସମୟରେ ଉତ୍ତେଜନା ମଧ୍ୟ ଦେଖା ଦେଉଛି। କ୍ୟାବିନ ରହିଥିଲେ ମଧ୍ୟ ସବୁ ‌କ୍ୟାବିନ ରୋଗୀଙ୍କୁ ଆଲଟ କରାଯାଇ ପାରୁନାହିଁ। ବିଭିନ୍ନ ବିଭାଗର ନୂତନ ଭାବେ ଇନଡୋର ୱାର୍ଡ ନିର୍ମିତ ହୋଇଛି। ହେଲେ କର୍ମଚାରୀ ଅଭାବରୁ କାର୍ଯ୍ୟକ୍ଷମ କରାଯାଇପାରୁ ନଥିବା ଜଣାପଡ଼ିଛି। 

ଏହାବାଦ ପ୍ରଶାସନିକ ବିଭାଗରେ ମଧ୍ୟ ବିଭିନ୍ନ ପଦବି ଖାଲି ପଡ଼ିଛି। ହସ୍ପିଟାଲରେ ଅଧାରୁ ଅଧିକ କିରାଣି ପଦ ଖାଲି ରହିଛି। ତେଣୁ ପ୍ରଶାସନିକ ବିଭାଗର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏହାଦ୍ବାରା ଅନ୍ୟ କର୍ମଚାରୀଙ୍କ ଉପରେ ଚାପ ବଢ଼ୁଛି। ଏନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, କର୍ମଚାରୀ ଅଭାବ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି। ଖୁବ ଶୀଘ୍ର ପଦବି ପୂରଣ ହେବ ବୋଲି ଆଶା କରାଯାଉଛି।