କର୍ମଚାରୀ ନାହାନ୍ତି, ଖୋଲିଦେଲେ ‘ପିକୁ’

କ୍ୟାପିଟାଲ ହସ୍ପିଟାଲରେ ଅବ୍ୟବସ୍ଥା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗରେ ଶିଶୁଙ୍କ ପାଇଁ ଗତ ୨୭ତାରିଖରେ ଖୋଲିଥିଲା ‘ପିକୁ’। ଭୁବନେଶ୍ୱର ସାଂସଦ, ବିଧାୟକ ଓ ସ୍ୱାସ୍ଥ୍ୟ ସଚିବଙ୍କ ଉପସ୍ଥିତିରେ ଏହାର ଉଦ୍‌ଘାଟନ ହୋଇଥିଲା। ଏହି ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରି ସମସ୍ତେ ବାହାବା ନେଇଥିଲେ। ମାତ୍ର ଏହାକୁ ଚଳାଇବା ଆବଶ୍ୟକ କର୍ମଚାରୀ ଏ ପର୍ଯ୍ୟନ୍ତ ନିଯୁକ୍ତ ହୋଇ ନାହାନ୍ତି। ତରବରିଆ ଭାବେ ଏହାକୁ ଖୋଲି ଦିଆଯାଇଛି। ବିଶେଷକରି ଷ୍ଟାଫ୍‌ ନର୍ସ ନ ଥିବାରୁ କାମଚଳା ଭାବେ ଅନ୍ୟ ଓ୍ଵାର୍ଡରୁ ନର୍ସଙ୍କୁ ‘ପିକୁ’ରେ କାର୍ଯ୍ୟ କରିବାକୁ କୁହାଯାଉଛି। ଫଳରେ କାଜୁଆଲ୍‌ଟି ଓ ଅନ୍ୟନ୍ୟ କ୍ଷେତ୍ରରେ ଷ୍ଟାଫ୍‌ ନର୍ସଙ୍କ ଅଭାବ ଯୋଗୁଁ ରୋଗୀସେବା ବାଧା ଉପୁଜୁଛି। ‘ପିକୁ’ରେ ୨ମାସରୁ ୧୪ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଚିକିତ୍ସା କରାଯିବାର ବ୍ୟବସ୍ଥା ରହିଛି। ୧ମାସର ଶିଶୁଙ୍କ ପାଇଁ ହସ୍ପିଟାଲରେ ପୂର୍ବରୁ ଏସ୍‌ଏନ୍‌ସିୟୁ ରହିଛି। ଏସ୍‌ସିବି ମେଡିକାଲ ଓ ବୁର୍ଲା ମେଡିକାଲ ପରେ ରାଜ୍ୟର ତୃତୀୟ ହସ୍ପିଟାଲ ଭାବେ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା ଉପଲବ୍ଧ ହୋଇଛି। ଏଥିରେ ସମୁଦାୟ ୬ଟି ଶଯ୍ୟା ରହିଛି। ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଶିଶୁଙ୍କୁ ଆଉ ଏସ୍‌ସିବି ରେଫର କରିବାକୁ ପଡ଼ିବ ନାହିଁ ବୋଲି ହସ୍ପିଟାଲ କର୍ତୃପକ୍ଷ କହିଥିଲେ।

ଏହି ବ୍ୟବସ୍ଥା ପାଇଁ ନିକଟରେ ୩ଜଣ ଡାକ୍ତର ଓ ୧୦ଜଣ ଷ୍ଟାଫ୍‌ ନର୍ସଙ୍କ ଆବଶ୍ୟକତା ରହିଛି। ନିକଟରେ ଡାକ୍ତର ନିଯୁକ୍ତ ହୋଇଥିଲେ ହେଁ, ଷ୍ଟାଫ୍‌ ନର୍ସଙ୍କୁ ନିଯୁକ୍ତି ମିଳିନାହିଁ। ଏବେ ୨ଜଣ ଶିଶୁ ଏଥିରେ ଚିକିତ୍ସିତ ହେଉଛନ୍ତି। ମାତ୍ର ଷ୍ଟାଫ୍‌ ନର୍ସ ନ ଥିବାରୁ ଏହାକୁ ଚଳାଇବାରେ ସମସ୍ୟା ଉପୁଜୁଛି। ତେବେ କେଉଁ ପରିସ୍ଥିତିରେ କର୍ମଚାରୀ ନିଯୁକ୍ତି ନ ଦେଇ ନୂଆ ବ୍ୟବସ୍ଥା କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ କରାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଜି ଖୋଲିବ ଟ୍ରାଏଜ୍‌ ବ୍ୟବସ୍ଥା
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର କାଜୁଆଲ୍‌ଟିରେ ଥିବା ଟ୍ରାଏଜ୍‌ ବ୍ୟବସ୍ଥା ବୁଧବାର ଆରମ୍ଭ ହେବ। ଏଥିରେ ସମୁଦାୟ ୪ଟି ବେଡ୍‌ ରହିଛି। ଦୁର୍ଘଟଣା, ଶ୍ୱାସ ଓ ହୃଦ୍‌ରୋଗ ଜନିତ ରୋଗୀଙ୍କୁ ଏଠାରେ ଚିକିତ୍ସା କରାଯିବ।କ୍ୟାପିଟାଲ ହସ୍ପିଟାଲ ଏକ ରେଫରାଲ ହସ୍ପିଟାଲ ହୋଇଥିବାରୁ ରାଜଧାନୀ ସମେତ ଏହାର ଆଖପାଖ ଜିଲ୍ଲାରୁ ଦୁର୍ଘଟଣାଜନିତ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସିଥାନ୍ତି। ଫଳରେ ଜରୁରୀ ପରିସ୍ଥିତିରେ ଚିକିତ୍ସାରେ ସମସ୍ୟା ଉପୁଜିଥାଏ। ଏପରି କ୍ଷେତ୍ରରେ ଟ୍ରାଏଜ୍‌ ଆସୁଥିବା ରୋଗୀଙ୍କ ପାଇଁ ସହାୟକ ହୋଇପାରିବ। ଏଠାରେ ମନିଟର, ନେବୁଲାଇଜର, ସିରିଞ୍ଜ ପମ୍ପ୍‌ ସହିତ କଞ୍ଜୁମେରେଟର୍‌ ରହିବ। ଯାହାଫଳରେ ରୋଗୀମାନଙ୍କୁ ଓ୍ଵାର୍ଡକୁ ସ୍ଥାନାନ୍ତରିତ କରିବା ପୂର୍ବରୁ ସେମାନଙ୍କ ଚିକିତ୍ସା କରାଯାଇପାରିବ। ଆସନ୍ତାକାଲି ଏହାର ଉଦ୍‌ଘାଟନ କରାଯିବ ବୋଲି ହସ୍ପିଟାଲ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର