ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥିପାଇଁ ରାଜ୍ୟ ସରକାର ଅତ୍ୟାଧୁନିକ କ୍ୟାନସର୍‌ କେୟ‌ାର ୟୁନିଟ୍ ତିଆରି ପାଇଁ ୨୦୨୨ ମସିହାରେ ଘୋଷଣା କରିଥିଲେ। ଏନେଇ ଜମି ଚିହ୍ନଟ ହେବା ସହିତ କାମ ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ସମୟ ସମୟ ବିତିବା ସହିତ କ୍ୟାନସର୍‌ ୟୁନିଟ୍‌ର ନିର୍ମାଣ କାର୍ଯ୍ୟ ଧିମେଇ ଯାଇଛି। ଅଧାପନ୍ତରିଆ ହୋଇପଡ଼ିଛି ନୂଆ ବିଲ୍ଡିଂ। ଫଳରେ ଏବେ ମାତ୍ର ୧୬ଟି ଶଯ୍ୟାରେ ଦୈନିକ ୧୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସା କରାଯାଉଛି।  

Advertisment

ସୂଚନାନୁସାରେ ଏବେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର କ୍ୟାନସର୍‌ ୟୁନିଟ୍‌ରେ କେବଳ ଡେ’ କେୟାର୍‌ ସେଣ୍ଟର୍‌ ଚାଲିଛି। ଏଠାରେ କେବଳ କେମୋଥେରାପି ସହିତ ରୋଗୀମାନଙ୍କୁ ଡାକ୍ତରୀ ପରାମର୍ଶ ଦିଆଯାଉଛି। ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ରୋଗୀମାନେ ଚିକିତ୍ସା ପାଇଁ ଆ‌ସୁଛନ୍ତି। ହେଲେ ଏଥିପାଇଁ ମାତ୍ର ୧୬ଟି ଶଯ୍ୟା ରହିଛି। ପ୍ରତିଦିନ ୧୦୦ରୁ ଅଧିକ ରୋଗୀ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ୪୦ରୁ ୫୦ ଜଣ କେବଳ କେମୋ ପାଇଁ ଆସୁଛନ୍ତି। କେମୋ ନେବାକୁ ଆସୁଥିବା ରୋଗୀଙ୍କ ପାଇଁ ବସିବାକୁ ଉପଯୁକ୍ତ ସ୍ଥାନ ମଧ୍ୟ ନାହିଁ। 

୨୦୨୪ରେ ସାରିବାକୁ ଥିଲା
ଅଛି ୧୬ ଶଯ୍ୟା, ଦୈନିକ ଆସୁଛନ୍ତି ୧୦୦ ରୋଗୀ

ଏହାକୁ ଦୃଷ୍ଟିରେ ରଖି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ କ୍ୟାନ୍‌ସର୍‌ କେୟାର୍‌ ୟୁନିଟ୍‌ ନିର୍ମ‌ାଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଶଯ୍ୟା ସଂଖ୍ୟା ୫୦କୁ ବୃଦ୍ଧି କରିବା ସହିତ ସିଟି ଓ ପେଟ୍‌ସ୍କାନ, ‌ରେଡିଏସନ୍ ଥେରାପି, ସର୍ଜିକାଲ ଅଙ୍କୋଲୋଜି, ଆଇସିୟୁ, ହିଷ୍ଟୋପାଥୋଲୋଜି, ମେଡିକାଲ୍‌ ଅଙ୍କୋଲୋଜି, ପାଲିଆଟିଭ୍‌ କେୟାର, ପେନ୍ କ୍ଲିନିକ୍‌ ଆଦି ୟୁନିଟ୍‌ ରହିବା ପାଇଁ ଧାର୍ଯ୍ୟ ହୋଇଥିଲା। ୨୦୨୪ ସୁଦ୍ଧା‌ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ୨୦୨୫ ଅଧା ହେଲାଣି, କେବଳ ବିଲ୍ଡିଂ ଢାଞ୍ଚା ପ୍ରସ୍ତୁତ ହୋଇଛି। କାମ ସରି କାର୍ଯ୍ୟକ୍ଷମ ‌ହେବାକୁ ଆହୁରି ଦେଢ଼ ବର୍ଷ ଲାଗିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଏନେଇ କ୍ୟାପିଟାଲ୍‌ ହସ୍ପିଟାଲ୍‌‌ କ୍ୟାନ୍‌ସର୍‌ ଡେ’ କେୟାର୍‌ ଡାକ୍ତର ନିହାର ରଞ୍ଜନ ସାମଲ କହିଛନ୍ତି, ‌ଡେ’ କେୟାରରେ ଦିନକୁ ଦିନ ରୋଗୀ ସଂଖ୍ୟାରେ ବୃଦ୍ଧି ଘଟୁଛି। ରାଜ୍ୟ ବାହାରୁ ରୋଗୀ ଆସି ଏଠାରେ ମ‌ାଗଣାରେ ଚିକିତ୍ସା ପା‌ଇ ଫେରୁଛନ୍ତି। ସମସ୍ତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି। କ୍ୟାନସର ‌କେୟାର ୟୁନିଟ୍‌ ଶୀଘ୍ର ହୋଇପାରିଲେ ସମସ୍ତଙ୍କୁ ସବୁ ପ୍ରକାର ଚିକିତ୍ସା ‌ଯୋଗାଇ ଦିଆଯାଇ ପାରିବ ବୋଲି ଡା. ସାମଲ କହିଛନ୍ତି।