ଘରୋଇ ନର୍ସିଂହୋମ୍‌ରୁ ଆଇସିୟୁକୁ ମନଇଚ୍ଛା ଆଣୁଛନ୍ତି ରୋଗୀ

କ୍ୟାପିଟାଲ ହସ୍ପିଟାଲ ସର୍ଜରି ଡାକ୍ତରଙ୍କ କାରସାଦି

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ସର୍ଜରି ବିଭାଗ ଡାକ୍ତରଙ୍କ କାରସାଦିର ଗୁମର ଖୋଲିବାରେ ଲାଗିଛି। ଅସ୍ତ୍ରୋପଚାର ପାଇଁ ବୀମାକାର୍ଡଧାରୀ ରୋଗୀଙ୍କୁ ଟଙ୍କା ମାଗିବା ଅଭିଯୋଗ ପରେ ଏବେ ବାହାର ନର୍ସିଂହୋମ୍‌ରୁ ମନଇଚ୍ଛା ରୋଗୀଙ୍କୁ ଆଣି ହସ୍ପିଟାଲ ଆଇସିୟୁରେ ଚିକିତ୍ସା କରାଯାଉଥିବା ଧରାପଡ଼ିଛି। ଆଇସିୟୁ ସିଟ୍‌କୁ ପୁଣିଥରେ ବିକ୍ରି କରାଯାଉଛି। କ୍ୟାପିଟାଲ ହସ୍ପିଟାଲର ଓ୍ଵାର୍ଡରେ ଥିବା ରୋଗୀଙ୍କ ପାଇଁ ଆଇସିୟୁର ଅଭାବ ପଡ଼ୁଥିବା ବେଳେ କେଉଁ ପରିସ୍ଥିତିରେ ବାହାର ନର୍ସିଂହୋମ୍‌ରୁ ରୋଗୀଙ୍କୁ ଅଣାଯାଇ ଚିକିତ୍ସା କରାଯାଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ମାସ ୨୮ ତାରିଖରେ ରାଜଧାନୀର ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ଭର୍ତି କରାଯାଇଥିଲା। ଉକ୍ତ ଘରୋଇ ନର୍ସିଂହୋମ୍‌ରେ ଆଇସିୟୁର ଅଭାବ ଥିବା ଓ ଅସ୍ତ୍ରୋପଚାର ପରେ ରୋଗୀଜଣଙ୍କ ଗୁରୁତର ହୋଇ ପଡ଼ିଥିବାରୁ ବିଳମ୍ବିତ ରାତିରେ ତାଙ୍କୁ ଘରୋଇ ନର୍ସିଂହୋମ୍‌ରୁ ଏଠାକୁ ସ୍ଥାନାନ୍ତର କରାଯାଇଥିଲା। ରୋଗୀଙ୍କ ଘର ବାଳକାଟି ଥାନା ଅଧୀନ ବୁଦ୍ଧିପଡ଼ାରେ। କ୍ୟାପିଟାଲ ହସ୍ପିଟାଲର ସର୍ଜରି ବିଭାଗର ଜଣେ ଡାକ୍ତର ସେହି ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସା କରୁଥିବାରୁ ତାଙ୍କ ପ୍ରରୋଚନାରେ ରୋଗୀଙ୍କୁ ହସ୍ପିଟାଲ ଆଇସିୟୁଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ମାତ୍ର ଚଳିତ ମାସ ୫ ତାରିଖରେ କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଦେହାନ୍ତ ହୋଇଯାଇଥିଲା। ସଂପୃକ୍ତ ଡାକ୍ତରଜଣକ ରୋଗୀଙ୍କ ସଂପର୍କୀୟଙ୍କୁ କୌଣସି ପ୍ରକାର ବୁଝାଇ ଘରକୁ ପଠାଇବାରେ ସକ୍ଷମ ହୋଇଥିଲେ। ଏ ସଂପର୍କରେ ହସ୍ପିଟାଲର ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଖବର ଥିଲେ ହେଁ, ଏହାକୁ ଚାପି ଦିଆଯାଇଥିଲା। କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ହସ୍ପିଟାଲର ଡାକ୍ତର ଓ କର୍ମଚାରୀ ମିଶି ଶଯ୍ୟା ବିକ୍ରି କରିଥିବା ଅଭିଯୋଗ ପରେ କର୍ତୃପକ୍ଷ ଏକ କମିଟି ଗଠନ କରିଥିଲେ। ଏହି ୪ ଜଣିଆ କମିଟିରେ ହସ୍ପିଟାଲର ନିର୍ଦେଶକ, ସୁପରିନଟେଣ୍ଡେଣ୍ଟ, ଆଇସିୟୁ ଇନଚାର୍ଜ ଓ ଜଣେ ବରିଷ୍ଠ ବିଶେଷଜ୍ଞ ଡାକ୍ତର ରହିଛନ୍ତି। କ୍ୟାପିଟାଲ ହସ୍ପିଟାଲ ବ୍ୟତୀତ ଅନ୍ୟ ଘରୋଇ ହସ୍ପିଟାଲ କିମ୍ବା ନର୍ସିଂହୋମ୍‌ରୁ ରୋଗୀଙ୍କୁ ହସ୍ପିଟାଲ ଆଇସିୟୁକୁ ସ୍ଥାନାନ୍ତର କରିବା ପାଇଁ ଏହି କମିଟି ନିଷ୍ପତ୍ତି ନେଇଥାଏ।

ଏଥିପାଇଁ ରୋଗୀଙ୍କ ଅଭିଭାବକ ଆଗୁଆ ଆବେଦନ କରିବାକୁ ପଡ଼ିଥାଏ। ବିଶେଷକରି ଗରିବ ଓ ଦୀର୍ଘଦିନ ଧରି ଘରୋଇ ହସ୍ପିଟାଲରେ ଚିକିତ୍ସା କରି ଦେବାଳିଆ ହୋଇଥିବା ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ଶଯ୍ୟା ଖାଲିଥିଲେ ରହିବାର ସୁଯୋଗ ଦିଆଯାଇଥାଏ। ମାତ୍ର ଗତ ମାସ ୨୮ତାରିଖରେ ଏଭଳି କୌଣସି ଆବେଦନ ହୋଇ ନ ଥିଲା କି ବିଶେଷଜ୍ଞ କମିଟି ଏହାର ଯାଞ୍ଚ କରିନାହାନ୍ତି। ମାତ୍ର କେଉଁ ପରିସ୍ଥିତି ଏକ ଘରୋଇ ନର୍ସିଂହୋମ୍‌ରୁ ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଇସିୟୁକୁ ସ୍ଥାନାନ୍ତର କରାଗଲା, ତାହା ସନ୍ଦେହ ସୃଷ୍ଟି କରିଛି। କ୍ୟାପିଟାଲ ହସ୍ପିଟାଲରେ ସମୁଦାୟ ୧୬ଟି ଆଇସିୟୁ ଶଯ୍ୟା ରହିଛି। ତହିଁରୁ ୪ଟି ଶଯ୍ୟା କେବଳ ହୃଦ୍‌ରୋଗୀଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଅନ୍ୟ ୧୨ଟି ବିଭିନ୍ନ ରୋଗୀଙ୍କ ପାଇଁ ରହିଛି। ତେବେ ହସ୍ପିଟାଲରେ ଯେତିକି ସଂଖ୍ୟକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି, ସବୁ ସମୟରେ ଆଇସିୟୁ ମିଳିବା ସମ୍ଭବ ହେଉନାହିଁ। ଫଳରେ ଅନେକ ରୋଗୀ ଘରୋଇ ହସ୍ପିଟାଲ କିମ୍ବା ନର୍ସିଂହୋମ୍‌କୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ମାତ୍ର ହସ୍ପିଟାଲର କିଛି ଡାକ୍ତର କାରସାଦି କରି ଘରୋଇ ହସ୍ପିଟାଲରୁ ରୋଗୀଙ୍କୁ ଆଣି କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତି କରାଉଛନ୍ତି। ଯାହାକୁ ନେଇ ଡାକ୍ତରଙ୍କ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୂର୍ବରୁ ସର୍ଜରି ବିଭାଗରେ ସ୍ୱାସ୍ଥ୍ୟବୀମା କାର୍ଡଧାରୀ ରୋଗୀଙ୍କୁ ଶୋଷଣ କରାଯାଉଥିବା ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କୁ ରିପୋର୍ଟ ମାଗିଥିଲେ। ସର୍ଜରି ବିଭାଗରେ ଗତ ୧ବର୍ଷ ମଧ୍ୟରେ ମାତ୍ର ୧୦୧ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟବୀମାର ସୁବିଧା ମିଳିଥିବା ରିପୋର୍ଟରେ ଜଣାପଡ଼ିଥିଲା। ଅନ୍ୟ ବିଭାଗଗୁଡ଼ିକ ଏହାଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ରୋଗୀଙ୍କୁ ସ୍ୱାସ୍ଥ୍ୟବୀମା ସୁବିଧା ଦେଉଥିବା ରିପୋର୍ଟରେ ଦର୍ଶାଯାଇଥିଲା। କ୍ୟାପିଟାଲ ହସ୍ପିଟାଲ ଆଇସିୟୁକୁ ମନଇଚ୍ଛା ଘରୋଇ ନର୍ସିଂହୋମ୍‌ରୁ ରୋଗୀଙ୍କୁ ଆଣିବାକୁ ନେଇ ହସ୍ପିଟାଲ କର୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ, କୌଣସି ଉତ୍ତର ମିଳିପାରି ନାହିଁ।

ସମ୍ବନ୍ଧିତ ଖବର