ଭୁବନେଶ୍ବର: କ୍ୟାପିଟାଲ୍ ହସ୍ପିଟାଲ୍ର ନବନିର୍ମିତ ଟ୍ରମାକେୟାର୍ ଉଦ୍ଘାଟନ ପାଇଁ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। ନିକଟରେ ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାହା କିଛି ଛୋଟମୋଟ କାମ ବାକି ରହିଛି, ତୁରନ୍ତ ଶେଷ କରିବାକୁ ତତ୍ପରତା ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀମାନେ ବାରମ୍ବାର କ୍ଷେତ୍ର ପରିଦର୍ଶନ କରି ଠିକାସଂସ୍ଥାକୁ ତାଗିଦ କରୁଥିବା ଜଣାପଡ଼ିଛି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅର୍ଥାତ ସେପ୍ଟେମ୍ବର ୧୭ ତାରିଖରେ ଏହି ଟ୍ରମାକେୟାର୍ ଉଦ୍ଘାଟନ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ଜୋର୍ ଧରିଛି। ଏଥିସହିତ ଷ୍ଟୋର୍ ରୁମ୍ ଓ ପିଜିଆଇର ନୂତନ ବିଲ୍ଡିଂ ମଧ୍ୟ ଉଦ୍ଘାଟନ ହୋଇପାରେ ବୋଲି ଚର୍ଚ୍ଚା ଲାଗିରହିଛି। ସ୍ବାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ ଓ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କୁ ମିଳିଥିବା ନିର୍ଦ୍ଦେଶକୁ ଆଧାର କରି ଏଭଳି ଚର୍ଚ୍ଚା ଚାଲିଛି।
କ୍ୟାପିଟାଲ୍ ହସ୍ପିଟାଲ୍ରୁ ରେଫର୍ କେସ୍କୁ କମ୍ କରିବା ଲକ୍ଷ୍ୟରେ ଏହି ଟ୍ରମାକେୟାର ନିର୍ମାଣ କରାଯାଇଛି। ବହୁ ଦିନ ଧରି କାମ ସରିଥିଲେ ମଧ୍ୟ ଉଦ୍ଘାଟନ ହୋଇପାରୁନାହିଁ। ଜୁଲାଇ ମାସରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ନିର୍ମାଣାଧୀନ ଟ୍ରମାକେୟାର୍ ସମେତ, ପିଜିଆଇ ନୂଆ ବିଲ୍ଡିଂ ପରିଦର୍ଶନ କରିଥିଲେ। ଯଥାଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୧ ସୁଦ୍ଧା ଉଦ୍ଘାଟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ପରେ ପିଜିଆଇ ବିଲ୍ଡିଂକୁ ବିଦ୍ୟୁତ୍ ସଂଯୋଗ କରାଯିବାରେ ବିଳମ୍ବ ହେବାରୁ ଉଦ୍ଘାଟନ ତାରିଖ ଘୁଞ୍ଚିଥିଲା। ଏବେ ସେହି ବଡ଼ ସମସ୍ୟାଟି ସମାଧାନ ହୋଇସାରିଛି। କେବଳ କିଛି ଛୋଟମୋଟ କାମ ବାକି ଅଛି। ସେସବୁ କାର୍ଯ୍ୟ ସେପ୍ଟେମ୍ବର ୧୭ ସୁଦ୍ଧା ସାରିବାକୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
ଯୋଜନାରେ ନାହିଁ ବହୁତଳ ପାର୍କିଂ
