ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍‌ପିଟାଲରେ କେବଳ ଭୁବନେଶ୍ବର ନୁହେଁ, ଉପକଣ୍ଠ ଓ ଅନ୍ୟ ଜିଲ୍ଲାର ରୋଗୀ ନିର୍ଭର କରନ୍ତି। ହେଲେ ଏହା ଏକ ‘ରେଫରାଲ୍‌ ହସ୍‌ପିଟାଲ୍‌’ ହୋଇ ରହିଯାଇଛି। ପୂର୍ବରୁ ବିଜେପି ଏହି ଅବହେଳା ପାଇଁ ବିଜେଡି ସରକାରକୁ ଦୋଷ ଦେଉଥିବା ବେଳେ ବିଜେପି ସରକାର ଗଢ଼ିଲେ ସ୍ବାସ୍ଥ୍ୟସେବା କାହାକୁ ଅଭାବ ହେବ ନାହିଁ ବୋଲି ନାରା ଦେଇଥିଲା। ଗତ ବର୍ଷ ବସିଥିବା ରୋଗୀ କଲ୍ୟାଣ ସମିତି ବୈଠକରେ ନିଷ୍ପତ୍ତି ନିଆଯିବା ପରେ ସାଂସଦ ଅପରାଜିତ ଷଡ଼ଙ୍ଗୀ ଡିସେମ୍ବର ୧୫  ସୁଦ୍ଧ‌ା କ୍ୟାପିଟାଲ ହସ୍ପିଟାଲ ପରିସରରେ ଟ୍ରମା କେୟାର ସେଣ୍ଟର ଓ ଡିସେମ୍ବର ୩୧ ସୁଦ୍ଧା ମିସନ ଶକ୍ତି କାଫେ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ହେଲେ ଡିସେମ୍ବର ଯାଇ ଜାନୁଆରି ସରିବାକୁ ବସିଲାଣି କିନ୍ତୁ ଏବେ ଯାଏଁ କାଫେ ଆରମ୍ଭ ହୋଇ ପାରିଲା ନାହିଁ କି ଟ୍ରମା ‌କେୟାର ସେଣ୍ଟର ବି କ୍ୟାପିଟାଲ ହସ୍ପିଟାଲକୁ ହସ୍ତାନ୍ତର ହୋଇପାରିଲା ନାହିଁ। ଏତିକିରେ ସରିନି। ଏବେ କ୍ୟାପିଟାଲ ହସ୍ପିଟାଲରେ ୫୫ ଜଣ ଡାକ୍ତରଙ୍କର ମଧ୍ୟ ଅଭାବ ରହିଛି। ଫଳରେ ଆଜି ବି ଶହ ଶହ ରୋଗୀ କଟକ ଓ ଏମ୍‌ସ୍‌ ସ୍ଥାନାନ୍ତର ହେଉଛନ୍ତି।  

Advertisment

ଗତବର୍ଷ ନଭେମ୍ବର ୧୯ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବସିଥିଲା ରୋଗୀ କଲ୍ୟାଣ ସମିତିର ସାଧାରଣ ପରିଷଦ ବୈଠକ। ଏହି ବୈଠକରେ ୬ଟି ପ୍ରସ୍ତାବ ଉପରେ ଆଲୋଚନ‌ା‌ କରାଯାଇଥିଲା। ସେଥିରୁ ଗୁରୁତ୍ବପୂର୍ଣ୍ଣ ଥିଲା କ୍ୟାପିଟାଲ ହସ୍ପିଟାଲ ପରିସରରେ ଆଇସିୟୁ ସଂଖ୍ୟ‌ା ବୃଦ୍ଧି। ଏବେ ୧୬ ଟି ଆଇସିୟୁ ଥିବା ବେ‌ଳେ ଏହାକୁ ୪୦କୁ ବୃଦ୍ଧି କରାଯିବ ବୋଲି ଶ୍ରୀମତି ଷଡ଼ଙ୍ଗୀ ଘୋଷଣା କରିଥିଲେ। ହେଲେ ଏହି ଆଇସିୟୁ ଶଯ୍ୟା ତ’ ବୃଦ୍ଧି ହୋଇପାରିଲା ନାହିଁ; ବରଂ ‌ଯେଉଁ ୧୬ଟି ବେଡ୍‌ ଥିଲା ସେଥିରେ ରୋଗୀ ମଧ୍ୟ ଉତ୍ତମ ‌ସ୍ବାସ୍ଥ୍ୟ ସେବା ପାଉନାହାନ୍ତି। ଡାକ୍ତର ଅଭାବରୁ ଗୁରୁତର ରୋଗୀଙ୍କୁ ରଖି ଚିକିତ୍ସା କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଭୟ କରୁଛନ୍ତି। ଆଇସିୟୁ ନଥିବା କହି ଗୁରୁତର ରୋଗୀଙ୍କୁ ଏମ୍‌ସ୍‌ କିମ୍ବା କଟକ ପଠାଇ ଦିଆଯାଉଛି। ସ୍ବଚ୍ଛଳ ଶ୍ରେଣୀର ଲୋକମାନେ ଘରୋଇ ହସ୍ପିଟାଲକୁ ଯାଉଛନ୍ତି। ଗରୀବ ସାଧାରଣ ରୋଗୀଟିଏ ହତାଶ ହୋଇଯାଉଛି। କ୍ୟାପିଟାଲ ହସ୍ପିଟାଲରୁ ରେଫର୍‌ ହେଉଥିବା ରୋଗୀଙ୍କ ସଂଖ୍ୟା କମାଇବା ପାଇଁ କ୍ୟାପିଟାଲ ହସ୍‌ପିଟାଲ ପରିସରରେ ୨୦୨୨ ମସିହାରେ ଟ୍ରମା କେୟାର ସେଣ୍ଟର କରାଯିବ ବୋଲି ଘୋଷଣା କରାଯାଇଥିଲା। ଯାହା ଫଳରେ ମାତ୍ର ୧୦% ରୋଗୀଙ୍କୁ ‌ରେଫର୍‌ କରାଯିବ ବୋଲି ଆଶା କରାଯାଉଥିଲା। ୨୦୨୩ ଶେଷ ସୁଦ୍ଧା‌ ‌ଟ୍ରମା କେୟାର କାର୍ଯ୍ୟକ୍ଷମ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। ଏହି ଧାର୍ଯ୍ୟ ଅବଧୀକୁ ୨ ବର୍ଷ ପୂରିଲାଣି। କୋଠା ହୋଇଥିଲେ ମଧ୍ୟ ହସ୍‌ପିଟାଲକୁ ହସ୍ତାନ୍ତର ହୋଇନାହିଁ। ସାଂସଦ ଶ୍ରୀମତି ଷଡ଼ଙ୍ଗୀ ଡିସେମ୍ବର ୧୫ ସୁଦ୍ଧା ଏହା ହସ୍ପିଟାଲକୁ ହସ୍ତାନ୍ତର ହେବ ବୋଲି ଘୋଷଣା କରିଥିଲେ। କେବଳ ଘୋଷଣା କରି ନଥିଲେ, ବରଂ ଇଞ୍ଜିନିୟରଙ୍କୁ ଖୋଲା ବୈଠକରେ ତାଗିଦ କରିଥିଲେ। 
ଡିସେମ୍ବର ୩୧ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲ ପରିସରରେ ମିଶନ ଶକ୍ତି କାଫେ ଖୋଲିବାକୁ ସାଂସଦ ଘୋଷଣା କରିଥିଲେ। ଏହି କୋଠା ନିର୍ମାଣ ସରିଥିଲେ ମଧ୍ୟ ମିଶନ ଶକ୍ତିକୁ ହସ୍ତାନ୍ତର କରାଯାଇ ନଥିବାରୁ କାଫେ ଖୋଲି ପାରିନାହିଁ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା, ଏହି ଟ୍ରମାକେୟାର ସେଣ୍ଟର ଡିଏମ୍‌ଇଟି ଅଧିନରେ ଅଛି। ତେଣୁ ଯନ୍ତ୍ରାଂଶ, ଡାକ୍ତର ନିଯୁକ୍ତି ଡିଏମ୍‌ଇଟି କରିବେ। ତଥାପି ଖୁବ୍‌ ଶୀଘ୍ର ଟ୍ରମା କେୟାର କାର୍ଯ୍ୟକ୍ଷମ ହେବ। ମିଶନ ଶକ୍ତି କାଫେ ମଧ୍ୟ ଖୁବ ଶୀଘ୍ର ଖୋଲାଯିବ। ଖାଲି ପଡ଼ିଥିବା ଡାକ୍ତର ପଦ ପୂରଣ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି। 

ସ୍ବାସ୍ଥ୍ୟସେବା ସୁଧାରିବାକୁ କଥା ଦେଇଥିଲେ ସାଂସଦ

ସପ୍ତାହକୁ ଦୁଇ ଦିନ ହେବ ଏଣ୍ଡୋସ୍କୋପି
କ୍ୟାପିଟାଲ ହସ୍‌ପିଟାଲରେ ଏଥର ସପ୍ତାହକୁ ଦୁଇ ଦିନ ଏଣ୍ଡୋସ୍କୋପି କରାଯିବ। ପୂର୍ବରୁ ସପ୍ତାହକୁ କେବଳ ଗୋଟିଏ ଦିନ ଅର୍ଥାତ ଗୁରୁବାର ଦିନ କରାଯାଉଥିବା ବେଳେ ଏବେ ବୁଧବାର ଦିନ ମଧ୍ୟ ଏଣ୍ଡୋସ୍କୋପି କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପୂର୍ବରୁ ଗୋଟିଏ ଦିନ ଏଣ୍ଡୋସ୍କୋପି କରାଯାଉଥିବାରୁ ରୋଗୀମାନେ ଗୋଟିଏ ଦିନକୁ ଚାହିଁ ବସୁଥିଲେ। ଦିନକୁ ୩୦ ରୁ ୪୦ ଜଣଙ୍କର ଏଣ୍ଡୋସ୍କୋପି କରାଯାଉଥିଲା। ତେଣୁ ବହୁ ଲୋକ ବିଳମ୍ବକୁ ଏଡ଼ାଇବାକୁ ଯାଇ ଘରୋଇ ପରୀକ୍ଷାଗାରରେ ଖର୍ଚ୍ଚାନ୍ତ ହେଉଥିଲେ। ତେଣୁ ଏଣ୍ଡୋସ୍କୋପି ଦିନ ସଂଖ୍ୟା ବଢ଼ାଇବାକୁ ପୂର୍ବରୁ ଦାବି ହୋଇଆସୁଥିଲା। ଏହି ଦାବିକୁ ଗୁରୁତ୍ବର ସହ ନେଇ ରୋଗୀଙ୍କ ସୁବିଧା ପାଇଁ ସପ୍ତାହରେ ଦୁଇ ଦିନକୁ ବୃଦ୍ଧି କରାଯାଇଛି। ଦୁଇ ଜଣ ଡାକ୍ତର ଦୁଇ ଦିନ ଏଣ୍ଡୋସ୍କୋପି କରିବେ ବୋଲି ଜଣାପଡ଼ିଛି।