ଭୁବନେଶ୍ବର: ପାଖାପାଖି ୧୫ ଲକ୍ଷରୁ ଊର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ସହର ଆମ ରାଜଧାନୀର ମୁଖ୍ୟ ଚିକିତ୍ସାଳୟ ହେଉଛି କ୍ୟାପିଟାଲ୍ ହସ୍ପିଟାଲ୍। କିନ୍ତୁ ଏଠି ଦନ୍ତ ବିଭାଗରେ ରୋଗୀସେବାରେ ଘୋର ଅବ୍ୟବସ୍ଥା ଲାଗି ରହିଛି। ଡାକ୍ତର, ନର୍ସ, ଓଟି ଆଦି ସବୁ ପ୍ରକାର ସୁବିଧା ଥାଇ ମଧ୍ୟ ଏଠି ଦନ୍ତରୋଗୀ ସେବା ପାଉନାହାନ୍ତି ବୋଲି ଅଭିଯୋଗ ହୋଇଆସୁଛି। ସାମାନ୍ୟ ଦାନ୍ତ ଉପାଡ଼ିବାକୁ ପଡ଼ିଲେ, ଡାକ୍ତର ରୋଗୀକୁ କଟକ କିମ୍ବା ଏମ୍ସ ରେଫର୍ କରି ଦେଉଛନ୍ତି। ଛୋଟପିଲାଙ୍କ ଦାନ୍ତ ଉପାଡ଼ିବାକୁ ମଧ୍ୟ ଡାକ୍ତର କୁନ୍ଥକୁନ୍ଥ। ହସ୍ପିଟାଲ୍ର ଅପରେସନ୍ ଥିଏଟର୍(ଓଟି)ରେ ସବୁ ପ୍ରକାର ସୁବିଧା ଥିଲେ ମଧ୍ୟ ଡାକ୍ତରମାନେ ଏହାକୁ ବ୍ୟବହାର କରୁନଥିବା ଅଭିଯୋଗ ହେଉଛି।
ଏହି ହସ୍ପିଟାଲ୍ର ଦନ୍ତ ବିଭାଗକୁ ଦୈନିକ ୧୦୦ରୁ ଅଧିକ ରୋଗୀ ଆସୁଛନ୍ତି। ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ବା ସ୍ବଳ୍ପ ବ୍ୟୟରେ ଭଲ ଚିକିତ୍ସା ସେବା ପାଇବାକୁ ବହୁ ଗରିବ ଲୋକ ବ୍ୟାକୁଳ ହୋଇ ଧାଇଁ ଆସନ୍ତି। ଏହି ବିଭାଗରେ ଦୁଇ ଜଣ ଡାକ୍ତର ଅଛନ୍ତି। ସେହିଭଳି ଅତ୍ୟାଧୁନିକ ସୁବିଧା ଥିବା ଅପରେସନ୍ ଥିଏଟର୍ ବି ରହିଛି। ତେଣୁ ରୁଟ୍ କାନାଲ୍ ଓ ଫିଲିଂ ଭଳି ଚିକିତ୍ସା କରାଯାଇପାରିବ। ମାତ୍ର ଏସବୁ କରାଯାଉନାହିଁ। ଯେଉଁଠି ସାମାନ୍ୟ ଦାନ୍ତ ଉପାଡ଼ିବାକୁ ଡାକ୍ତରମାନେ ନାରାଜ, ସେଠି ରୁଟ୍ କାନାଲ୍ କି ଫିଲିଂ କଥା କେମିତି ସମ୍ଭବ ବୋଲି ସେଠାରୁ ହତାଶ ହୋଇ ଫେରିଥିବା ବହୁ ରୋଗୀଙ୍କ ଅଭିଯୋଗ। ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ ତାଙ୍କ ୮ବର୍ଷର ପୁଅ ପୋକାଡ଼ା ଦାନ୍ତ ଲାଗି କଷ୍ଟ ପାଉଥିଲା। ତେଣୁ ସେ କ୍ୟାପିଟାଲ୍ ହସ୍ପିଟାଲ୍ ଯାଇଥିଲେ ଏବଂ ଡାକ୍ତର ସେହି ସଂକ୍ରମିତ ଦାନ୍ତ ଉପାଡ଼ିବାକୁ ପରାମର୍ଶ ଦେଇ ଏମ୍ସ କିମ୍ବା କଟକ ଯିବାକୁ କହିଥିଲେ। ଲୋକଟି ବାଧ୍ୟ ହୋଇ ଏକ ଘରୋଇ କ୍ଲିନିକ୍ରେ ପୁଅର ଚିକିତ୍ସା କରାଇ ଖର୍ଚ୍ଚାନ୍ତ ହୋଇଥିଲେ। ଦାନ୍ତ ଉପାଡ଼ିବା ଖର୍ଚ୍ଚ ହଜାର ଟଙ୍କା ତଳକୁ ଥିବାରୁ ବହୁ ଲୋକ ଚଳେଇ ନେଉଛନ୍ତି। ମାତ୍ର ରୁଟ୍ କାନାଲ୍ କିମ୍ବା ଫିଲିଂ ଭଳି ଚିକିତ୍ସା ପାଇଁ ୪/୫ ହଜାର ଟଙ୍କା ବ୍ୟୟ କରିବାକୁ ପଡ଼ୁଛି। ଏଭଳି କ୍ଷେତ୍ରରେ ଗରିବ ଲୋକଟିଏ ସରକାରୀ ସେବାରୁ ବଞ୍ଚିତ ହେଉଛି।
ସୂଚନାଯୋଗ୍ୟ ଯେ ଏକଦା ଏହି ହସ୍ପିଟାଲ୍ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦନ୍ତ ଚିକିତ୍ସା କରାଇଥିଲେ। ସେତେବେଳେ ଏହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। କ୍ୟାପିଟାଲ୍ ହସ୍ପିଟାଲ୍ର ଦନ୍ତ ବିଭାଗକୁ ନେଇ ପ୍ରଶଂସା ଅଜାଡ଼ି ହୋଇପଡ଼ିଥିଲା। ମାତ୍ର ଏବେ ସେସବୁ କେବଳ ଲୋକଦେଖାଣିଆ ଥିଲା ବୋଲି କୁହାଯାଉଛି। ଏନେଇ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ରୂପଭାନୁ ମିଶ୍ରଙ୍କ ପ୍ରତିକ୍ରିୟା ନେବାରୁ ସେ ସ୍ବୀକାର କରିଛନ୍ତି ଯେ ଦନ୍ତ ବିଭାଗ ବିରୋଧରେ ବହୁ ଅଭିଯୋଗ ଆସିଛି। ଡାକ୍ତରମାନଙ୍କ ସହ ଆଲୋଚନା ମଧ୍ୟ କରାଯାଇଛି। ଆଗକୁ ଯେଭଳି ଏସବୁ ଅଭିଯୋଗ ନ ଆସିବ, ସେଥିପ୍ରତି ଦୃଷ୍ଟି ଦିଆଯିବ।