କ୍ୟାପିଟାଲ ହସ୍ପିଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହେବ ନୂଆ ପଞ୍ଜୀକରଣ କେନ୍ଦ୍ର

ସାମାଜିକ ଦୂରତା ରକ୍ଷା କରି ଟିକେଟ୍ କଟାଯିବ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଆସନ୍ତାକାଲି ନୂତନ ପଞ୍ଜୀକରଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ଏହି କେନ୍ଦ୍ରରେ ସର୍ବାଧିକ ୫ ଶହ ଲୋକଙ୍କୁ ଏକକାଳୀନ ପଞ୍ଜୀକରଣ ସୁବିଧା ମିଳିପାରିବ। ମାତ୍ର ଏବେ କରୋନା ସଂକ୍ରମଣ ପାଇଁ ସାମାଜିକ ଦୂରତା ରକ୍ଷା କରିବା ଉ‌ପରେ ଗୁରୁତ୍ବ ଦିଆଯାଉଥିବାରୁ ଏତେ ସଂଖ୍ୟକ ଲୋକଙ୍କୁ ଛିଡ଼ା ହେବାର ଅନୁମତି ମିଳିବ ନାହିଁ।

ହସ୍ପିଟାଲକୁ ଏବେ ଦୈନିକ ପ୍ରାୟ ୪ ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଓପିଡି ବା ବହିର୍ବିଭାଗରେ ଡାକ୍ତରଙ୍କୁ ଭେଟିବା ଲାଗି କେନ୍ଦ୍ରୀୟ ପଞ୍ଜୀକରଣ କାଉଣ୍ଟର୍‌ ରହିଛି। ମାତ୍ର ତାହା ଯଥେଷ୍ଟ ହେଉନାହିଁ। ସେଠାରେ ଜାଗାର ଅଭାବ ଯୋଗୁଁ ଏକକାଳୀନ ବହୁସଂଖ୍ୟାରେ ଲୋକଙ୍କ ଟିକେଟ୍‌ରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ହସ୍ପିଟାଲର ଏଟିଏମ୍‌ କାଉଣ୍ଟରକୁ ଲାଗି ଏବେ ନୂତନ ପଞ୍ଜୀକରଣ କେନ୍ଦ୍ର ଖୋଲାଯାଇଛି। ଏଠାରେ ପୁରୁଷ ଓ ମହିଳାଙ୍କ ପାଇଁ ୨ଟି ଲେଖାଏଁ କାଉଣ୍ଟର୍‌ ଥିବା ବେଳେ ବରିଷ୍ଠ ନାଗରିକ/ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଟିକେଟ୍‌ କାଉଣ୍ଟର୍‌ ରହିଛି। ଏହାସହ ପାନୀୟ ଜଳର ସୁବିଧା ଓ ସିଟ୍‌ ମଧ୍ୟ ରହିଛି।

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହାକୁ ନଜରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲଗୁଡ଼ିକରେ କେନ୍ଦ୍ରୀୟ ପଞ୍ଜୀକରଣ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର କ୍ୟାପିଟାଲ ହସ୍ପିଟାଲକୁ ବହୁସଂଖ୍ୟାରେ ରୋଗୀ ଆସୁଥିବାରୁ ମାନୁଆଲ ପଞ୍ଜୀକରଣ କରିବା ଏକପ୍ରକାର ଅସମ୍ଭବ ବୋଲି କହିଛନ୍ତି ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ। ଡା. ସାହୁଙ୍କ କହିବା କଥା, ପଞ୍ଜୀକରଣ କେନ୍ଦ୍ରରେ ସାମାଜିକ ଦୂରତ୍ବ ଯେପରି ବଜାୟ ରହିବ, ତାହାକୁ ଗୁରୁତ୍ବ ଦିଆଯିବ। ଏ ଦୃଷ୍ଟିରୁ କେନ୍ଦ୍ରୀୟ ପଞ୍ଜୀକରଣ ବ୍ୟବସ୍ଥାକୁ ଚାଲୁ ରଖିବା ଲାଗି ହସ୍ପିଟାଲ ନିଷ୍ପତ୍ତି ନେଇଛି। ନଚେତ୍ ଏତେସଂଖ୍ୟକ ରୋଗୀଙ୍କ ପଞ୍ଜୀକରଣ କରିବା ଅସମ୍ଭବ ହୋଇପଡ଼ିବ। କେନ୍ଦ୍ରରେ ଟିକେଟ୍ ପାଇଁ ଆସୁଥିବା ରୋଗୀଙ୍କ ପାଇଁ ଅନ୍ୟ ସୁବିଧା ମଧ୍ୟ ରହିଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର