ସଫେଇ କର୍ମଚାରୀଙ୍କ ଧାରଣା: କ୍ୟାପିଟାଲ ହସ୍ପିଟାଲ୍‌ରେ ପରିମଳ ବିପର୍ଯ୍ୟସ୍ତ

ଭୁବନେଶ୍ୱର: ‘କାୟାକଳ୍ପ’ ପୁରସ୍କାରରେ ସଫେଇ କର୍ମଚାରୀଙ୍କୁ ଅଧିକ ଅର୍ଥ ଓ ମଜୁରି ବୃଦ୍ଧି ଦାବିରେ କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ସଫେଇ କର୍ମଚାରୀ ଗତ ୨ଦିନ ହେବ ଧାରଣା ଜାରି ରଖିଛନ୍ତି। ଫଳରେ କ୍ୟାପିଟାଲ୍‌ ହସ୍ପିଟାଲରେ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ହସ୍ପିଟାଲ ପରିସରରେ କୁଢ଼ କୁଢ଼ ମଇଳା ଜମି ରହିଛି। ରାଜଧାନୀର ପ୍ରମୁଖ ସରକାରୀ ହସ୍ପିଟାଲ୍‌ରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ନେଇ ହସ୍ପିଟାଲ କର୍ମଚାରୀ, ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲ୍‌କୁ ୨୦୧୬/୧୭ ପାଇଁ ‘କାୟାକଳ୍ପ’ ପୁରସ୍କାର ମିଳିଥିଲା। ଏଥିରେ ହସ୍ପିଟାଲକୁ ୫୦ଲକ୍ଷ ଟଙ୍କା ପୁରସ୍କାର ବାବଦରେ ମିଳିଥିଲା। ତେବେ ଏଥିରୁ ୩୭ଲକ୍ଷ ୫୦ହଜାର ଟଙ୍କା ହସ୍ପିଟାଲର ରୋଗୀ କଲ୍ୟାଣ ସମିତି ବା ଆରକେଏସ୍‌କୁ ଯାଇଥିବା ବେଳେ ୧୨ ଲକ୍ଷ ୫୦ ହଜାର ଟଙ୍କା ଡାକ୍ତର, ନର୍ସିଂ ଷ୍ଟାଫ୍‌, ସଫେଇ କର୍ମଚାରୀ ଓ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ଏଥିରେ ସଫେଇ କର୍ମଚାରୀଙ୍କୁ ୬୨ ହଜାର ଟଙ୍କା ଦିଆଯାଇଥିଲା। ତେବେ ସଫେଇ କର୍ମଚାରୀ ଏଥିରେ ସନ୍ତୁଷ୍ଟ ହୋଇ ନଥିଲେ। ଏହାସହ ଦୈନିକ ସେମାନଙ୍କୁ ୩୫୦ଟଙ୍କା ପ୍ରଦାନ କରିବାକୁ କର୍ମଚାରୀମାନେ ଦାବି କରିଥିଲେ। ଏହି ଦୁଇ ଦାବି ନେଇ ଗତକାଲି ଅପରାହ୍‌ଣରୁ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ କରିବା ସହିତ ଧାରଣା ଦେଇଥିଲେ। ଫଳରେ ହସ୍ପିଟାଲ ପରିସରରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଅସ୍ତ୍ରୋପଚାର ଗୃହ, ଏମ୍‌ସିଏଚ୍‌ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କୁଢ଼ କୁଢ଼ ଅଳିଆ ଜମି ରହିଥିଲା। ହସ୍ପିଟାଲ କର୍ତୃପକ୍ଷ ଶେଷରେ ନିୟମିତ ସରକାରୀ ସଫେଇ କର୍ମଚାରୀଙ୍କୁ ନେଇ ହସ୍ପିଟାଲର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସଫା କରିଥିଲେ। ମାତ୍ର ତାହା ସଂପୂର୍ଣ୍ଣ ହସ୍ପିଟାଲକୁ ଅବର୍ଜନାମୁକ୍ତ ପାଇଁ ଯଥେଷ୍ଟ ହୋଇପାରି ନାହିଁ। ଏବେ ବି ହସ୍ପିଟାଲର ଅଧିକାଂଶ ସ୍ଥାନରେ ଅଳିଆ ଜମି ରହିଛି। ତେବେ ଆଜି ସଂଧ୍ୟାରେ ହସ୍ପିଟାଲ କର୍ତୃପକ୍ଷ ସଫେଇ କର୍ମଚାରୀଙ୍କୁ ବୁଝାଇବାରେ ସଫଳ ହୋଇଛନ୍ତି। ଫଳରେ ସଫେଇ କର୍ମଚାରୀମାନେ ଧାରଣାରୁ ଓହରି ଯାଇଥିବା ଜଣାପଡ଼ିଛି। କ୍ୟାପିଟାଲ ହସ୍ପିଟାଲର ଭାରପ୍ରାପ୍ତ ନିର୍ଦେଶକ ଡା.ଏମ୍‌.ଆର ଦାସଙ୍କ ସୂଚନା ଅନୁଯାୟୀ, ‘କାୟାକଳ୍ପ’ ପୁରସ୍କାର ଓ ଦୈନିକ ମଜୁରି ବୃଦ୍ଧି କରିବା ଦାବି ନେଇ ସଫେଇ କର୍ମଚାରୀମାନେ ଧାରଣା ଦେଇଥିଲେ। ହସ୍ପିଟାଲରେ ସଫେଇ ପାଇଁ ଟେଣ୍ଡର୍‌ ନେଇଥିବା କଣ୍ଟ୍ରାକ୍ଟରଙ୍କୁ ଏଥିପାଇଁ ଡକା ଯାଇଥିଲା। ପରେ ଆପୋସ ବୁଝାମଣାରେ କର୍ମଚାରୀଙ୍କ ରହିଥିବା ଦାବିର ସମାଧାନ କରାଯାଇଛି। ଆଜି ସଂଧ୍ୟାଠାରୁ ସେମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେବେ ହସ୍ପିଟାଲରେ ଯେଉଁ ମଇଳା ଜମି ରହିଥିଲା, ହସ୍ପିଟାଲର ନିୟମିତ ସଫେଇ କର୍ମଚାରୀଙ୍କ ଜରିଆରେ ତାହାକୁ ସଫା କରାଯାଇଥିବା ଡା. ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର