ଭୁବନେଶ୍ବର: ରାଜଧାନୀର ପ୍ରମୁଖ ଡାକ୍ତରଖାନା କ୍ୟାପିଟାଲ୍‌ ହସ୍ପିଟାଲ୍‌ର ସମ୍ପ୍ରସାରଣ ପାଇଁ ବହୁ ‌ଯୋଜନା କରାଯାଉଛି ଏବଂ ସେଥିପାଇଁ ଭିତ୍ତିଭୂମି ନିର୍ମାଣ କାମ ମଧ୍ୟ ହେଉଛି। ମାତ୍ର ପରିତାପର କଥା ଭିତ୍ତିଭୂମି ନିର୍ମାଣରେ ପ୍ରକଳ୍ପ ଅଟକି ଯାଉଛି। ଅତ୍ୟାଧୁନିକ ମେସିନର ବୋଝ ବୋହି ନୂଆ କୋଠାଟି ଠିଆ ହେଉଛି ସିନା ଜନସାଧରଣଙ୍କ କାମରେ ଲାଗି ପାରୁନାହିଁ। ଆଜି ପର୍ଯ୍ୟନ୍ତ ନବନିର୍ମିତ ଟ୍ରମା କେୟାର୍‌ ସେଣ୍ଟର ଲୋକାର୍ପଣ ନ ହୋଇପାରିବା ହେଉଛି ଏହାର ଏକ ଜ୍ବଳନ୍ତ ଉଦାହରଣ। ପାଖାପାଖି ୬ମାସ ହେଲା ଏହି ଅତ୍ୟାଧୁନିକ ଟ୍ରମା କେୟାର୍‌ ନିର୍ମାଣ କାମ ସରିଥିଲେ ହେଁ ଏହାର ଉଦ୍‌ଘାଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ସେହିଭଳି ସୁପରସ୍ପେସାଲିଟି ବିଭାଗରେ ଆଜି ପର୍ଯ୍ୟନ୍ତ ଆଇପିଡି ବା ଅନ୍ତର୍ବିଭାଗ ଖୋଲା ଯାଇପାରିନାହିଁ। ବଡ଼ କଥା ହେଉଛି ଏହାକୁ ପିଜି ଇନ୍‌ଷ୍ଟିଚ୍ୟୁଟ୍‌ରେ ପରିଣତ କରାଯିବା ପରେ ବି ରାଜଧାନୀର ମୁଖ୍ୟ ଚିକିତ୍ସାଳୟଟି ଆଜି ପର୍ଯ୍ୟନ୍ତ ରେଫରାଲ୍‌ ହସ୍ପିଟାଲ୍‌ ବୋଲି ଗଣା ହୋଇପାରିଲା ନାହିଁ।  

