କ୍ୟାପିଟାଲ ହସ୍ପିଟାଲରେ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଡାଏଲିସିସ୍‌ କରାନଯିବା ଘଟଣା, ବିବାଦ ପରେ ଚେତିଲେ

୨ଟି ଡାଏଲିସିସ୍ କେନ୍ଦ୍ର ଖୋଲିବ ଓସାକ୍ସ, ଡାଏଲିସିସ୍ ସଂସ୍ଥାର ସଫେଇ, ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲା

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଜଣେ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଡାଏଲିସିସ୍‌ ପାଇଁ ମନା କରାଯିବା ଘଟଣାକୁ ନେଇ ବିବାଦ ଦେଖା ଦେବା ପରେ ସ୍ବାସ୍ଥ୍ୟ ବିଭାଗର ଚେତା ପଶିଛି। ଆଜି ଏ ସଂକ୍ରାନ୍ତର ‘ସମ୍ବାଦ’ରେ ବିସ୍ତୃତ ଭାବେ ରିପୋର୍ଟ ପ୍ରକାଶ ପାଇଥିଲା। ଡାଏଲିସିସ୍ ପାଇଁ ଏଚ୍‌ଆଇଭି ଆକ୍ରାନ୍ତଜଣଙ୍କ ଏକାଧିକବାର ହସ୍ପିଟାଲକୁ ଦୌଡ଼ିବା ପରେ ବିଭାଗୀୟ ଅଧିକାରୀମାନେ ଘନଘନ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଭବିଷ୍ୟତରେ ଯେପରି ଏଭଳି ଅଭାବନୀୟ ପରିସ୍ଥିତି ନ ଉପୁଜେ, ସେଥିପାଇଁ ରାଜ୍ୟର ୨ଟି ଡାକ୍ତରଖାନାରେ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ) ପକ୍ଷରୁ ସ୍ବତନ୍ତ୍ର ଭାବେ ଡାଏଲିସିସ୍ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପିପିପି ମୋଡ୍‌ରେ ଚାଲୁଥିବା ଡାଏଲିସିସ୍ କେନ୍ଦ୍ର ସହ ଏହାର କୌଣସି ସଂପର୍କ ରହିବ ନାହିଁ ବୋଲି ସୂଚନା ମିଳିଛି।

ଓସାକ୍ସ ପ୍ରକଳ୍ପ ନିର୍ଦେଶିକା ଗୁହା ପୁନମ ତାପସ କୁମାର କହିଛନ୍ତି, ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଡାଏଲିସିସ୍‌ ମନା କରାଯିବା ନେଇ ଅଭିଯୋଗ ପରେ ଓସାକ୍ସର ଏକ ଟିମ୍ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲା। ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅନୁମତି ନିଆଯାଇଥିଲା। ଡିଏମ୍‌ଇଟି ଡା. ସିବିକେ ମହାନ୍ତି ଘଟଣାରେ ହସ୍ତକ୍ଷେପ ପରେ ଆକ୍ରାନ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ତେବେ ଏଭଳି ଘଟଣା ନଜରକୁ ଆସିବା ପରେ ୨ଟି ସ୍ଥାନରେ ଓସାକ୍ସ ପକ୍ଷରୁ ଡାଏଲିସିସ୍ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏଚ୍‌ଆଇଭି/ଏଡ୍‌ସ ରୋଗୀ ରହିଥିବାରୁ ଏମ୍‌କେସିଜି ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲ କିମ୍ବା ଏସ୍‌ସିବି ମେଡିକାଲ କଲେଜରେ ଏହାକୁ ଖୋଲାଯିବ। ସେଠାରେ ୨/୩ଟି ଡାଏଲିସିସ୍ ମେସିନ୍ କେବଳ ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ ରଖାଯିବ। ଏଥିପାଇଁ ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ନାକୋ କିମ୍ବା ଓସାକ୍ସର ବଜେଟ୍‌ରୁ ଏହାକୁ ସ୍ଥାପନ କରାଯିବ। ଆସନ୍ତା ପିଆଇପିରେ ଏହାକୁ ସ୍ଥାନ ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀମତୀ ଗୁହା ପୁନମ କହିଛନ୍ତି। ଅପରପକ୍ଷରେ ଏହି ଘଟଣାରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ରହସ୍ୟମୟ ନିରବତା ଅବଲମ୍ବନ କରିଛନ୍ତି। ସମ୍ବାଦରେ ରିପୋର୍ଟ ବାହାରିବା ପରେ ହସ୍ପିଟାଲର ବରିଷ୍ଠ ଅଧିକାରୀମାନେ ଆଜି ଘନଘନ ବୈଠକ କରିଥିଲେ। ତେବେ ଡାଏଲିସିସ୍‌ ୟୁନିଟ୍‌ରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ଭାବେ ମେସିନ୍‌ ସଂରକ୍ଷିତ ରଖିବାର ନିୟମ ରହିଥିଲେ ହେଁ କିଭଳି ଆକ୍ରାନ୍ତଙ୍କୁ ଏଥିପାଇଁ ମନା କରାଗଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଚ୍‌ଆଇଭି ଆକ୍ରାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଡାଏଲିସିସ୍‌ ପାଇଁ ମନା କରାଯିବାକୁ ନେଇ ପିପିପି ମୋଡ୍‌ରେ ଡାଏଲିସିସ୍ କେନ୍ଦ୍ର ଚଳାଉଥିବା ରାହି କେୟାର ପକ୍ଷରୁ ସଫେଇ ଦିଆଯାଇଛି।

ସଂସ୍ଥା ପକ୍ଷରୁ କୁହାଯାଇଛି, ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପ୍ରଥମେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର କରିବା ପାଇଁ ଚେଷ୍ଟା କରାଯାଇଥିଲା। ପିପିପି ମୋଡ୍‌ରେ ଯେଉଁ ଡାଏଲିସିସ୍‌ କେନ୍ଦ୍ର ଚାଲୁଛି, ତହିଁରେ କେବଳ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ରୋଗୀଙ୍କ ଡାଏଲିସିସ୍ ସମ୍ଭବ ହୋଇଥାଏ। ତେଣୁ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ପାଇଁ ଆଡମିସନ୍ ଜରୁରୀ ଥିଲା। ଏବେ ତାଙ୍କର ରେଟ୍ରୋ‌ଭିରାଲ ଡାଏଲିସିସ୍ ଆରମ୍ଭ କରାଯାଇଛି। ରାଜ୍ୟର ୨୬ଟି ସ୍ଥାନରେ ପିପିପି ମୋଡ୍‌ରେ ଡାଏଲିସିସ୍ କରାଯାଉଛି। ଏଥିପାଇଁ ସଂସ୍ଥା ପକ୍ଷରୁ ରାଜ୍ୟବ୍ୟାପୀ ୧୫୫ଟି ଡାଏଲିସିସ୍ ମେସିନ୍ ରହିଛି। ରାଜ୍ୟର ସବୁ ଚିକିତ୍ସାଳୟରେ ନୁହେଁ, କ୍ୟାପିଟାଲ ହସ୍ପିଟାଲରେ ଏଚ୍‌ଆଇଭି ଓ ହେପାଟାଇଟିସ୍‌-ସି ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ଭାବେ ୨ଟି ମେସିନ୍ ରଖାଯାଇଛି। ଏଥିରେ ବ୍ୟବହୃତ କିଟ୍‌କୁ ଥରେ ମାତ୍ର ହିଁ ବ୍ୟବହାର କରାଯାଇ ପାରିବ। ତେଣୁ ଏହି କିଟ୍‌ ଅନ୍ୟ କୌଣସି ବ୍ୟକ୍ତିଙ୍କଠାରେ ବ୍ୟବହାର କରାଯାଏ ନାହିଁ। ଫଳରେ ଡାଏଲିସିସ୍ ହେଉଥିବା ବ୍ୟକ୍ତି ଏଚ୍‌ଆଇଭିରେ ଆକ୍ରାନ୍ତ ହେବାର ଆଶଙ୍କା ଯଥେଷ୍ଟ କମ୍ ଥାଏ। ରାଜ୍ୟରେ ପିପିପି ମୋଡ୍‌ରେ ଡାଏଲିସିସ୍ ସେବା ଆରମ୍ଭ ହେବା ପରଠାରୁ ରାଜ୍ୟରେ ଏହା ହେଉଛି ପ୍ରଥମ ଘଟଣା ବୋଲି ଅଧିକାରୀଜଣକ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବାଲେଶ୍ବର ଅଞ୍ଚଳର ଜଣେ ବ୍ୟକ୍ତି କ୍ୟାପିଟାଲ ହସ୍ପିଟାଲକୁ ଡାଏଲିସିସ୍ ପାଇଁ ଆସିଥିବା‌ ବେଳେ ତାଙ୍କୁ ମନା କରାଯାଇଥିଲା। ଏ ସଂପର୍କରେ ‌ତାଙ୍କ ପରିବାରଲୋକ ଓସାକ୍ସରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର