ଭୁବନେଶ୍ବର: ହସ୍ପିଟାଲ୍‌‌ ପରିସରରେ ମାଦକଦ୍ରବ୍ୟ ମିଳିବ ନାହିଁ ବୋଲି ସ୍ବାସ୍ଥ୍ୟବିଭାଗ ତରଫରୁ କଡ଼ାକଡ଼ି ନିୟମ କରାଯାଇଛି। ତେଣୁ କ୍ୟାପିଟାଲ୍‌ ହସ୍ପିଟାଲ୍‌‌ ପକ୍ଷରୁ ମଧ୍ୟ ମାଇକ୍‌ ଯୋଗେ ମାଦକଦ୍ରବ୍ୟ ବିକ୍ରି ଓ ସେବନ ନ କରିବା ପାଇଁ ବାରମ୍ବାର ସଚେତନ କରାଯାଉଛି। କ୍ୟାପିଟାଲ୍‌ ହସ୍ପିଟାଲ୍‌‌ର ନୂଆ ନିର୍ଦ୍ଦେଶକ ପ୍ରଥମ ଦିନରେ ହସ୍ପିଟାଲ୍‌‌ ପରିସରରେ ପାନ, ଗୁଟ୍‌ଖା ଛେପକୁ ନେଇ ବିରକ୍ତ ହୋଇଥିଲେ। ଏହାପରେ ମଧ୍ୟ ହସ୍ପିଟାଲ୍‌ ପରିସରରେ ଥିବା ୟୁଟିଲିଟି ସେଣ୍ଟର୍‌ରେ ଖୁଲମ୍‌ଖୁଲା ପାନ ଗୁଟଖା ଆଦି ମାଦକ ଦ୍ରବ୍ୟ ବିକ୍ରି ‌ହେଉଛି। ହସ୍ପିଟାଲ୍‌ କର୍ତ୍ତୃପକ୍ଷ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା‌ରୁ ନିୟମକୁ ଭଙ୍ଗ କରାଯାଉଛି। ଏହାସହିତ ୟୁଟିଲିଟି ସେଣ୍ଟର୍‌ରେ ଥିବା ବିଭିନ୍ନ ଦୋକାନ ବିଶେଷ କରି ହୋଟେଲ, ଜଳଖିଆ ଦୋକାନୀମାନେ ଖାଦ୍ୟକୁ ନାଳରେ ପକାଇ ଦେଉଥିବାରୁ ଜାମ୍‌ ହୋଇ ୟୁଟିଲିଟି ସେଣ୍ଟର ଦୁର୍ଗନ୍ଧରେ ଫାଟି ପଡ଼ୁଛି। 

Advertisment

ସୂଚନା ଅନୁସାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌‌ ପରିସରରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ୟୁଟିଲିଟି ସେଣ୍ଟର୍‌ ଖୋଲାଯାଇଛି। ରୋଗୀକଲ୍ୟାଣ ସମିତି ପକ୍ଷରୁ ଟେଣ୍ଡର୍‌ କରାଯାଇ ୧୪ଟି ଦୋକାନ ଗୃହ କରାଯାଇଛି। ଏହାରି ମଧ୍ୟରେ ମାଦକଦ୍ରବ୍ୟ ବିକ୍ରି ନିଷେଧ ରହିଛି। ପୂର୍ବରୁ ବିଏମ୍‌ସି ସହିତ ପୁଲିସ ବିଭିନ୍ନ ସମୟରେ ଚଢ଼ଉ କରି ମାଦକଦ୍ରବ୍ୟ ଜବତ କରିବା ସହିତ ଜରିମାନା ଆଦାୟ କରାଯାଉଥିଲା। କିନ୍ତୁ ଏବେ ସବୁ ବନ୍ଦ ହୋଇଯାଇଛି। ତେଣୁ ଏବେ ଦୋକାନୀମାନେ ଖୁଲମ୍‌ଖୁଲା ମାଦକ ଦ୍ରବ୍ୟ ବିକ୍ରି କରୁଛନ୍ତି। ସବୁଠାରୁ ବଡ଼କଥା ହେଉଛି ୟୁଟିଲିଟି ‌‌ସେଣ୍ଟର୍‌କୁ ଲାଗି କ୍ୟାନ୍‌ସର୍‌ ବିଭାଗ ରହିଥିଲେ ମଧ୍ୟ ଏହାରି ମଧ୍ୟରେ ମ‌ାଦକ ଦ୍ରବ୍ୟ ବିକ୍ରି ହେଉଥିବାରୁ ଅସନ୍ତୋଷ  ପ୍ରକାଶ ପାଇଛି। 

ଅନ୍ୟପକ୍ଷରେ ଏହି ୟୁଟିଲିଟି ସେଣ୍ଟର‌୍‌ ଦେଇ ଯାଇଥିବା ଡ୍ରେନ୍‌କୁ ନିୟମିତ ସଫା କରାଯାଉ ନାହିଁ। ହୋଟେଲ, ଜଳଖିଆଦୋକାନୀମାନେ ଏହାରି ମଧ୍ୟରେ ଅଳିଆ ଓ ଖାଦ୍ୟପଦାର୍ଥ ପକାଉଛନ୍ତି। ଫଳରେ ଖାଦ୍ୟ ପଚି ପରିବେଶକୁ ପ୍ରଦୂଷିତ କରୁଛି। ଏନେଇ ‌ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି ଯେ କ୍ୟାପିଟାଲ୍‌ ହସ୍ପିଟାଲ୍‌‌ ମଧ୍ୟରେ ଥିବା ଏହି ୟୁଟିଲିଟି ସେଣ୍ଟର୍‌ ହିଁ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଏକମାତ୍ର ଭରସା। ‌କିନ୍ତୁ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ପଦାର୍ଥ ସହ ଅନ୍ୟାନ୍ୟ ଜିନିଷ ବିକ୍ରି ହେଉଛି।  ହସ୍ପିଟାଲ୍‌ ପାଖରେ କୌଣସି ଦୋକାନ ନଥିବାରୁ ବାଧ୍ୟ ହୋଇ ରୋଗୀଙ୍କ ସମ୍ପର୍କୀୟ ‌ସେଠାକୁ ଯାଉଛନ୍ତି। ରୋଗୀ ଭଲ କରିବାକୁ ଆସି ରୋଗ କିଣୁଥିବ‌ା ‌ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଏନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ ପ୍ରତିଦିନ ମାଇକ‌୍‌ରେ ୟୁଟିଲିଟି ସେଣ୍ଟର ପାଖରେ ମାଦକଦ୍ରବ୍ୟ ବିରୋଧରେ ସ‌ଚେତନ କରାଯାଉଛି। ଏହା ପ‌ରେ ମଧ୍ୟ ବିକ୍ରି ଯଦି ହେଉଥିବ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହିତ ୟୁଟିଲିଟି ସେଣ୍ଟର୍‌ ପରିସର ସଫାସୁତରା ରଖିବାକୁ ପଦକ୍ଷେପ ନିଆଯିବ।