ଭୁବନେଶ୍ବର: ୭୦ ବର୍ଷର ପୁରୁଣା ବିଲ୍ଡିଂ ହେଉଛି କ୍ୟାପିଟାଲ୍ ହସ୍ପିଟାଲ୍ର ବିଲ୍ଡିଂ। ଏହି ପୁରୁଣା ବିଲ୍ଡିଂରେ ଏବେ ରୋଗୀସେବା ଚାଲିଛି। କିନ୍ତୁ ଅସରାଏ ବର୍ଷାରେ ହସ୍ପିଟାଲର ବିଭିନ୍ନ ୱାର୍ଡ ଭିତରେ ପାଣି ଗଳୁଛି। ଏପରିକି ପ୍ରାଶାସନିକ ବିଭାଗ ମଧ୍ୟରେ ପାଣି ଗଳି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓଦା ହୋଇଯାଉଛି। ଏନେଇ ହସ୍ପିଟାଲ ନିର୍ଦ୍ଦେଶକ ବାରମ୍ବାର ପୂର୍ତ୍ତ ବିଭାଗକୁ ଚିଠି ଲେଖିଥିଲେ ମଧ୍ୟ ଏହାର ମରାମତି କରାଯାଉନାହିଁ। ଯଦି କୌଣସି ବିଭାଗର ଛାତ ଫାଟି ସିମେଣ୍ଟ ଖସିଲା ତ କେବଳ ଲେପ ମାରି ଏହାକୁ ଲୁଚାଇ ଦିଆଯାଉଛି। ପୂର୍ବ ସରକାରରେ କ୍ୟାପିଟାଲ ହସ୍ପିଟାଲ ପାଇଁ ଏକ ସ୍ବତନ୍ତ୍ର ମାଷ୍ଟର୍ପ୍ଲାନ୍ ହୋଇଥିଲା। କିନ୍ତୁ ନୂଆ ସରକାରରେ ଏ ବାବଦରେ ଆଲୋଚନା ମଧ୍ୟ ହେଉନାହିଁ। ତେଣୁ କ୍ୟାପିଟାଲ ହସ୍ପିଟାଲର ପୁରୁଣା କୋଠା ଭୁଶୁଡ଼ି ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି।
ଚାରିଆଡ଼େ ଗଳୁଛି ପାଣି
ନାଲିଫିତା ତଳେ ମାଷ୍ଟର୍ ପ୍ଲାନ୍
ସୂଚନା ଅନୁସାରେ, ୨୧ ଏକର ପରିମିତ କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ୧୯୫୪ ମସିହାରେ କ୍ୟାପିଟାଲ୍ ହସ୍ପିଟାଲ୍ ବିଲ୍ଡିଂର ନିର୍ମାଣ କରାଯାଇଥିଲା। ସେତେବେଳେ ୭୦ ଶଯ୍ୟା ଥିବା ବେଳେ ଏବେ ପ୍ରାୟ ୮୦୦ ଶଯ୍ୟା ହେଲାଣି। ଓପିଡି ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ରୋଗୀ ସଂଖ୍ୟା ଯଥେଷ୍ଟ ବୃଦ୍ଧିପାଇଛି। କିନ୍ତୁ ସେହି ପୁରୁଣା ବିଲ୍ଡିଂରେ ଏବେ ମଧ୍ୟ ରୋଗୀ ଦେଖା ଓ ଆନୁଷଙ୍ଗିକ ଚିକିତ୍ସା ସେବା ଚାଲିଛି। ତେବେ ଏହି ଦୁର୍ବଳ କୋଠାକୁ ଲଗାଇ ନୂଆ କୋଠା ନିର୍ମାଣ କରାଯାଉଥିବାରୁ, ଏହା ଉପରେ ପ୍ରଭାବ ପଡ଼ୁଛି। କିଛି ବର୍ଷ ତଳେ କ୍ୟାପିଟାଲ୍ ହସ୍ପିଟାଲ୍ର ଛାତ ଉପରେ ସୌରଶକ୍ତି ପାଇଁ ସୋଲାର ପାନେଲ୍ ଲଗାଗଲା। କିନ୍ତୁ ଏହି ଯୋଜନା ବିଫଳ ହେବାରୁ ଟେଣ୍ଡର ନେଇଥିବା କମ୍ପାନି ସୋଲାର ପାନେଲ୍ ନେଇ ପଳାଇଲା। କିନ୍ତୁ , ଏଥିପାଇଁ ଛାତର ବିଭିନ୍ନ ସ୍ଥାନରେ କରାଯାଇଥିବା କଣାକୁ ମରାମତି କରାଗଲାନାହିଁ। ପୁରୁଣା ବିଲ୍ଡିଂ ଛାତ ଦବି ଉପରେ ପାଣି ଜମୁଛି। ପ୍ରାଶାସନିକ ବିଭାଗ, ଦନ୍ତ ବିଭାଗ, ଭେଷଜ ଭଳି ବିଭାଗ ଗୁଡ଼ିକ ପୁରୁଣା ବିଲ୍ଡିଂରେ ଚାଲିଛି। ଏହି ସବୁ ୱାର୍ଡ ଓ ଓପିଡିରେ ଅସରାଏ ବର୍ଷାରେ ପାଣି ଗଳୁଛି। ରାସ୍ତା ଉଚ୍ଚା ହୋଇଯିବାରୁ ବର୍ଷା ହେଲେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜରୁରିକାଳୀନ ବିଭାଗ ମଧ୍ୟକୁ ପାଣି ପଶୁଛି। ଅଧିକ ବର୍ଷା ହେଲେ ଆଣ୍ଠୁଏ ପାଣିରେ ରୋଗୀ ହନ୍ତସନ୍ତ ହେଉଛନ୍ତି।
ଏପରିକି ଓଟି ନିକଟରେ ମଧ୍ୟ ପାଣି ଗଳୁଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ହଇରାଣ ହେଉଛନ୍ତି। ପିଜି ପାଇଁ ୬ ଏକର ସ୍ଥାନରେ ନୂଆ ବିଲ୍ଡିଂ କରାଯାଇ ଚିକିତ୍ସା କରାଯାଉଛି। ଏହା ସହିତ କ୍ୟାପିଟାଲ୍ ହସ୍ପିଟାଲ୍କୁ କଟକ ଭଳି ବଡ଼ଡାକ୍ତରଖାନାରେ ପରିଣତ କରିବା ଏବଂ ବ୍ୟବସ୍ଥିତ କରିବା ପାଇଁ ପୂର୍ବ ସରକାର ଏକ ମାଷ୍ଟର୍ପ୍ଲାନ୍ କରିଥିଲେ। ହସ୍ପିଟାଲ୍ ପାଖ ବସ୍ତି ଓ ସରକାରୀ କ୍ବାଟର୍ସଗୁଡ଼ିକୁ ଭାଙ୍ଗି ସେଠାରେ କ୍ୟାପିଟାଲ୍ ହସ୍ପିଟାଲ୍ର ସମ୍ପ୍ରସାରଣ କରାଯିବ ବୋଲି ଯୋଜନା କରାଯାଇଥିଲା। କିନ୍ତୁ ନୂଆ ସରକାର ଆସିବା ପରେ ଏହି ମାଷ୍ଟରପ୍ଲାନ ଆରମ୍ଭ କରାଯିବ ନା ଏହାକୁ ମେଟ୍ରୋ ଭଳି ଅଟକାଇ ଦିଆଯିବ, ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏନେଇ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଡା. ଦିଲୀପ ପଣ୍ଡା କହିଛନ୍ତି ଯେ ଯେଉଁ ସ୍ଥାନରେ ପାଣି ଗଳୁଛି ସେହି ସ୍ଥାନରେ ମରାମତି କରାଯାଉଛି। ବିଲ୍ଡିଂ ଛାତ ସଂପୂର୍ଣ୍ଣ ମରାମତି ପାଇଁ ବାରମ୍ବାର ପୂର୍ତ୍ତ ବିଭାଗକୁ ଚିଠି ଲେଖାଯାଇଛି। କିନ୍ତୁ ପୂର୍ତ୍ତ ବିଭାଗ ଛାତର କିଛି ଅଂଶ ମରାମତି କରିଛି ବୋଲି ଡା. ପଣ୍ଡା କହିଛନ୍ତି।