କ୍ୟାପିଟାଲ ହସ୍ପିଟାଲ: ଉନ୍ନତମାନର ସ୍ବାସ୍ଥ୍ୟ ସେବା ଏବେ ବି ସାତସପନ, କେବେ ମିଳିବ ସମସ୍ତ ସୁବିଧା?

ନାମକୁ ମାତ୍ର ରହିଛି କିଛି ବିଭାଗ, ଅନ୍ୟ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି ଗୁରୁତର ରୋଗୀ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ଏକ ପ୍ରମୁଖ ସରକାରୀ ଚିକିତ୍ସାଳୟ। ଖୋର୍ଦ୍ଧା ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାମାନଙ୍କରୁ ବହୁ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ହେଲେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଡାକ୍ତର ନଥିବାରୁ ରୋଗୀମାନେ ଅନ୍ୟ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି। ସେହିଭଳି ହସ୍ପିଟାଲରେ ଆଇସିୟୁ ଶଯ୍ୟାର ଅଭାବ ଓ ଆବଶ୍ୟକୀୟ ସୁବିଧା ନାହିଁ। ରାଜ୍ୟ ସରକାର ଅଦିବାସୀ ଅଧ୍ୟୁଷିତ ଅଞ୍ଚଳର ରୋଗୀଙ୍କ ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିବା ବେଳେ ଖୋଦ୍‌ ରାଜଧାନୀର ରୋଗୀମାନଙ୍କ ପାଇଁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଏବେବି ସାତସପନ ପାଲଟିଛି।

ଏକ ପରିସଂଖ୍ୟାନ ଅନୁସାରେ ଦୈନିକ ହାରାହାରି ୨୫୦୦ରୁ ଊର୍ଦ୍ଧ୍ବ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ୩୦୦ରୁ ଅଧିକ ଗୁରୁତର ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲକୁ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲରେ ପରିଣତ କରିବା ପାଇଁ ବିଭାଗ ଖୋଲିବା ସହିତ ଟ୍ରମା କେୟାର ଓ ପିଜିଆଇ ଖୋଲିବା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। କିନ୍ତୁ ହସ୍ପିଟାଲରେ ପୂର୍ବରୁ ଥିବା ଅନ୍ୟ ବିଭାଗରେ ଉପଯୁକ୍ତ ସୁବିଧା ସୁଯୋଗ ମିଳୁ ନଥିବାରୁ ବାଧ୍ୟ ହୋଇ ରୋଗୀମାନେ କଟକ ବଡ଼ ଡାକ୍ତରଖାନା ନଚେତ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଦୈନିକ ୩୦୦ରୁ ଊର୍ଦ୍ଧ୍ବ ଗୁରୁତର ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଥିବା ବେଳେ ହସ୍ପିଟାଲରେ ଅଛି ମାତ୍ର ୧୬ଟି ଆଇସିୟୁ ଶଯ୍ୟା। ସେଥିମଧ୍ୟରୁ କାର୍ଡିଓଲୋଜି ବିଭାଗ ପାଇଁ ୪ଟି, ପ୍ରସୂତି ବିଭାଗ ପାଇଁ ଗୋଟିଏ ଏବଂ ସର୍ଜରି ବିଭାଗ ରୋଗୀଙ୍କ ପାଇଁ ଗୋଟିଏ ସଂରକ୍ଷିତ ରହିଛି। ତେଣୁ ସାଧାରଣ ରୋଗୀଙ୍କ ପାଇଁ ମାତ୍ର ୧୦ଟି ଶଯ୍ୟା ରହିଛି। ଏତେ କମ ସଂଖ୍ୟକ ଆଇସିୟୁ ଶଯ୍ୟା ଥିବାରୁ ବହୁ ଗୁରୁତର ରୋଗୀ ଠିକ ସମୟରେ ଆଇସିୟୁ ଶଯ୍ୟା ନ ପାଇ ମୃତ୍ୟୁବରଣ କରୁଛନ୍ତି। ଏହା ସହ ବହୁ ରୋଗୀଙ୍କୁ କଟକ ଏସ୍‌ସିବି ଓ ଏମ୍ସ ଭଳି ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପଡ଼ୁଛି। ମଧ୍ୟବିତ୍ତ ଓ ଧନୀକ ଶ୍ରେଣୀର ଲୋକମାନେ ବେସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି।

ସେହିଭଳି ସରକାରଙ୍କ ତରଫରୁ କ୍ୟାପିଟାଲ ହସ୍ପିଟାଲକୁ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲରେ ପରିଣତ କରିବା ପାଇଁ ନୂତନ ୪ଟି ସୁପର ସ୍ପେସିଆଲିଷ୍ଟ ବିଭାଗ ଖୋଲିଥିବା ବେଳେ ଡାକ୍ତରଙ୍କ ବଦଳି ଓ ନୂତନ ଡାକ୍ତର ନିଯୁକ୍ତି ଦିଆ ନଯିବାରୁ ୟୁରୋଲୋଜି ଓ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଆଉ ଦୁଇଟି ବିଭାଗ ମଧ୍ୟ ଡାକ୍ତର ଅଭାବରୁ ବନ୍ଦ ହେବା ଉପରେ। ନେଫ୍ରୋଲୋଜି ବିଭାଗକୁ ସପ୍ତାହକୁ ଗୋଟିଏ ଦିନ ମାତ୍ର ଦୁଇ ଘଣ୍ଟା ପାଇଁ ଡାକ୍ତର ଆସୁଥିବା ବେଳେ ନ୍ୟୁରୋଲୋଜି ବିଭାଗକୁ ସପ୍ତାହକୁ ୩ ଦିନ ଆସୁଛନ୍ତି ଓ ମାତ୍ର ୪୦ ଜଣ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ସେହିପରି ନ୍ୟୁରୋ ସର୍ଜରି ପାଇଁ ମଡ୍ୟୁଲାର ଓଟି ନଥିବାରୁ ଗୁରୁତର ରୋଗୀଙ୍କ ସର୍ଜରି କରାଯାଇ ପାରୁନାହିଁ। ତେଣୁ ନ୍ୟୁରୋଲୋଜି ବିଭାଗର ବହୁ ରୋଗୀ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ ହେଉଛନ୍ତି। ଏହାଛଡ଼ା ହସ୍ପିଟାଲରେ ସିଟି ସ୍କାନ ମଧ୍ୟ କରାଯାଉନାହିଁ। ଜରୁରୀକାଳୀନ ଓଟି ବ୍ୟବସ୍ଥା ମଧ୍ୟ ଗତ ଏକ ସପ୍ତାହ ହେଲା ଦୈନିକ ଅଳ୍ପ କେତେ ଘଣ୍ଟା ପାଇଁ ଆରମ୍ଭ କରାଯାଇଛି।

ବହୁ ରୋଗୀ ହେବାରୁ ଏହାକୁ ଆରମ୍ଭ କରାଯାଇଛି। କିଛି ରୋଗୀଙ୍କୁ ଏହାର ସୁଯୋଗ ମିଳୁଥିଲେ ସୁଦ୍ଧା ଅନେକ ରୋଗୀଙ୍କୁ ନିରାଶ ହେବାକୁ ପଡ଼ୁଛି। ଦୈନିକ ଦୁର୍ଘଟଣାରେ ଗୁରୁତର ଆହତ ଅନେକ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ବେଳେ ଟ୍ରମା କେୟାର ନଥିବାରୁ ସେମାନେ ବେସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି। ଏଠାରେ ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବା ବେଳେ ବାଟରେ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ହୋଇଯାଉଛି। ଟ୍ରମା କେୟାର ହେବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କାମ ଆରମ୍ଭ ହେବା ଦୂର କଥା ପ୍ରସ୍ତାବିତ ସ୍ଥାନରୁ ଜବରଦଖଲ ଉଚ୍ଛେଦ କରାଯାଇପାରି ନାହିଁ। ଏନେଇ କ୍ୟାପିଟାଲ ହସ୍ପିଟାଲର ଉପଅଧୀକ୍ଷକ ଡାକ୍ତର ଧନଞ୍ଜୟ ଦାସଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ବହୁ ଶୀଘ୍ର କ୍ୟାପିଟାଲ ହସ୍ପିଟାଲରେ ସମସ୍ତ ସୁବିଧା ମିଳିବ। ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର