ଭୁବନେଶ୍ବର: ରୋଗୀଙ୍କ ସଂପର୍କୀୟଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର। ଗତ ୯ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଘଟିଥିବା ଏହି ଘଟଣା ଆଜି ପଦାକୁ ଆସିଛି। ଏ ସଂପର୍କରେ ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହେବା ସହ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଅଭିଯୋଗକାରୀ ମହିଳାଜଣଙ୍କ ହେଲେ, ସୁପ୍ରିୟା ପାଟ୍ଟଶାଣୀ। ତାଙ୍କ ସ୍ବାମୀ ଧୃତି ମାର୍ଥାଙ୍କ ସୂଚନା ଅନୁସାରେ, ଗତ ୯ ତାରିଖରେ ୟୁନିଟ୍‌-୮ସ୍ଥିତ ଘରେ ତାଙ୍କ ୧୩ ମାସର ଶିଶୁକନ୍ୟା ଦେହରେ ଗରମ ପାଣି ପଡ଼ି ଯିବାରୁ ସେ ଗୁରୁତର ହୋଇଥିଲା। ଦେହର ଗୋଟିଏ ପାର୍ଶ୍ବ ପୂରା ଫୋ‌ଟକା ହୋଇଯାଇଥିଲା। ସୁପ୍ରିୟା ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ। ବର୍ଣ୍ଣ ୟୁନିଟ୍‌ରେ ଡାକ୍ତର ନଥିବାରୁ ଶିଶୁଟିକୁ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇଥିଲା।

Advertisment

କିନ୍ତୁ ସେଠାରେ ନିୟୋଜିତ ଡାକ୍ତର ସୁପ୍ରିୟାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଗୁରୁତର ଶିଶୁର ଚିକିତ୍ସ‌‌ା କରିବା ପରିବର୍ତ୍ତେ ଶିଶୁର ସାଙ୍ଗିଆ ଓ ତୁମ ସାଙ୍ଗିଆ କାହିଁକି ମିଶୁ ନାହିଁ ବୋଲି ବାରମ୍ବାର ପଚାରିଥିଲେ। ତେବେ ଧୃତି ଏହାର ପ୍ରତିବାଦ କରିବାରୁ ଡାକ୍ତର ଦୁହିଁଙ୍କୁ ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗ ହୋଇଛି। ସେଦିନ ଏହି ଘଟଣାକୁ ନେଇ ସର୍ଜରି ବିଭାଗରେ ତୀବ୍ର ଉତ୍ତେଜନା ମଧ୍ୟ ଦେଖାଦେଇଥିଲା। ତେବେ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ହସ୍ତକ୍ଷେପ କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏ ବାବଦରେ ନିର୍ଦ୍ଦେଶକ ଡାକ୍ତର ସାହୁଙ୍କୁ ପଚରା ଯିବାରୁ ସେ କହିଛନ୍ତି ଯେ ଘଟଣ‌ାର ତଦନ୍ତ କରାଯିବାକୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହାସହ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ହୋଇଛି।