କ୍ୟାପିଟାଲ ହସ୍ପିଟାଲରେ ପାନୀୟ ଜଳ ଅବ୍ୟବସ୍ଥା : ବ୍ୟବସ୍ଥାରେ ଗୁରୁତର ଅସଙ୍ଗତି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ପିଇବା ପାଣିକୁ ନେଇ ଅବ୍ୟବସ୍ଥା ସୃଷ୍ଟି ହୋଇଛି। ହସ୍ପିଟାଲର କେଉଁ ୱାର୍ଡରେ ଏକାଧିକ ଜଳ ବିଶୋଧନ ବ୍ୟବସ୍ଥା ରହିଛି ତ ଆଉ କେଉଁଠି ଖରାପ ହୋଇଯାଇଛି କିମ୍ବା ଅନ୍ୟତ୍ର ଉଠାଇ ଦିଆଯାଇଛି। ଯାହାଫଳରେ ଯେଉଁ ୱାର୍ଡରେ ପିଇବା ପାଣି ପାଇଁ କୌଣସି ବ୍ୟବସ୍ଥା ନାହିଁ ସେଠାରେ ରୋଗୀମାନଙ୍କୁ ଅନ୍ୟ ୱାର୍ଡ ପାଣି ଉପରେ ନିର୍ଭର କରିବାକୁ ପଡ଼ୁଛି। ଆସନ୍ତା କିଛିଦିନ ଭିତରେ ରାଜଧାନୀରେ ଉତ୍ତାପ ବୃଦ୍ଧି ପାଇବାର ଆଶଙ୍କା ରହିଥିବାରୁ ତୁରନ୍ତ ଖରାପ ‌ହୋଇଯାଇଥିବା ଜଳ ବିଶୋଧନ ବ୍ୟବସ୍ଥାକୁ ସଜାଡ଼ିବା ଲାଗି ଦାବି ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଏବେ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ପ୍ରତ୍ୟେକ ଦିନ ପ୍ରାୟ ସାଢ଼େ ୩ହଜାର ରୋଗୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କ ପାଇଁ ପିଇବା ପାଣିର ଆବଶ୍ୟକତା ପୂରଣ ପାଇଁ ଏବେ ଠାରୁ ପଦ‌କ୍ଷେପ ନିଆ ନ ଗଲେ ସ୍ଥିତି ଅଧିକ ଜଟିଳ ହୋଇପଡ଼ିବ। ଯଦିଓ ହସ୍ପିଟାଲର ଅନେକ ସ୍ଥାନରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି, ତଥାପି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟାକୁ ଦେଖିଲେ ଏହା ଯଥେଷ୍ଟ ନୁହେଁ ବୋଲି ଜନସାଧାରଣ କହିଛନ୍ତି। ହସ୍ପିଟାଲର ପୁରୁଷ ଭେଷଜ ୱାର୍ଡ‌ ନିକଟରେ ଆକ୍ବାଗାର୍ଡର ବ୍ୟବସ୍ଥା ଥିବା ବେଳେ ତାହା ଖରାପ ହୋଇଯାଇଛି। ସେହିପରି ମହିଳା ଭେଷଜ ୱାର୍ଡ ନିକଟରେ ପିଇବା ପାଣି ପାଇଁ ବ୍ୟବସ୍ଥା କରାଯାଇଛି, ମାତ୍ର ‌ଲୁହାବାଡ଼ ଭିତରେ କୌଣସି ଆକ୍ବାଗାର୍ଡ ନାହିଁ। ସେହିପରି କିଛିବର୍ଷ ତଳେ ନିର୍ମାଣ ହୋଇଥିବା ଏମ୍‌ସିଏଚ୍‌ ବିଲ୍ଡିଂରେ ମଧ୍ୟ ପିଇବା ପାଣି ସମସ୍ୟା ଦେଖା ଦେଇଛି। ଏଠାରେ କେବଳ ସ୍ତ୍ରୀ ଓ ପ୍ରସୂତିଙ୍କ ଚିକିତ୍ସା କରାଯାଉଥିବା ବେଳେ ପ୍ରଥମ ମହଲାରେ ପିଇବାପାଣି ଯନ୍ତ୍ର ଖରାପ ହୋଇ ରହିଛି। ସେହିପରି ଏହାର ତୃତୀୟ ମଡଳାରେ ମଧ୍ୟ ମେସିନ୍‌ ରହିଥିଲେ ହେଁ ପାଣି ନିଷ୍କାସନ୍ ପାଇଁ ଥିବା ପାଇପ୍ ନାହିଁ। ଯାହାଫଳରେ ମେସିନ୍ ଥାଇ ମଧ୍ୟ କୌଣସି କାମରେ ଆସୁନାହିଁ। ପ୍ରତ୍ୟେକ ଦିନ ଏଠାକୁ ପ୍ରସବ ପାଇଁ ମହିଳା ଓ ସେମାନଙ୍କ ସଂପର୍କୀୟ ଆସୁଥିବା ବେଳେ ପିଇବା ପାଣି ନେଇ ସମସ୍ୟା ହେଉଥିବା ରୋଗୀମାନେ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ପୁରୁଣା ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଏବେ ସିଟି ସ୍କାନ୍ ବ୍ୟବସ୍ଥା ଚାଲୁଛି। ପୂର୍ବରୁ ଏଠାରେ ପିଇବାପାଣି ମେସିନ୍ ରହିବା ପାଇଁ ଲୁହା ବାଡ଼ ଲଗାଯାଇଛି। ମାତ୍ର ମେସିନ୍ ନାହିଁ। ଏହି ମେସିନ୍‌କୁ ଅନ୍ୟତ୍ର କେଉଁଠାରେ ଲଗାଯାଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ସେହିପରି ଛାତିରୋଗ ବିଭାଗରେ ପିଇବା ପାଣି ପାଇଁଏକ ଷ୍ଟାଣ୍ଡ ନିର୍ମାଣ କରାଯାଇଛି। ମାତ୍ର ମେସିନ୍ ନାହିଁ। କେବେଠାରୁ ଏଠାରେ ଲାଗିଥିବା ମେସିନ୍‌କୁ କାଢ଼ି ନିଆଯାଇଛି। ଏ ସଂପର୍କରେ ହସ୍ପିଟାଲର ଅଧୀକ୍ଷକ ଡା.ନାରାୟଣ ସେଠୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ, ସେ ଏ ପ୍ରସଙ୍ଗକୁ ଏଡାଇ ଯାଇଥିଲେ।

ସମ୍ବନ୍ଧିତ ଖବର