ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ନାହିଁ ଆବଶ୍ୟକସଂଖ୍ୟକ ମହାପ୍ରୟାଣ ଗାଡ଼ି। ନିହାତି ୪ଟି ଗାଡ଼ି ଆବଶ୍ୟକ ଥିବା ବେଳେ ଏବେ ମାତ୍ର ଗୋଟିଏ ଗାଡ଼ି ଅଛି। ତେଣୁ ବହୁ ସମୟରେ ଗରିବ ଲୋକମାନେ ଏହି ସରକାରୀ ସେବା ପାଇବାରୁ ବଞ୍ଚିତ ହେବା ସହ ଘରୋଇ ମହାପ୍ରୟାଣ ଗାଡ଼ି ଭଡ଼ା କରି ଖର୍ଚ୍ଚାନ୍ତ ହେଉଛନ୍ତି। ଆଉ କିଛି ଗରିବ ଲୋକ ବିଳମ୍ବ ହେଉ ପଛେ ଶବକୁ ଧରି କ୍ୟାପିଟାଲ ହସ୍ପିଟାଲ ପରିସରରେ ଦୀର୍ଘ ସମୟ ଧରି ପଡ଼ି ରହୁଛନ୍ତି। ଫଳରେ ଶବକୁ ଉଚିତ ସମ୍ମାନ ମିଳୁ ନହିଁ ବୋଲି ଅଭିଯୋଗ ହୋଇଆସୁଛି। ଗତ ସପ୍ତାହରେ ଏମିତି ଏକ ଘଟଣାକ୍ରମେ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଜଣେ ବ୍ୟକ୍ତି ତାଙ୍କ ମା’ଙ୍କ ମୃତଦେହକୁ ଷ୍ଟ୍ରେଚର୍ରେ ପକାଇ ଘରକୁ ବୋହି ନେବାକୁ ଉଦ୍ୟମ କରିଥିଲେ। ଘଟଣାଟି ରାଜଧାନୀରେ ଗଭୀର ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣା ପରେ ଏବେ କ୍ୟାପିଟାଲ ହସ୍ପିଟାଲକୁ ଆଉ ଗୋଟିଏ ମହାପ୍ରୟାଣ ଗାଡ଼ି ମିଳିବ ବୋଲି ଜଣାପଡ଼ିଛି। ଖୋର୍ଦ୍ଧା ଜିଲ୍ଲାପାଳ ଖୁବ୍ଶୀଘ୍ର ଆଉ ଏକ ଗାଡ଼ି ଯୋଗାଇ ଦେବାକୁ କହିଛନ୍ତି। ସେହିଭଳି ଏଣିକି ଏହି ସେବା ବିନା ମୂଲ୍ୟରେ ଲୋକଙ୍କୁ ମିଳିବ ବୋଲି କୁହାଯାଇଛି। ତେବେ ୪ ଗାଡ଼ି ଆବଶ୍ୟକ ସ୍ଥାନରେ ଦୁଇଟି ଗାଡ଼ି ଦ୍ବାରା କିଭଳି ଶବକୁ ଉଚିତ ସମ୍ମାନ ମିଳିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ଆଉ ଏକ ମହପ୍ରଣାୟ ଗାଡ଼ି ମିଳିବା ପରେ କ୍ୟାପିଟାଲ ହସ୍ପିଟାଲରେ ଦୁଇଟି ଗାଡ଼ି ହେବ। କିନ୍ତୁ ଦୁଇଟି ଗାଡ଼ି ସମସ୍ତଙ୍କୁ ଠିକ୍ ସମୟରେ ସେବା କିଭଳି ଯୋଗାଇବାକୁ ସକ୍ଷମ ହେବ, ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାନୁସାରେ, ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ଦୈନିକ ୭ରୁ ୯ଟି ଶବ ଆସୁଥିବା ବେଳେ ହସ୍ପିଟାଲରେ ୩ରୁ ୫ଜଣଙ୍କ ମୃତ୍ୟୁ ହେଉଛି। ସବୁକୁ ମିଶାଇଲେ ଜିଲ୍ଲା ଓ ଜିଲ୍ଲା ବାହାରୁ ଦୈନିକ ୧୦/୧୫ଟି ଶବ କ୍ୟାପିଟାଲ ହସ୍ପିଟାଲର ମହାପ୍ରୟାଣ ଗାଡ଼ି ଉପରେ ନିର୍ଭରଶୀଳ। ତେଣୁ ଏହି ସ୍ଥିତି ପାଇଁ ନିହାତି ୪ଟି ମହାପ୍ରୟାଣ ଗାଡ଼ି ଦରକାର। ଏଣେ ବର୍ତ୍ତମାନ ପିଜିଆଇ ଖୋଲିବା ପରେ ଏଠାକୁ ଅଧିକ ସଂଖ୍ୟାରେ ରୋଗୀ ଆସୁଛନ୍ତି। କିଛି ଦିନ ମଧ୍ୟରେ ବେଡ୍ ସଂଖ୍ୟା ମଧ୍ୟ ୨ହଜାରକୁ ବୃଦ୍ଧି ହେବା ନେଇ ୫-ଟି ସଚିବଙ୍କ ଗସ୍ତରୁ ସୂଚନା ମିଳିଛି। ରୋଗୀ ସଂଖ୍ୟା ବଢ଼ିବା ସହ ଏଣିକି ଏହି ହସ୍ପିଟାଲରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ରହିଛି। ତେଣୁ ମାତ୍ର ୨ଟି ମହାପ୍ରୟାଣ ଗାଡ଼ିରୁ ଗରିବ ଲୋକେ କିଭଳି ସେବା ପାଇବେ, ସେନେଇ ବିଭିନ୍ନ ମହଲରୁ ଉଦ୍ବେଗ ପ୍ରକାଶ ପାଇଛି। ଏଣେ ଏହି ଗାଡ଼ିରେ ହେଲପର୍ ନଥିବାରୁ ଡ୍ରାଇଭର୍ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେ ଗୋଟିଏ ଗାଡ଼ି ପାଇଁ ୨ଜଣ ଚାଳକ ଅଛନ୍ତି ଏବଂ ସେମାନେ ପାଳି କରି ଗାଡ଼ି ଚଳାଉଛନ୍ତି। ଏକୁଟିଆ ରାତିରେ ଦୂର ସ୍ଥାନକୁ ଶବ ନେଇଯିବାରେ ସମସ୍ୟା ହେଉଛି। ତେଣୁ ଅଧିକ ସଂଖ୍ୟାରେ ମହାପ୍ରୟାଣ ଗାଡ଼ି ଓ ସବୁ ଗାଡ଼ିରେ ହେଲପର୍ ନିଯୁକ୍ତି ଦେବାକୁ ଦାବି ହେଉଛି। ତେବେ ମହାପ୍ରୟାଣ ଗାଡ଼ି ସେବା ସହ ସମ୍ପୃକ୍ତ ଜଣେ ଅଧିକାରୀ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଅଧିକ ମହାପ୍ରୟାଣ ଗାଡ଼ି ଯୋଗାଇଦେବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଅଣାଯାଇଛି।