ଭୁବନେଶ୍ବର: ଆଉଟସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ କ୍ୟାପିଟାଲ୍ ହସ୍ପିଟାଲ୍ର ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଆଜି ରୋଗୀ ଓ ସମ୍ପର୍କୀୟ ହସ୍ପିଟାଲ୍ ଭିତରକୁ ପଶିବା କଷ୍ଟକର ହୋଇପଡ଼ିଛି। ଯୁଆଡ଼େ ଦେଖିବ କୁଢ଼କୁଢ଼ ଅଳିଆ। କେଉଁଠି କୁକୁର ପରିସ୍ରା କରିଛି ତ ଆଉ କେଉଁଠି ବିଲେଇ ମଳ, ରକ୍ତଲଗା ଗଜ କପଡ଼ା, ତୁଳା, ବେଡ୍ସିଟ୍ ସହ ମେଡିକାଲ ବର୍ଜ୍ୟର ଦୁର୍ଗନ୍ଧରେ ଫାଟି ପଡ଼ୁଛି କ୍ୟାପିଟାଲ୍ ହସ୍ପିଟାଲ୍ ପରିସର। ତିନିଦିନ ହେଲା ବିଭିନ୍ନ ଦାବି ନେଇ ସୁରକ୍ଷାକର୍ମୀ ଆନ୍ଦୋଳନରେ ବସିଥିବା ବେଳେ ପ୍ରଶାସନିକ ସ୍ତରରେ କେହି ବୁଝାଇବାକୁ ଚେଷ୍ଟା ମଧ୍ୟ କରୁନାହାନ୍ତି। ସୁରକ୍ଷାକର୍ମୀଙ୍କ ସ୍ଥାନରେ ସିନା ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି, କିନ୍ତୁ ଗତକାଲିଠାରୁ ସୁରକ୍ଷାକର୍ମୀଙ୍କ ସମର୍ଥନରେ ସଫେଇ କର୍ମଚାରୀ ଆନ୍ଦୋଳନରେ ବସିଛନ୍ତି। ଫଳରେ କାଲିଠାରୁ ଆଉ ହସ୍ପିଟାଲ ପରିସରରେ ସଫେଇ ହୋଇପାରି ନାହିଁ। ଏହାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଏନେଇ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ପଚାରିଲେ କହୁଛନ୍ତି ପୁଲିସକୁ ଜଣାଇ ଦେଇଛୁ। ଏଜେନ୍ସିକୁ ଜଣାଇ ଦେଇଛୁ। ଆମେ କଣ କରି ପାରିବୁ। ଆମ ହାତରେ କିଛି ନାହିଁ। ଏଭଳି କହି ଦୋଷ ଝାଡ଼ି ବସି ପଡ଼ୁଛନ୍ତି। ସ୍ବାସ୍ଥ୍ୟସେବା ଭଳି ଏକ ଜରୁରୀ ସେବାରେ ଏଭଳି ଅବ୍ୟବସ୍ଥାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ବିନୋଦ ବେହେରା ନାମକ ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି ଯେ, ସେ ତାଙ୍କ ମାଆଙ୍କ ଦେହ ଖରାପ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍କୁ ଆସିଛନ୍ତି। ମା’ଙ୍କୁ ଗତକାଲିଠାରୁ ମହିଳା ମେଡିସିନ୍ ୱାର୍ଡରେ ଭର୍ତ୍ତି କରାଯାଇଛି। କିନ୍ତୁ ଏଠାକାର ଅବ୍ୟବସ୍ଥା ଅବର୍ଣ୍ଣନୀୟ। ତାଙ୍କ ମାଆଙ୍କୁ ଯେଉଁଠି ବେଡ୍ ମିଳିଛି ତା ପାଖରେ ଥିବା ଡଷ୍ଟବିନରୁ ଗତକାଲିଠାରୁ ଅଳିଆ ଉଠିନି। ରୋଗୀମାନେ ଖାଦ୍ୟପଦାର୍ଥ ଫିଙ୍ଗିବା ଫଳରେ ଡଷ୍ଟବିନ୍ ଭର୍ତ୍ତି ହୋଇଯାଇଛି। ପାଇଖାନା ମଧ୍ୟ ସଫା ହୋଇ ନାହିଁ। କେତେକ ରୋଗୀ ଉଠି ନ ପାରି ସେ ବେଡ୍ରେ ପରିସ୍ରା କରୁଛନ୍ତି। ତାହା ମଧ୍ୟ ସଫା ହେଉନାହିଁ। ଫଳରେ ଦୁର୍ଗନ୍ଧରେ ୱାର୍ଡ ପରିସର ଫାଟି ପଡ଼ୁଛି। ବେଡ୍ ତଳେ ବିଲେଇ ବାନ୍ତି କରିଛି ତାକୁ ମଧ୍ୟ କେହି ଉଠାଉ ନାହାନ୍ତି। ଏହା ହେଉଛି ବର୍ତ୍ତମାନର ରାଜଧାନୀର ସ୍ବାସ୍ଥ୍ୟାବସ୍ଥା ବୋଲି ସେ କ୍ଷୋଭର ସହିତ କହିଛନ୍ତି।
ଏନେଇ ଆନ୍ଦୋଳନରତ ସୁରକ୍ଷାକର୍ମୀ କହିଛନ୍ତି ଯେ ହସ୍ପିଟାଲ୍କୁ ଆମେ ସୁରକ୍ଷା ଯୋଗାଉଛୁ। କିନ୍ତୁ ଆମ ସୁରକ୍ଷା କଥା କେହି ବୁଝୁନାହାନ୍ତି। ପୁଲିସ ପାଖରେ ସବୁ ପ୍ରମାଣ, ଫଟୋ ଭିଡିଓ ଥିଲେ ମଧ୍ୟ ପୁଲିସ ଅଟୋ ସଂଘର କର୍ମକର୍ତ୍ତାଙ୍କୁ ୩ ଦିନ ହେଲା ଗିରଫ କରୁନାହିଁ। କାହା ଚାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସୁରକ୍ଷାକର୍ମୀମାନେ ପ୍ରଶ୍ନ କରିଛନ୍ତି। ସଫେଇ କର୍ମଚାରୀ ଓ ଆମେ ଗୋଟିଏ ଏଜେନ୍ସିରେ କାମ କରୁଛୁ। ତେଣୁ ଆମକୁ ସଫେଇ କର୍ମଚାରୀମାନେ ସମର୍ଥନ କରୁଛନ୍ତି। ତେଣୁ ଆକ୍ରମଣ କରିଥିବା ଅଟୋଚାଳକମାନେ ଗିରଫ ନ ହେବା ଯାଏଁ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ସୁରକ୍ଷାକର୍ମୀମାନେ ଚେତାବନୀ ଦେଇଛନ୍ତି।
ଅନ୍ୟପକ୍ଷରେ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଡା. ରୂପଭାନୁ ମିଶ୍ର କହିଛନ୍ତି ଯେ ଡାକ୍ତର ଓ ନର୍ସ ଆନ୍ଦୋଳନକୁ ଆଲୋଚନା ମାଧ୍ୟମରେ ଆଜି ସ୍ଥଗିତ ରଖାଯାଇଛି। କିନ୍ତୁ ଆଉଟ୍ସୋର୍ସିଂ କର୍ମଚାରୀ ଆମ କଥାରେ ନାହାନ୍ତି। ସେମାନଙ୍କ ଦାବି ପୁଲିସ ପୂରଣ କରିବ। ଏନେଇ ପୁଲିସ ସହିତ ଆମେ ଆଲୋଚନା କରିଛୁ। ଏଜେନ୍ସିକୁ ମଧ୍ୟ ଜଣାଇ ଦେଇଛୁ। ଅବ୍ୟବସ୍ଥା ବାବଦରେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦେଇଛୁ। ଖୁବଶୀଘ୍ର ସୁରକ୍ଷାକର୍ମୀଙ୍କ ଦାବି ପୂରଣ ହେବ ଏବଂ ସେମାନେ କାର୍ଯ୍ୟରେ ଯୋଗ ଦେବେ। ପୁଲିସ ସୁରକ୍ଷା ଯୋଗାଇ ଦେଉଛି। ଏହାସହିତ ଆାପାତକାଳ ପାଇଁ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।