କ୍ୟାପିଟାଲ ହସ୍ପିଟାଲର ପ୍ରଥମ ଡାକ୍ତର ପଜିଟିଭ୍‌ ଚିହ୍ନଟ!

ଭୁବନେଶ୍ବର : ରାଜଧାନୀରେ ଛାଇଗଲେଣି କରୋନା ସଂକ୍ରମିତ। ବସ୍ତିଗୁଡ଼ିକ ବିଏମ୍‌ସିର ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ହସ୍ପିଟାଲକୁ ବ୍ୟାପିଲାଣି ସଂକ୍ରମଣ। ହସ୍ପିଟାଲରେ ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ଡାକ୍ତର ଓ କର୍ମଚାରୀ ସଂକ୍ରମିତ ହେବା ଘଟଣା ଆହୁରି ଆତଙ୍କିତ କରିଛି। କିଛି ଦିନ ତଳେ ଏମ୍‌ସରେ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ଏହାର ଓପିଡିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ସେହିପରି ଆଜି କ୍ୟାପିଟାଲ ହସ୍ପିଟାଲରେ ଜଣେ ଡାକ୍ତର ଓ ଜଣେ ଡାଟା ଏଣ୍ଟ୍ରି ଅପରେଟର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ପ୍ରଶାସନର ଚିନ୍ତା ଆହୁରି ବଢ଼ିଯାଇଛି। ଆଜି ଦୁଇ ପଜିଟିଭ୍‌ଙ୍କୁ ମିଶାଇ କ୍ୟାପିଟାଲ ହସ୍ପିଟାଲରେ ଏବେ ସୁଦ୍ଧା ୧୦ ଜଣ କରୋନା ରୋଗୀ ବାହାରିଲେଣି। ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ହେଲେ ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ଆସନ୍ତାକାଲି ଏ ସମ୍ପର୍କରେ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି।

ଗତକାଲି କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କ୍ୟାପିଟାଲ ହସ୍ପିଟାଲରେ ପୂର୍ବରୁ ଚିହ୍ନଟ ୮ଜଣଙ୍କ ମଧ୍ୟରୁ ୩ଜଣ ନର୍ସ ରହିଥିବା ବେଳେ ୫ଜଣ ରୋଗୀ ଅଛନ୍ତି। ତେବେ ହସ୍ପିଟାଲରେ ଆଡମିସନ୍ ପୂର୍ବରୁ ରୋଗୀଙ୍କୁ ପରୀକ୍ଷା କରିବା ଲାଗି ରାପିଡ୍ ଆଣ୍ଟିଜେନ୍ କିଟ୍ ଯୋଗାଇ ଦିଆଯାଇଛି। ଶୁକ୍ରବାର ହସ୍ପିଟାଲକୁ ୫ଶହ କିଟ୍ ଆସିଛି। ଏଥିଲାଗି କର୍ମଚାରୀଙ୍କ ତାଲିମ ଜାରି ରହିଛି। ରାପିଡ୍‌ ଆଣ୍ଟିଜେନ୍ କିଟ୍ ପାଇଁ ଅନୁମତି ମିଳି ନ ଥିବାରୁ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ପରୀକ୍ଷା ଆରମ୍ଭ ହୋଇନାହିଁ। ଅନମୁତି ମିଳିବା ପରେ ସମ୍ଭବତଃ ଆସନ୍ତା ମଙ୍ଗଳବାରଠାରୁ ଏହି ପରୀକ୍ଷା ଆରମ୍ଭ ହେବ ବୋଲି ହସ୍ପିଟାଲର ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ତେବେ ରୋଗୀଙ୍କ ବଦଳରେ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ରାପିଡ୍‌ ଆଣ୍ଟିଜେନ୍ କିଟ୍ ପରୀକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଡା. ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର