ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ରୋଗୀଙ୍କ ଏମ୍‌ଆର୍‌ଆଇ ପାଇଁ ଲମ୍ବା ଧାଡ଼ି ଲାଗୁଛି। ଏପରିକି ରୋଗୀମାନଙ୍କୁ ଏକ ସପ୍ତାହ ଅପେକ୍ଷା କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ମଝିରେ ମଝିରେ ସିଟି ସ୍କାନ୍‌ ମେସିନ୍‌ ମଧ୍ୟ ଖରାପ ହୋଇଯାଉଥିବା ଅଭିଯୋଗ ହୋଇଛି। ବିଭିନ୍ନ ପାଥୋଲୋଜି ଟେଷ୍ଟ କରିବାକୁ ମଧ୍ୟ ବହୁ ସମୟ ଅପେକ୍ଷା କରିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। 

Advertisment

ସୂଚନା ଅନୁସାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ସେହି ତୁଳନାରେ ସୁବିଧା ମିଳୁନାହିଁ। ଯେତେ‌ବେଳେ ଦୈନିକ ୨୦୦୦ ରୋଗୀ ଥିଲେ ସେତେ‌ବେଳେ ଯେଉଁ ସୁବିଧା ମିଳୁଥିଲା, ଏବେ ଦୈନିକ ୫ହଜାର ରୋଗୀ ବେଳେ ବି ସେହି ସମାନ ଭିତ୍ତିଭୂମି ରହିଛି। ରୋଗୀ ବୃଦ୍ଧି ପାଉଛନ୍ତି କିନ୍ତୁ ସେହି ତୁଳନାରେ ସୁବିଧା ମିଳୁନଥିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଗୋଟିଏ ଲେଖାଏଁ ଏମ୍‌ଆର୍‌ଆଇ ଓ ସିଟି ସ୍କାନ୍‌ ମେସିନ ରହିଛି। ଆଉଟ୍‌ସୋର୍ସିଂ ‌ଜରିଆରେ ଏହାର ପରିଚାଳନା ହେଉଛି।

ଏମ୍‌ଆର୍‌ଆଇ ପାଇଁ ଲାଗୁଛି ଲମ୍ବା ଧାଡ଼ି
ରୋଗୀ ବଢ଼ୁଛନ୍ତି, ଭିତ୍ତିଭୂମି ବଢ଼ୁନି

ଦିନକୁ ପ୍ରାୟ ୧୦୦ ରୋଗୀ ଏମ୍‌ଆର୍‌ଆଇ ପଞ୍ଜୀକରଣ କରୁଥିବା ବେଳେ ୬୦ଟି ଏମ୍‌ଆର୍‌ଆଇ କରାଯାଉଛି। ତେଣୁ ରୋଗୀମାନଙ୍କୁ ଏମ୍‌ଆର୍‌ଆଇ ପାଇଁ ରୋଗୀଙ୍କୁ ୧୦/୧୨ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ସେହିପରି ଭାବେ ସିଟି ସ୍କାନ୍‌ ଉପରେ ମଧ୍ୟ ଚାପ ବୃଦ୍ଧି ପାଉଛି। ଦିନକୁ ପ୍ରାୟ ୨୦ଟି ସିଟି ସ୍କାନ୍‌ କରାଯାଉଛି। କିନ୍ତୁ ମେସିନ୍‌ ଉପରେ ଚାପ ପଡ଼ୁଥିବାରୁ ବିଭିନ୍ନ ଯନ୍ତ୍ରାଂଶ ଖରାପ ହୋଇଯାଉଛି। ଏହ‌ି ସବୁ ମେସିନର ଯନ୍ତ୍ରାଂଶ ଓଡ଼ିଶାରେ ମିଳୁ ନ ଥିବାରୁ ବାହାରୁ ମଗାଯାଇ ଲଗାଇବାକୁ ପଡ଼ୁଛି। ତେଣୁ ‌ଥରେ ମେସିନ ଖରାପ ହେଲେ ଠିକ୍‌ କରିବାକୁ ସମୟ ଲାଗୁଛି। ନିକଟରେ ସିଟି ସ୍କାନ୍‌ ମେସିନର ଏକ ଯନ୍ତ୍ରାଂଶ ପୋଡ଼ି ଯିବାରୁ ପ୍ରାୟ ଦୁଇଦିନ ଧରି ସ୍କାନ୍‌ ବନ୍ଦ ରହିଥିଲା।

ପାଥୋଲୋଜିରେ ମଧ୍ୟ ରୋଗୀ ସଂଖ୍ୟା ବଢ଼ିବାରୁ ରିପୋର୍ଟ ପ୍ରଦାନରେ ବିଳମ୍ବ ହେଉଛି। ଦିନକୁ ପ୍ରାୟ ୭୦୦ ରୁ ୮୦୦ ଲୋକ ପା ଥୋଲୋଜିରେ ବିଭିନ୍ନ ପ୍ରକାରର ‌ଟେଷ୍ଟ କରୁଛନ୍ତି। କିନ୍ତୁ ରିପୋର୍ଟ ମିଳିବାରେ ବିଳମ୍ବ ହେଉଛି। ଏପରିକି ବେଳେ ବେଳେ ବିଭିନ୍ନ ଲୋକଙ୍କ ରି‌ପୋର୍ଟ ମିଳୁ ନଥିବା ଅଭିଯୋଗ ହୋଉଛି। ଏନେଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ ରୋଗୀସଂଖ୍ୟା ବଢ଼ୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। କାହାକୁ ଫେରାଯାଉ ନାହିଁ। ସମସ୍ତଙ୍କୁ ସେବା ଯୋଗାଇ ଦିଆଯାଉଛି। ରୋଗୀ ବଢ଼ୁଥିବାରୁ ବିଳମ୍ବ ହେଉଛି।