ବିପଦରେ କ୍ୟାପିଟାଲ ହସ୍ପିଟାଲ : ଜୀବନ ଯିବା ପରେ ମିଳିବ ଅଗ୍ନି ନିରାପତ୍ତା ପ୍ରମାଣପତ୍ର?

ଚିଠି ଲେଖାଯାଇଛି, ପଦକ୍ଷେପ ନିଆଯାଉନି: ନିର୍ଦେଶକ

ଭୁବନେଶ୍ବର : ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ୍‌ ହସ୍ପିଟାଲର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ। ଦିନେ କି ମାସେ ନୁହେଁ, ବର୍ଷ ବର୍ଷ ଧରି ହସ୍ପିଟାଲର ଏହି ପ୍ରମାଣପତ୍ର ନାହିଁ। ରାଜଧାନୀ ସମେତ ଉପକଣ୍ଠ ଓ ଖୋର୍ଧା ଜିଲ୍ଲାରୁ ଦୈନିକ ଶହଶହ ରୋଗୀ, ନବଜାତକ ଏହି ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଛନ୍ତି। ହେଲେ ସେମାନଙ୍କ ଜୀବନ ବିପଦରେ। ଏକାଧିକ ବିଭାଗ ଏବେ ବିପଦସଂକୁଳ ଅବସ୍ଥାରେ ରହିଛି। କହିବାକୁ ଗଲେ କେବଳ ଭଗବାନଙ୍କ ଭରସାରେ ଚାଲିଛି କ୍ୟାପିଟାଲ ହସ୍ପିଟାଲ। ଯଦି ହସ୍ପିଟାଲରେ କୌଣସି ଅଘଟଣ ଘଟେ, ତାହେଲେ ଏଥିପାଇଁ କିଏ ଦାୟୀ ରହିବ?

ଗୋଟିଏ ପଟେ କ୍ୟାପିଟାଲ ହସ୍ପିଟାଲକୁ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍‌ ବା ପିଜିଆଇରେ ପରିଣତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବାକୁ ଯାଉଛି। ହେଲେ ପୁରୁଣା ହସ୍ପିଟାଲ ଉପରେ କାହାରି ନିଘା ନାହିଁ। ସ୍ବାସ୍ଥ୍ୟ ବିଭାଗର ଯେ କୌଣସି କାର୍ଯ୍ୟର ଉଦ୍‌ଘାଟନ କ୍ୟାପିଟାଲ ହସ୍ପିଟାଲରୁ ହିଁ ଆରମ୍ଭ ହେଉଛି। ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ ହସ୍ପିଟାଲକୁ କାର୍ଯ୍ୟକ୍ରମର ଉଦ୍‌ଘାଟନ ସମୟରେ ଆସୁଛନ୍ତି। ହେଲେ ପରବର୍ତୀ ଦିନଗୁଡ଼ିକରେ ହସ୍ପିଟାଲରେ କ’ଣ ଚାଲିଛି ତାହାକୁ ଦେଖିବା ଲାଗି କେହି ନାହିଁ। ଅନେକ ସମୟରେ ରାଜଧାନୀ ଓ କଟକର ଘରୋଇ ହସ୍ପିଟାଲରେ ଘଟୁଥିବା ବଡ଼ ଅଘଟଣକୁ ଦେଖି ଏଠି ସେମିତି କିଛି ଘଟିସାରୁ ବୋଲି ଚାହିଁ ରହିଛି କ୍ୟାପିଟାଲ ହସ୍ପିଟାଲ।

କଟକର ସନ୍ ହସ୍ପିଟାଲରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ଅନ୍ୟ ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠିଛି। କ୍ୟାପିଟାଲ ହସ୍ପିଟାଲକୁ ରାଜଧାନୀ ସମେତ ଆଖପାଖ ଜିଲ୍ଲାରୁ ଶହଶହ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଦିନକୁ ଦିନ ହସ୍ପିଟାଲର କଳେବର ବଢ଼ି ଚାଲିଛି। ନୂଆ ନୂଆ ବିଭାଗ ଯୋଡ଼ି ହେଉଛି ହସ୍ପିଟାଲରେ। ବିଦ୍ୟୁତ୍ ବିନା ଅତ୍ୟାଧୁନିକ ଯନ୍ତ୍ରପାତି କାର୍ଯ୍ୟ କରିବା ଅସମ୍ଭବ। ହେ‌ଲେ ହସ୍ପିଟାଲରେ ଅଗ୍ନି ନିରାପତ୍ତାର ଗ୍ୟାରେଣ୍ଟି ନାହିଁ। ହସ୍ପିଟାଲରେ ଲାଗିଥିବା ସ୍ମୋକ୍ ଡିଟେକ୍ଟର କାମ କରୁନାହିଁ କି ସ୍ପ୍ରିଙ୍କଲର ମଧ୍ୟ ବୁଲୁନି। କେବଳ ଅଗ୍ନି ନିର୍ବାପକ ଯନ୍ତ୍ରର ନବୀକରଣ କରାଯାଇଛି। ହସ୍ପିଟାଲର ଏମ୍‌ସିଏଚ୍‌, ଆଇସିୟୁ, ଏସ୍ଏନ୍‌ସିୟୁ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକର ସ୍ଥିତି ବିପଦପୂର୍ଣ୍ଣ ରହିଛି। ଏଭଳି ପରିସ୍ଥିତିରେ କେବଳ ହସ୍ପିଟାଲ ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର ଯଥେଷ୍ଟ କି?

ସୂଚନା ଅନୁସାରେ, ଶେଷଥର ଲାଗି କ୍ୟାପିଟାଲ ହସ୍ପିଟାଲକୁ ୨୦୧୨/୧୩ ମସିହାରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ମିଳିଥିଲା। ଏହା ଭିତରେ ଅନେକ ବର୍ଷ ବିତି ଗଲାଣି। ଯେତେବେଳେ କୌଣସି ଏକ ଅଘଟଣ ଘଟୁଛି, ସେତେବେଳେ ହସ୍ପିଟାଲ କର୍ତୃପକ୍ଷଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ତତ୍ପରତା ଦେଖାଉଛନ୍ତି। ମାତ୍ର ପରବର୍ତୀ ସମୟରେ ସମସ୍ତେ ଏକଥା ଭୁଲି ଯାଉଛନ୍ତି। କାହିଁକି ଏଯାଏ ପ୍ରମାଣପତ୍ର ମିଳିନାହିଁ, କେହି ଏ ପ୍ରଶ୍ନର ଉତ୍ତର ଦେଇ ପାରୁନାହାନ୍ତି। କେବେ ମିଳିବ ତାହା ମଧ୍ୟ କହିପାରୁନାହାନ୍ତି।

କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ଅଗ୍ନି ନିରାପତ୍ତା ପ୍ରମାଣପାତ୍ର ପାଇଁ ଅଗ୍ନିଶମ ସେବା ସଂସ୍ଥାକୁ ଚିଠି ଲେଖାଯାଇଛି। ମାତ୍ର ଏ ଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଖୁବ୍‌ଶୀଘ୍ର ସେମାନେ ସମୀକ୍ଷା କରିବା ଲାଗି ଆସିପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର