ଭୁବନେଶ୍ବର: ସ୍ବାସ୍ଥ୍ୟସେବାକୁ ସଦାସର୍ବଦା ପ୍ରାଥମିକତା ଦିଆଯାଇଛି। ଭିତ୍ତିଭୂମି ବିକାଶରେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ରାଜଧାନୀର ‘କ୍ୟାପିଟାଲ ହସ୍ପିଟାଲ୍’ ଉପରେ ଉପକଣ୍ଠ ଓ ପଡ଼ୋଶୀ ଜିଲ୍ଲାର ରୋଗୀଙ୍କ ଚାପ ରହିଥିବାରୁ ଏହା ଉପରେ ସ୍ବାସ୍ଥ୍ୟବିଭାଗର କଡ଼ା ନଜର ରହିଛି। ଗୁରୁତ୍ବକୁ ଉପଲବ୍ଧି କରି ସରକାର ଏଠାରେ ୨୪ ଘଣ୍ଟିଆ ଜରୁରିକାଳୀନ ଟ୍ରମା କେୟାର ଖୋଲିବାକୁ ଯାଉଛନ୍ତି। କିନ୍ତୁ ଜରୁରିକାଳୀନ ବିଭାଗରେ ବିଶେଷଜ୍ଞ ରହୁନାହାନ୍ତି। ଏଠାରେ ଗୁରୁତର ରୋଗୀ ଆସୁଥିବାରୁ ଏହାର ନାମ ଜରୁରିକାଳୀନ ରଖାଯାଇଛି। କିନ୍ତୁ ଏହି ‘ଜରୁରି’ ଶବ୍ଦକୁ ଗୁରୁତ୍ବର ସହ ନିଆଯାଉନି। ଫଳରେ ଏଠାକୁ ଆସୁଥିବା ଗୁରୁତର ରୋଗୀ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ୮ରୁ ୧୦ ଜଣ ଗୁରୁତର ରୋଗୀ ହେଲେ ଯାଇ ଡାକ୍ତର ଆସୁଛନ୍ତି।
ଗତ ୩୧ ତାରିଖ ରାତି ୮ଟା ବେଳେ ସାଲିଆସାହିରେ ରହୁଥିବା ମନୋଜ ବେହେରା ଜୟଦେବବିହାର ଛକରେ ବାଇକରୁ ପଡ଼ି ଗୁରୁତର ଆହତ ହୋଇଥିଲେ। ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଥିବା ଡାକ୍ତର ତାଙ୍କ ଗୋଡ଼ ଦେଖିବା ସହ ଏକ୍ସ୍ରେ’ କରିବା ପାଇଁ ପରାମର୍ଶ ଦେଇଥିଲେ। ସେ ଏକ୍ସ୍ରେ’ କରିବା ପରେ ସମ୍ପୃକ୍ତ ଡାକ୍ତରଙ୍କୁ ଦେଖାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ଅପେକ୍ଷା କରିବାକୁ କହିଥିଲେ। ବହୁ ସମୟ ବସିବା ପରେ ଯନ୍ତ୍ରଣା ବଢ଼ିବାରୁ ସେ ଆଉଥରେ ପଚାରିଥିଲେ। ଡାକ୍ତର ଥାଇ ମଧ୍ୟ କାହିଁକି ଦେଖୁନାହାନ୍ତି ବା ଔଷଧ ଲେଖୁନାହାନ୍ତି? ସେ ପଚରାଉଚରା କରିବାରୁ ଜଣାପଡ଼ିଥିଲା କି କେହି ବିଶେଷଜ୍ଞ ନଥିବାରୁ ତାଙ୍କୁ ଅପେକ୍ଷା କରିବାକୁ ହେବ। ୮ -୧୦ ଜଣ ରୋଗୀ ହେଲେ ଯାଇ ଡାକ୍ତର ଆସିବେ ବୋଲି ସେଠାରେ ଥିବା ଜଣେ କର୍ମଚାରୀ କହିଥିଲେ। ଡାକ୍ତର ପ୍ରାୟ ଦେଢ଼ ଘଣ୍ଟା ଅପେକ୍ଷା କରିବା ପରେ ଜଣେ ପିଜି ଛାତ୍ର ଆସି ସେମାନଙ୍କ ଗୋଡ଼ ଦେଖିବା ସହିତ ମେଡିସିନ ଲେଖିଥିଲେ ଓ ଡ୍ରେସିଂ କରିବାକୁ କହିଥିଲେ। ପରଦିନ ଓପିଡି ସମୟରେ ଆସି ପୁଣି ଥରେ ଡାକ୍ତର ଦେଖାଇବାକୁ ଡାକ୍ତରୀ ଛାତ୍ରଜଣକ ପରାମର୍ଶ ଦେଇଥିଲେ। ତେବେ ଏହା ଗୋଟିଏ ଦିନର ଘଟଣା ନୁହେଁ, ପ୍ରାୟ ସବୁଦିନ କ୍ୟାପିଟାଲ ହସ୍ପିଟାଲରେ ଏଭଳି ଘଟଣା ଦେଖିବାକୁ ମିଳୁଛି।
