କ୍ୟାପିଟାଲ ହସ୍ପିଟାଲର ସୁରକ୍ଷା ନେଇ ତନାଘନା

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲର ସୁରକ୍ଷା ବଢ଼ାଇବା ପାଇଁ କମିସନରେଟ୍‌ ପୁଲିସର ସହାୟତା ଲୋଡ଼ିଛନ୍ତି ହସ୍ପିଟାଲ କର୍ତୃପକ୍ଷ। ଏ ନେଇ ଗତକାଲି ହସ୍ପିଟାଲ କର୍ତୃପକ୍ଷ ଓ ପୁଲିସ କମିସନରଙ୍କ ମଧ୍ୟରେ ଆଲୋଚନା ହୋଇଛି। ହସ୍ପିଟାଲର ସୁରକ୍ଷାକୁ ଅଧିକ ଶାଣିତ କରିବା ପାଇଁ ଯେଉଁ ଯେଉଁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ତାହା ଉପରେ ଆଲୋଚନା କରାଯାଇଥିଲା।

କ୍ୟାପିଟାଲ ହସ୍ପିଟାଲରେ ଅନେକ ସମୟରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ମୃତ୍ୟୁ ହେବା ପରେ ସଂପର୍କୀୟମାନେ ଗଣ୍ଡଗୋଳ କରୁଛନ୍ତି। କେବଳ ରୋଗୀଙ୍କ ସଂପର୍କୀୟ ନୁହେଁ କର୍ମଚାରୀ-କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଛି। ଏହାସହ ଆଡମିଟ୍‌ ହୋଇଥିବା ରୋଗୀଙ୍କ ମୋବାଇଲ ସହିତ ଅନ୍ୟାନ୍ୟ ଆସବାବପତ୍ର ଚୋରି ହେଉଥିବା ଅଭିଯୋଗ ହେଉଛି। ଏସବୁ ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ବାରମ୍ବାର କମିସନରେଟ୍ ପୁଲିସର ସହାୟତା ଲୋଡ଼ିଥିଲେ। ଏହି ପରିପ୍ରେକ୍ଷୀରେ କମିସନରେଟ ପୁଲିସ ସହିତ ଆଲୋଚନା ହୋଇଛି।

ଏଥିରେ ହସ୍ପିଟାଲର ପ୍ରବେଶ ପଥକୁ ନିୟନ୍ତ୍ରଣ କରିବା ସହିତ ଲୋକମାନେ ଯେଭଳି ପା‌ଚେରି ଡେଇଁ ନ ପାରିବେ ସେଥିପାଇଁ ତାର ଜାଲି ଗୁଡ଼ାଇବା ଉପରେ ଗୁରୁତ୍ବ ଦିଆଯାଇଛି। ଏହାସହ ହସ୍ପିଟାଲର ସମସ୍ତ ପ୍ରବେଶ ପଥରେ ସିସିଟିଭି ଲଗାଯିବା ସହିତ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବା ଉପରେ ଆଲୋଚନା ହୋଇଛି। ହସ୍ପିଟାଲରେ ଏବେ ୫୨ଜଣ ସୁରକ୍ଷା କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ହସ୍ପିଟାଲର ସୁରକ୍ଷା ଦୃଷ୍ଟିରୁ ଏମାନଙ୍କ ସଂଖ୍ୟାରେ ବୃଦ୍ଧି କରାଯିବ କି ନାହିଁ ତାହା ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

ଉଲ୍ଲେଖ ଯେ, କ୍ୟାପିଟାଲ ହସ୍ପିଟାଲରେ କିଛିମାସ ତଳେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣା ପରେ କମିସନରେଟ୍ ପୁଲିସ ପକ୍ଷରୁ ବନ୍ଧୁକଧାରୀ ପୁଲିସଙ୍କୁ ମୁତୟନ କରାଯାଇଥିଲା। ସେମାନେ ରାତି ୧୦ଟାରୁ ସକାଳ ୬ପର୍ଯ୍ୟନ୍ତ ଡ୍ୟୁଟି କରୁଥିଲେ। ମାତ୍ର କିଛିଦିନ ରହିବା ପରେ ବନ୍ଧୁକଧାରୀ ପୁଲିସ କର୍ମୀଙ୍କୁ ଆଉ ହସ୍ପିଟାଲରେ ଦେଖିବାକୁ ମିଳୁନାହିଁ।

ସମ୍ବନ୍ଧିତ ଖବର