କ୍ୟାପିଟାଲ୍ ହସ୍ପିଟାଲ୍ରେ ପାର୍କିଂ ସମସ୍ୟା ବଡ଼ ଜଟିଳ। ଏମିତିକି ଡାକ୍ତରମାନେ ବି କାର୍ ପାର୍କିଂ ପାଇଁ ସମସ୍ୟା ଭୋଗୁଛନ୍ତି। ପିଜିଆଇ ହେବା ପରେ ରୋଗୀ ସଂଖ୍ୟା ବଢ଼ୁଛି। ତେଣୁ ସ୍ବାଭାବିକଭାବେ ହସ୍ପିଟାଲକୁ ଆସୁଥିବା ଗାଡ଼ି ସଂଖ୍ୟା ବଢ଼ୁଛି। ମାତ୍ର ପାର୍କିଂ ପାଇଁ ସ୍ଥାନାଭାବ ଜଟିଳ ସମସ୍ୟା ହୋଇ ରହିଛି। ଯିଏ ଯେଉଁଠି ଟିକିଏ ଜାଗା ଦେଖିଲା, ଗାଡ଼ି ରଖିଲା। ହସ୍ପିଟାଲ୍ କର୍ମଚାରୀଙ୍କ ପାଇଁ ପ୍ରଶାସନିକ ଭବନ ସମ୍ମୁଖରେ ଥିବା ପାର୍କିଂରେ ବି ଲୋକମାନେ ଗାଡ଼ି ରଖି ଦେଉଛନ୍ତି। ତେଣୁ ଡାକ୍ତରମାନଙ୍କ ପାଇଁ ଗାଡ଼ି ରଖିବାକୁ ଜାଗା ନାହିଁ। ସେହିଭଳି ଅଟୋଚାଳକଙ୍କ ଦାଦାଗିରି ବୃଦ୍ଧି ପାଇଲାଣି। ଜରୁରିକାଳୀନ ବିଭାଗ ସମ୍ମୁଖରେ ସେମାନେ ଜୋରଜବରଦସ୍ତ ଅଟୋ ରଖୁଛନ୍ତି। ସୁରକ୍ଷାକର୍ମୀ ଯେତେ ହୁଇସିଲ୍ ମାରନ୍ତୁ କିମ୍ବା ପାଖକୁ ଆସି ଯିବାକୁ କହିଲେ ମଧ୍ୟ ସେମାନେ ନାଲି ଆଖି ଦେଖାଉଛନ୍ତି। ଏବେ ମୁଖ୍ୟ ରାସ୍ତାରେ ମନ ଇଚ୍ଛା ଗାଡ଼ି ପାର୍କିଂ କରାଯାଉଛି। ଆମ୍ବୁଲାନ୍ସକୁ ମଧ୍ୟ ବାଟ ଛାଡ଼ୁ ନାହାନ୍ତି। ସୂଚନାଯୋଗ୍ୟ ଯେ ଏଠାରେ ବହୁ ତଳ ପାର୍କିଂ ନିର୍ମାଣ ପାଇଁ ପ୍ଲାନିଂ ଥିଲା। କିନ୍ତୁ ଏହା କାର୍ଯ୍ୟକାରୀ ହେବ ନାହିଁ ବୋଲି ଜଣାପଡ଼ିଛି। ଆଇଆଇଟି ମାଡ୍ରାସ୍ ଦେଇଥିବା ମାଷ୍ଟରପ୍ଲାନିଂରେ ପାର୍କିଂକୁ ନେଇ କିଛି ବ୍ୟବସ୍ଥା ନ ଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ରୂପଭାନୁ ମିଶ୍ର। ବହୁତଳ ପାର୍କିଂକୁ ନେଇ ଯୋଜନା ନଥିବା ଜଣାପଡ଼ିଛି।
ଅନିଶ୍ଚିତତାରେ ମିସନ୍ ଶକ୍ତି କାଫେ ଉଦ୍ଘାଟନ
ଦେଢ଼ ବର୍ଷରୁ ଅଧିକ ସମୟ ଧରି କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ମିସନ ଶକ୍ତି କାଫେ ନିର୍ମାଣ କାମ ସରିଛି। କିନ୍ତୁ ଉଦ୍ଘାଟନ ହୋଇପାରୁ ନାହିଁ। ମିସନ ଶକ୍ତି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ଉକ୍ତ କୋଠା ଭୂତକୋଠି ଭଳି ପଡ଼ିରହିଛି। ହସ୍ପିଟାଲ୍ କର୍ତ୍ତୃପକ୍ଷ ମଧ୍ୟ କେବଳ ଚିଠି ଲେଖି ବସି ପଡ଼ିଛନ୍ତି। କ୍ୟାପିଟାଲ୍ ହସ୍ପିଟାଲ୍କୁ ପିଜିଆଇରେ ପରିଣତ କରାଯିବା ପରେ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶାସନିକ ଭବନ ସମ୍ମୁଖରେ ଏକ କାଫେ ଖୋଲାଯାଇଥିଲା। ଏହି କାଫେରେ ମିଲ୍ ସହିତ ଟିଫିନ୍ ମଧ୍ୟ ଉପଲବ୍ଧ ହେବ ବୋଲି କୁହାଯାଇଥିଲା। ଏହାକୁ ମିସନ ଶକ୍ତି ପରିଚାଳନା କରିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଏହାକୁ କୌଣସି ମିସନ ଶକ୍ତି ଗ୍ରୁପ୍କୁ ହସ୍ତାନ୍ତର କରାଯାଇ ନାହିଁ।