ଏମିତିକି ଶିବରାତ୍ରୀ ସମୟରେ ଲିଙ୍ଗରାଜ ମନ୍ଦିରରେ ମହା ଦୀପ ଉଠାଇବା ସମୟରେ ଯେଉଁ ସେବାୟତ ପଡ଼ି ଆହତ ହୋଇଥିଲେ ତାଙ୍କୁ ମଧ୍ୟ ଚିକିତ୍ସା କରିବାକୁ ଡାକ୍ତର ଉପସ୍ଥିତ ନଥିଲେ। ମୁଖ୍ୟମନ୍ତ୍ରୀ ହସ୍ପିଟାଲ ଆସୁଥିବା ଜାଣି ତରବରିଆ ଭାବେ ଡାକ୍ତର ଆସିଥିଲେ। ରାତିରେ ସ୍ପେଶାଲିଷ୍ଟ ଡାକ୍ତର ରହୁନଥିବାରୁ ରୋଗୀମାନଙ୍କୁ ଏଭଳି ଅପେକ୍ଷା କରିବାକୁ ପଡ଼ୁଛି। କ୍ୟାପିଟାଲ ହସ୍ପିଟାଲ୍ର ଜରୁରିକାଳୀନ ବିଭାଗରେ ୨୪ ଘଣ୍ଟା ୩ ଜଣ ଡାକ୍ତରଙ୍କ ସହିତ ଦୁର୍ଘଟଣାରେ ଆହତ ତଥା ଗୁରୁତରମାନଙ୍କ ଚିକିତ୍ସା ପାଇଁ ସର୍ଜରୀ, ଅର୍ଥୋପେଡିକ୍ ଓ ମେଡିସିନ୍ ଆଦି ବିଶେଷଜ୍ଞ ବିଭାଗର ଡାକ୍ତର ରହିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ସମୟରେ ବିଶେଷଜ୍ଞ ରହୁନାହାନ୍ତି। କାର୍ଯ୍ୟରେ ଥାଇ ମଧ୍ୟ ଡାକ୍ତରମାନେ ହସ୍ପିଟାଲରେ ନ ରହି ଘରକୁ ପଳାଉଛନ୍ତି। ଫୋନ୍ କଲେ କିଛି ସମୟ ପାଇଁ ଆସି ପୁଣି ପଳାଉଛନ୍ତି। ନଚେତ୍ ପିଜି ଛାତ୍ରଙ୍କୁ ପଠାଇ କାମଚଳାଇ ଦେଉଥିବା ଅଭିଯୋଗ ହେଉଛି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ଡାକ୍ତର ରହୁ ନଥିବା କୌଣସି ଲିଖିତ ଅଭିଯୋଗ ଆସିନାହିଁ। ଲିଖିତ ଅଭିଯୋଗ ଆସିଲେ ଏନେଇ ପିଜିଆଇ ଓ ହସ୍ପିଟାଲ ମିଳିତ ଭାବେ ତଦନ୍ତ କରିବ।
ଖୋଲିଲା ନୂଆ ଛାତିରୋଗ ବିଭାଗ ୱାର୍ଡ
କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ନୂଆ ଓ ସ୍ବତନ୍ତ୍ର ଛାତିରୋଗ ୱାର୍ଡ। ଏହି ୱାର୍ଡରେ ୨୮ ଜଣ ରୋଗୀଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା ହୋଇଛି। ପୂର୍ବରୁ ମେଡିସିନ ବିଭାଗରେ ଛାତିରୋଗ ଚିକିତ୍ସା କରାଯାଉଥିଲା। ଏହି ନୂଆ ୱାର୍ଡ ଖୋଲା ଯିବା ପରେ ଏବେ କେବଳ ସ୍ବତନ୍ତ୍ର ଭାବେ ଛାତିରୋଗ ଚିକିତ୍ସା କରାଯିବ। ଏହାବାଦ ଟିବି ରୋଗୀଙ୍କ ପାଇଁ ଡାଇରିଆ ୱାର୍ଡ ନିକଟରେ ୧୨ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ୱାର୍ଡ ରହିଛି।