ଭୁବ‌ନେଶ୍ବର: ଅନ୍‌ଲାଇନ୍‌ରେ ମିଳୁନି କ୍ୟାପିଟାଲ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ଓପିଡି ଟିକେଟ୍‌। ଫଳରେ ପ୍ରବଳ ଖରା ଓ ଗୁଳୁଗୁଳିରେ ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଓପିଡି ଟିକେଟ୍ କାଟୁଛନ୍ତି। ଏପରିକି ହସ୍ପିଟାଲ୍ ପରିସରରେ ଥିବା ପ୍ରିଣ୍ଟର ମଧ୍ୟ ଖରାପ ହୋଇପଡ଼ିଛି। ଅନ୍‌ଲାଇନ୍‌ରେ ରିପୋର୍ଟ ମିଳିବା ‌ନେଇ ଯେଉଁ ପଦକ୍ଷେପ ନିଆଯାଇଥିଲା, ତାହା ମଧ୍ୟ କାର୍ଯ୍ୟକାରୀ ହେଉନି। ରିପୋର୍ଟ ସ୍କାନର୍‌ ମଧ୍ୟ ଅଚଳ ହୋଇପଡ଼ିଛି। କ୍ୟାପିଟାଲ ହସ୍ପିଟାଲକୁ ସଂପୂର୍ଣ୍ଣ ଡିଜିଟାଇଜ୍ କରାଯାଇ କାଗଜବିହୀନ କରିବାକୁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହା ‌ପ୍ରଥମରୁ ଝୁଣ୍ଟିଲାଣି। ଏହାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। ସୂଚନାନୁସାରେ ବିଭିନ୍ନ ହସ୍ପିଟାଲରେ ଭିଡ଼ କମାଇବା ପାଇଁ ଓପିଡି ଟିକେଟ୍‌କୁ ଅନ୍‌ଲାଇନ୍‌ରେ ବୁକିଂ ପାଇଁ ସରକାର ବ୍ୟବସ୍ଥା କରିଥିଲେ। ଯେଉଁଥିପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ସୀମିତ ସଂଖ୍ୟକ ଟିକେଟ୍‌ ଅନ୍‌ଲାଇନ୍‌ରେ ଉପଲବ୍ଧ କରାଯାଇଥିଲା। ଏହାସହିତ ଅନ୍‌ଲାଇନ୍‌ ଟିକେଟ୍‌କୁ ସ୍କାନ୍‌ କରି ପ୍ରିଣ୍ଟ ବାହାର କରିବା ପାଇଁ ହସ୍ପିଟାଲ୍‌ ପରିସରରେ ସ୍କାନର୍ ମେସିନ୍‌ ସ୍ଥାପନ କରାଯାଇଥିଲା। କିନ୍ତୁ ଏହି ଯୋଜନାରେ ହୃଦରୋଗ, କର୍କଟ, ନେଫ୍ରୋଲୋଜି, ନ୍ୟୁରୋ‌ଲୋଜି ଭଳି ସୁପର‌ସ୍ପେସାଲିଟି ବିଭାଗକୁ ଅନ୍ତର୍ଭୁକ୍ତ କରାଯାଇ ନଥିଲା।

Advertisment

ଏହି ସବୁ ବିଭାଗ‌କୁ ପରେ ସାମିଲ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏବେ ଯା‌ଏଁ ଏହି ସବୁ ବିଭାଗର ଓପିଡି ଟିକେଟ୍ ଅନ୍‌ଲାଇନ୍‌ରେ ମିଳି ପାରିଲାନି। ଏହାସହିତ ‌ଯେଉଁ ବିଭାଗର ଟିକେଟ୍ ମିଳୁଛି ତାହାର ପ୍ରିଣ୍ଟ୍‌ ବାହାରିପାରୁନାହିଁ। ଏହାବାଦ କ୍ୟାପିଟାଲ ହସ୍ପିଟାଲ୍‌ରେ ଓପିଡିକୁ କାଗଜବିହୀନ କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ସବୁ ଓପିଡିରେ କମ୍ପ୍ୟୁଟର ରହିବ। ଡାକ୍ତରମାନେ ରୋଗୀଙ୍କ ଓପିଡି ସିଆର୍‌ଏନ୍ ନମ୍ବର ଦ୍ବାରା ସବୁ ତଥ୍ୟ ଅପ୍‌ଲୋଡ୍‌ କରିପାରିବେ ଓ ଦେଖିପାରିବେ। ରୋଗୀ ମଧ୍ୟ ‌ଯେତେବେଳେ ଚାହିବେ, ସିଆର୍‌ଏନ୍ ନମ୍ବର ଦ୍ବାରା ସମସ୍ତ ରିପୋର୍ଟ୍ ଅନ୍‌ଲାଇନ୍‌ରେ ପାଇପାରିବ‌। ଏଥିପାଇଁ ହସ୍ପିଟାଲ୍‌ର ସମସ୍ତ ଟେଷ୍ଟିଂ ରିପୋର୍ଟକୁ ପ୍ରାଥମିକ ଭାବେ ଅନ୍‌ଲାଇନ୍‌ରେ ଉପଲବ୍ଧ କରାଯାଇଥିଲା। ଲୋକଙ୍କ ପାଖକୁ ଏନେଇ ମେସେଜ୍ ମଧ୍ୟ ଆସୁଥିଲା। କିନ୍ତୁ ଏବେ ଆଉ ମେସେଜ୍ ଆସୁନି। ରୋଗୀଙ୍କୁ ଧାଡ଼ିରେ ଛିଡ଼ାହୋଇ ରିପୋର୍ଟ ସଂଗ୍ରହ କରିବାକୁ ପଡୁଛି।

ଏନେଇ କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ କହିଛନ୍ତି, ଯେଉଁ ବିଭାଗର ଓପିଡି ଟିକେଟ୍ ଅନ୍‌ଲାଇନ୍‌ରେ ମିଳୁନାହିଁ ସେହି ବିଭାଗରେ ଡାକ୍ତର ଦୈନିକ ଏକ ସୀମିତ ସଂଖ୍ୟକ ରୋଗୀ ଦେଖୁଛନ୍ତି। ଧାଡ଼ିରେ ଛିଡ଼ା ହୋଇଥିବା ପ୍ରଥମ କିଛି ରୋଗୀଙ୍କୁ ଟିକେଟ୍ ମିଳୁଛି। କିନ୍ତୁ ଏହାକୁ ବିଚାରକୁ ନିଆଯାଇଛି। ଆଗକୁ ସବୁ ବିଭାଗର ଓପିଡି ଟିକେଟ୍ ଅନ୍‌ଲାଇନରେ ଉପଲବ୍ଧ ହେବ। ଅନ୍ୟପକ୍ଷରେ ସ୍କାନର୍‌ ଅଚଳ ଥିବା ଅଭିଯୋଗ ଆମ ପାଖରେ ନାହିଁ। ଏହାକୁ ଯାଞ୍ଚ କରାଯିବ। ଓପିଡିକୁ କାଗଜବିହୀନ କରାଯିବା ଯୋଜନା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ। ଡାକ୍ତର ଅଫ୍‌ଲାଇନ୍ ଓ ଅନ୍‌ଲାଇନ୍‌ ଟିକେଟ୍‌ରେ ରୋଗୀ ଦେଖିବେ।