ଭୁବନେଶ୍ବର: କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ନିର୍ମାଣ କରାଯାଇଛି ମିସନ୍ ଶକ୍ତି କାଫେ। ଏହି କୋଠା ନିର୍ମାଣକୁ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ତାହା ରୋଗୀଙ୍କ ସମ୍ପର୍କୀୟ କିମ୍ବା ଡାକ୍ତର, କର୍ମଚାରୀଙ୍କ କାମରେ ଲାଗୁନି। କାଫେକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏବେ କୋଠାଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି।
ସାଂସଦଙ୍କ ଘୋଷଣାକୁ ବି କାର୍ଯ୍ୟକାରୀ କଲେନି
ପ୍ରସ୍ତାବିତ ମିସନ ଶକ୍ତି କାଫେରେ ଭଲ ପରିବେଶରେ ସୁଲଭ ଦରରେ ଖାଦ୍ୟ ଯୋଗାଇ ଦେବାକୁ ଯୋଜନା ହୋଇଥିଲା। ବିଶେଷ କରି ଡାକ୍ତର, ପିଜି ଛାତ୍ରଛାତ୍ରୀ ଓ ହସ୍ପିଟାଲର କର୍ମଚାରୀଙ୍କୁ ନଜରରେ ରଖାଯାଇଥିଲା। ଗତ ନଭେମ୍ବର ମାସରେ କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତି ବୈଠକରେ ନବନିର୍ମିତ ମିସନ ଶକ୍ତି କାଫେ ଖୋଲାଯିବା ପ୍ରସଙ୍ଗ ଉଠିଥିଲା। ଏହାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଡିସେମ୍ବର ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷା ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଘୋଷଣା କରିଥିଲେ। ଏହା ମଧ୍ୟରେ ଛଅ ମାସ ବିତିଯାଇଥିଲେ ବି କାଫେ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ସାଂସଦ ଘୋଷଣା କଲା ପରେ ବି କେଉଁ ଅଦୃଶ୍ୟ କାରଣ ପାଇଁ କାଫେ ଲୋକାର୍ପଣ ହୋଇପାରୁନି, ତାହା ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ କ୍ୟାପିଟାଲ ହସ୍ପିଟାଲ୍ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା କହିଛନ୍ତି, କାଫେ ବିଷୟରେ ଆମେ ଜିଲ୍ଲାପାଳଙ୍କୁ ଜଣାଇଛୁ। ଖୁବ୍ଶୀଘ୍ର ଏହି କୋଠାକୁ ମିସନ ଶକ୍ତି ଗ୍ରୁପକୁ ହସ୍ତାନ୍ତର କରାଯିବ।