ଚିକିତ୍ସା ଅବହେଳାରୁ ୨ଜଣଙ୍କ ମୃତ୍ୟୁ ଘଟଣା : ଗୋଟିଏରେ କ୍ଲିନଚିଟ୍‌, ଅନ୍ୟଟିରେ ୨ ଡାକ୍ତର ବହିଷ୍କୃତ

ଠିକା ଡାକ୍ତରଙ୍କୁ ବହିଷ୍କାର କରି ବାହାବା

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଗତ ସପ୍ତାହରେ ଲଗାତାର ଦୁଇଟି ଚିକିତ୍ସା ଅବହେଳା ଘଟଣାର ରିପୋର୍ଟ ଆସିଛି। ହସ୍ପିଟାଲରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ ଅନୁପମା ନାୟକଙ୍କୁ ଆଇସିୟୁରେ ଶଯ୍ୟା ନ ମିଳିବା ଘଟଣାରେ ହସ୍ପିଟାଲ କର୍ତୃପକ୍ଷ ୨ଜଣ ଡାକ୍ତରଙ୍କୁ ବହିଷ୍କାର କରିଛନ୍ତି। ଦୁଇ ଡାକ୍ତର ଠିକାରେ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ମାତ୍ର ଚକ୍ଷୁ ଅପରେସନ୍‌ ଘଟଣାରେ ଡାକ୍ତରଙ୍କୁ କ୍ଲିନଚିଟ୍ ଦେଇଛନ୍ତି ହସ୍ପିଟାଲ କର୍ତୃପକ୍ଷ।

ସୂଚନା ଅନୁସାରେ, ଗତ ୧୦ତାରିଖରେ ଏସ୍‌ଏନ୍‌ସିୟୁ ଆଟେଣ୍ଡାଣ୍ଟ ଅନୁପମା ନାୟକ ନିଜର ଅସୁସ୍ଥତା ପାଇଁ ହସ୍ପିଟାଲରେ ଆଡମିଟ୍ ହୋଇଥିବା ବେଳେ ତାଙ୍କୁ ଆଇସିୟୁରେ ଭର୍ତି ହେବା ପାଇଁ କାଜୁଆଲ୍‌ଟିରେ ଥିବା ଡାକ୍ତର କହିଥିଲେ। ଏକାଧିକ ଥର ଚେଷ୍ଟା କରିବା ପରେ ମଧ୍ୟ ତାଙ୍କୁ ଆଇସିୟୁରେ ‌ଶଯ୍ୟା ମିଳି ନ ଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ବିଳମ୍ବିତ ରାତିରେ ତାଙ୍କର ଜୀବନ ଚାଲି ଯାଇଥିଲା। ତେବେ ସକାଳ ହେବା ପରେ ଆଇସିୟୁରେ କାର୍ଯ୍ୟରତ କିଛି କର୍ମଚାରୀ ‌ଆଇସିୟୁରେ ଶଯ୍ୟା ଫାଙ୍କା ଥିବା ଓ ବାହାରୁ ରୋଗୀ ଆଣି ତାଙ୍କୁ ଆଡମିଟ୍ କରାଯାଇଥିବା ବାହାରେ କହି ଦେଇଥିଲେ। ଯାହାକୁ ନେଇ ହସ୍ପିଟାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ହସ୍ପିଟାଲ କର୍ତୃପକ୍ଷ ଘଟଣାର ତଦନ୍ତ କରିବା ସହିତ ୨ଜଣ ଠିକାରେ ନିଯୁକ୍ତ ହୋଇଥିବା ଡାକ୍ତରଙ୍କୁ ଗତକାଲି ବହିଷ୍କାର କରିଛନ୍ତି। କାର୍ଯ୍ୟରେ ଅବହେଳା ଦୃଷ୍ଟିରୁ ଦୁହିଁଙ୍କୁ ବହିଷ୍କୃତ କରାଯାଇଥିବା କୁହାଯାଇଛି। ତେବେ ଆଇସିୟୁରେ ଏଭଳି ଘଟଣା ନୂଆ ନୁହେଁ। ଅପରପକ୍ଷରେ କାର୍ଯ୍ୟରତ ଦୁଇଜଣ ଠିକା ଡାକ୍ତର ଥିବା ବେଳେ କାହାର ପ୍ରୋ‌ତ୍ସାହନରେ ଦୁହେଁ ହସ୍ପିଟାଲର ନିଜସ୍ବ କର୍ମଚାରୀଙ୍କୁ ଆଇସିୟୁ ଶଯ୍ୟା ନ ଦେବା ପାଇଁ ସାହସ କଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣାରେ ମଧ୍ୟ ତଦନ୍ତ ହୋଇ ନ ଥିବା ଜଣାପଡ଼ିଛି।

ସେହିପରି ଗତ ୧୧ତାରିଖରେ ହସ୍ପିଟାଲରେ ଚକ୍ଷୁ ଅସ୍ତ୍ରୋପଚାର କରିଥିବା ଜଣେ ରୋଗୀଙ୍କ ମୃତ୍ୟୁ ଘଟଣାରେ ତଦନ୍ତ କରି ହସ୍ପିଟାଲ କର୍ତୃପକ୍ଷ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ଘଟଣାରେ ଡାକ୍ତରଙ୍କୁ କ୍ଲିନଚିଟ୍ ଦିଆଯାଇଛି। ପୁରୁଣା ଭୁବନେଶ୍ବର ଅଞ୍ଚଳର ଦୁଃଶାସନ ସାହୁଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଥିବା ତାଙ୍କର ହଠାତ୍‌ ହୃଦ୍‌ଘାତ ହୋଇଥିଲା। ମାତ୍ର ତୁରନ୍ତ ତାଙ୍କୁ ଆଇସିୟୁକୁ ନ ନେଇ ଷ୍ଟ୍ରେଚରରେ କାଜୁଆଲଟିକୁ ନିଆଯାଇଥିଲା। ସେଠାରେ ଥିବା ଡାକ୍ତର ତାଙ୍କୁ ତୁରନ୍ତ ଆଇସିୟୁକୁ ନେବା ପାଇଁ କହିଥିଲେ। ଆଇସିୟୁରେ ପହଞ୍ଚିବା ବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ତେବେ ଅସ୍ତ୍ରୋପଚାର ପୂର୍ବରୁ ତାଙ୍କର ହୃଦ୍‌ ପରୀକ୍ଷା ହୋଇଥିଲା କି ନାହିଁ ତାହା ସଂପର୍କରେ ‌ରିପୋର୍ଟରେ କୌଣସି ଉଲ୍ଲେଖ ନାହିଁ। ତେ‌ଣୁ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ୨ଜଣ ବ୍ୟକ୍ତି ଚିକିତ୍ସା ଅବହେଳାରୁ ପ୍ରାଣ ହରାଇଥିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ସମ୍ବନ୍ଧିତ ଖବର