କ୍ୟାପିଟାଲ ହସ୍ପିଟାଲର କରିତକର୍ମା ପିଅନ

ନିଯୁକ୍ତି ନାହିଁ, ଅବସର ପରେ ମଧ୍ୟ କରୁଛନ୍ତି ନିୟମିତ ଡ୍ୟୁଟି, ଡାକ୍ତରଙ୍କ ଡ୍ୟୁଟି ଚାର୍ଟରୁ ଆରମ୍ଭ କରି ତିଆରୁଛନ୍ତି ସାର୍ଟିଫିକେଟ୍‌

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ଜଣେ କରିତକର୍ମା ପିଅନଙ୍କୁ ନେଇ ଚାରିଆଡ଼େ ଚର୍ଚା। ଗତ ୬ମାସରୁ ଅଧିକ ସମୟ ହେଲାଣି ଚାକିରିରୁ ଅବସର ନେଇ ସାରିଲେଣି। ମାତ୍ର ଏବେ ବି ହସ୍ପିଟାଲରେ ଡ୍ୟୁଟି କରୁଛନ୍ତି। ପଦବିରେ ପିଅନ ହୋଇଥିଲେ ହେଁ ଅଧିକାରୀଙ୍କ କାମ କରୁଛନ୍ତି। ଡାକ୍ତରଙ୍କ ଡ୍ୟୁଟି ଚାର୍ଟଠାରୁ ଆରମ୍ଭ କରି ଶବ ବ୍ୟବଚ୍ଛେଦ ରିପୋର୍ଟର ଅନୁମୋଦନ ଓ ଜାଲ ସାର୍ଟିଫିକେଟ୍‌ ତିଆରି କରିବା ଭଳି କାର୍ଯ୍ୟରେ ସେ ମାହିର। ଦିନକୁ ହଜାର ହାଜର ଟଙ୍କା ରୋଜଗାର କରୁଛନ୍ତି। ହସ୍ପିଟାଲର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ଏ ସଂପର୍କରେ ଜାଣିଥିଲେ ହେଁ, ଆଖି ବୁଜି ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ପଦ ପିଅନ ହୋଇଥିଲେ ହେଁ, ଅଧିକାରୀଙ୍କ ଭଳି ହସ୍ପିଟାଲ୍‌ରେ ତାଙ୍କୁ ସ୍ୱତନ୍ତ୍ରଭାବେ ଏକ ରୁମ୍‌ ଦିଆଯାଇଛି। ସେଠାରେ ବସି ସେ ହସ୍ପିଟାଲ୍‌ରେ ସବୁ ଜାଲି କାରବାର କରୁଛନ୍ତି। ଅବସର ପରେ ତାଙ୍କୁ ହସ୍ପିଟାଲ କର୍ତୃପକ୍ଷ କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ନିଯୁକ୍ତି ଦିଆଯାଇ ନାହିଁ। ତଥାପି ସେ କ୍ୟାପିଟାଲ ହସ୍ପିଟାଲ୍‌ରେ ନିୟମିତ ଡ୍ୟୁଟି କରୁଛନ୍ତି। କୌଣସି ବ୍ୟକ୍ତିଙ୍କ ଡାକ୍ତରୀ ସାର୍ଟିଫିକେଟ୍‌ ଆବଶ୍ୟକ ପଡ଼ିଲେ ସେ ସଙ୍ଗେ ସଙ୍ଗେ ଜାଲି ସାର୍ଟିଫିକେଟ୍‌ ପ୍ରସ୍ତୁତ କରି ଦିଅନ୍ତି। କେବଳ ଜାଲ ସାର୍ଟିଫିକେଟ୍‌ ନୁହେଁ ଡାକ୍ତରଙ୍କ ଡ୍ୟୁଟି ଚାର୍ଟ ମଧ୍ୟ ସେ ପ୍ରସ୍ତୁତ କରୁଛନ୍ତି। ଏପରିକି ଶବ ବ୍ୟବଚ୍ଛେଦ ରିପୋର୍ଟର ହସ୍ପିଟାଲ କର୍ତୃପକ୍ଷଙ୍କ ଅନୁମୋଦନ କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ମାସ ମାସ ଧରି ସେ ହସ୍ପିଟାଲରେ ନିଜର ଆଡ଼ା ଜମାଇ ବସିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଅବସର ନେବା ପୂର୍ବରୁ ମଧ୍ୟ ସେ ଏହି କାର୍ଯ୍ୟ କରୁଥିଲେ। ଜଣେ ପିଅନକୁ କିଭଳି ସରକାରୀ କାଗଜପତ୍ର ପ୍ରସ୍ତୁତ କରିବାକୁ ଅନୁମତି ଦିଆଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହସ୍ପିଟାଲ୍‌ର ଅଧିକାଂଶ କର୍ମଚାରୀ ଏହାକୁ ନେଇ ବିରୋଧ କରିବା ଆରମ୍ଭ କରିଛନ୍ତି। କୌଣସି ଆର୍ଥିକ ସହାୟତା କିମ୍ବା ନିଯୁକ୍ତି ନ ଥାଇ ମାତ୍ର ସଂପୃକ୍ତ ବ୍ୟକ୍ତି କିଭଳି ହସ୍ପିଟାଲ୍‌ରେ କାର୍ଯ୍ୟ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ହସ୍ପିଟାଲ୍‌ କର୍ତୃପକ୍ଷଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ୁନାହିଁ। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି, ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଚିହ୍ନି ନାହିଁ। ଯେଉଁ ବ୍ୟକ୍ତିଙ୍କ କଥା ଆପଣ କହୁଛନ୍ତି ତାଙ୍କୁ ମୁଁ ନିର୍ଦେଶକ ନିଯୁକ୍ତ ହେବା ପୂର୍ବରୁ ହୁଏତ ନିଯୁକ୍ତି ଦିଆଯାଇଥିବ। ଏ ବିଷୟରେ ସଂପୂର୍ଣ୍ଣ ବିବରଣୀ ସଂଗ୍ରହ କରିବା ପରେ ମତ ଦେଇପାରିବି ବୋଲି ଡା.ଦାସ କହିଛନ୍ତି।

ସମ୍ବନ୍ଧିତ ଖବର