Advertisment

ଖୋଲିପାରୁନି ସୁପରସ୍ପେସାଲିଟି ବିଭାଗ ଆଇପିଡି

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ନବ ନର୍ମିତ ଟ୍ରମା କେୟାର ସେଣ୍ଟର ବିଲ୍ଡିଂର ନିର୍ମାଣ କାର୍ଯ୍ୟ ବହୁ ଦିନରୁ ସରିଛି। ପ୍ରାୟ ୬ ମାସ ପୂର୍ବରୁ ଏଠାରେ ଆବଶ୍ୟକ ଅତ୍ୟାଧୁନିକ ମେସିନ ସବୁ ଖଞ୍ଜା ହୋଇସାରିଛି। ଅର୍ଥାତ୍ ଏହା ଚିକିତ୍ସା ସେବା ଯୋଗାଇବା ଲାଗି ସବୁ ଦୃଷ୍ଟିରୁ ପ୍ରସ୍ତୁତ। ମାତ୍ର ଉଦ୍‌ଘାଟନ ହୋଇପାରୁନାହିଁ। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଚଳିତ ବର୍ଷ ଜୁଲାଇ ମାସରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରିଦର୍ଶନ କରିଥିଲେ। ସେହି ଅବସରରେ ସେ କହିଥିଲେ ଯେ ଟ୍ରମା କେୟାର୍‌ ସେଣ୍ଟର ଅଗଷ୍ଟ ମା‌ସରେ ଲୋକାର୍ପଣ ହେବ। କିନ୍ତୁ ହେଲା ନାହିଁ। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉତ୍ସବ ଅବସରରେ ଏହାକୁ ଉଦ୍‌ଘାଟନ କରାଯିବ ବୋଲି ଜୋର୍‌ଦାର ଚର୍ଚ୍ଚା ହେଲା। କିନ୍ତୁ ସେଦିନ ମଧ୍ୟ ହୋଇପାରିଲା ନାହିଁ। ‌ତେଣୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଆସୁଥିବା ବର୍ଣ୍ଣ କେସ୍, ଗୁରୁତର ଦୁର୍ଘଟଣା କେସ୍‌ ତଥା ଅନ୍ୟାନ୍ୟ ଗୁରୁତର ରୋଗୀଙ୍କୁ କଟକ ବଡ଼ ମେଡିକାଲ୍‌କୁ ରେଫର୍ କରିଦିଆଯାଉଛି। ଏହି ଟ୍ରମା କେୟାର୍‌ ସେଣ୍ଟର କାର୍ଯ୍ୟକ‌ାରୀ ହେବା ପରେ ସମସ୍ତ ପ୍ରକାଣ ଗୁରୁତର ରୋଗୀଙ୍କୁ ଏଠାରେ ହିଁ ଉନ୍ନତମାନର ଚିକିତ୍ସା ମିଳିବ ବୋଲି ଯେଉଁ ଆଶା କରାଯାଉଥିଲା, ତାହା ସ୍ବପ୍ନରେ ରହିଯାଇଛି। ଆଜି ବି ଗୁରୁତର ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି।  

କ୍ୟାପିଟାଲ୍‌ ହସ୍ପିଟାଲ୍‌ର ସୁପରସ୍ପେସାଲିଟି ବିଭାଗ ମଧ୍ୟ ଭଲ ଅବସ୍ଥାରେ ଚାଲିନାହିଁ ବୋଲି ଅଭିଯୋଗ ହୋଇଆସୁଛି। ଏହାର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗକୁ ଡାକ୍ତର ଆସୁନାହାନ୍ତି। ଅନ୍ୟ ବିଭାଗରେ କେବଳ ଓପିଡି ଚାଲୁଛି। ଡାକ୍ତରଙ୍କ ପରାମର୍ଶ ମିଳୁଛି। ଆଜି ପର୍ଯ୍ୟନ୍ତ ସୁପରସ୍ପେସାଲିଟି ବିଭାଗ ଗୁଡ଼ିକରେ ଆଇପିଡି ବ୍ୟବସ୍ଥା ହୋଇପାରିଲା ନା‌ହିଁ। ନ୍ୟୁରୋଲୋଜି ବିଭାଗକୁ ବହୁ ରୋଗୀ ଆସୁଥିଲେ ହେଁ ପ୍ରଥମରୁ ସପ୍ତାହକୁ ମାତ୍ର ତିନି ଦିନ ଡାକ୍ତର ଆସୁଛନ୍ତି। ପୁଣି ଏଠାରେ କ୍ୟାନସର୍ କେୟାର୍ ୟୁନିଟ୍ ଖୋଲାଯିବା ଯୋଜନା କରାଯାଇ ବିଲ୍ଡିଂ ନର୍ମାଣ କାମ ଆରମ୍ଭ କରାଯାଇଥିଲା। କ୍ୟାନ୍‌ସର ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟ ଥିଲା। ମାତ୍ର ୨ ବର୍ଷ ବିତିଯାଇଥି‌ଲେ ହେଁ ‌ବିଲ୍ଡିଂ ନିର୍ମାଣ କାମ ସରୁନାହିଁ। ସେହିଭଳି ମାଷ୍ଟରପ୍ଲାନିଂରେ ଥିବା ରୁମାଟୋଲୋଜି, ହେମାଟୋଲୋଜି, ଓଏଫ୍ଏମ୍‌ଏସ୍‌ ଆଦି ବିଭାଗ ଏବେ ‌ବି ଏଠା‌ରେ ‌ଖୋଲାଯାଇ ନାହିଁ।  ଏନେଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ କହିବା କଥା ଖୁବ୍‌ଶୀଘ୍ର ଟ୍ରମା କେୟାର୍‌ ସେଣ୍ଟର ଉଦ୍‌ଘାଟନ ହେବ ଏବଂ ରୋଗୀଙ୍କୁ ଅନ୍ୟାନ୍ୟ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଯିବ।