କ୍ୟାପିଟାଲ ହସ୍ପିଟାଲ ୱାର୍ଡରୁ ଟ୍ୟାପ୍‌, ସାୱାର୍‌ ଚୋରି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଗତ କିଛି ମାସ ଧରି ବିଭିନ୍ନ ୱାର୍ଡରେ ଲାଗିଥିବା ବାଥ ଫିଟିଙ୍ଗ୍‌ସ ଚୋରି ହେଉଛି। ଯେତେ ନୂଆ ଲାଗୁଛି ସେତେ ଚୋରି ହେଉଛି। କିଏ ଚୋରି କରୁଛି ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ୁନାହିଁ। ବାରମ୍ବାର ଚୋରି ହେବା ଯୋଗୁଁ ବିଭିନ୍ନ ୱାର୍ଡରେ ରୋଗୀଙ୍କ ପାଇଁ ଶୌଚାଳୟକୁ ବ୍ୟବହାର କରିବାରେ ସମସ୍ୟା ଉପୁଜୁଛି। ଅପରପକ୍ଷରେ ହସ୍ପିଟାଲ କର୍ତୃପକ୍ଷ ଚୋର ଧରିବା ସମ୍ଭବ ନୁହେଁ ବୋଲି ସିଧାସିଧା କହି ଦେଇଛନ୍ତି। ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ନୂତନ ଭାବେ ନିର୍ମିତ ହୋଇଥିବା ଏମ୍‌ସିଏଚ୍‌ ବିଲ୍ଡିଂର ପ୍ରଥମ ମହଲା ଓ ତୃତୀୟ ମହଲାରେ ନିୟମିତ ଭାବେ ବାଥ ଫିଟିଙ୍ଗ୍‌ସ ଚୋରି ହେଉଛି। କେବଳ ଏମ୍‌ସିଏଚ୍‌ ବିଲ୍ଡିଂ ନୁହେଁ, ହସ୍ପିଟାଲର ବିଭିନ୍ନ ୱାର୍ଡରୁ ନିୟମିତ ଭାବେ ଏହି ଚୋରି ହେଉଛି। ତେବେ କିଏ ଏହାକୁ ଚୋରି କରୁଛି ତାହା ଜଣାପଡ଼ୁନାହିଁ। ଏମ୍‌ସିଏଚ୍ ବିଲ୍ଡିଂରେ ଏକାଧିକ ସିକ୍ୟୁରିଟି ଗାର୍ଡ ରହିଛନ୍ତି ଓ ହସ୍ପିଟାଲ୍‌ରେ ମଧ୍ୟ ଏକ ପୁଲିସ ଫାଣ୍ଡି ରହିଛି। ତଥାପି ଚୋର ଧରା ପଡ଼ୁ ନାହାନ୍ତି। ହସ୍ପିଟାଲ କର୍ତୃପକ୍ଷ ମଧ୍ୟ ଏହାକୁ ଏକ ସାଧାରଣ ଘଟଣା ଭା‌ବି ଜୋର ଦେଉନାହାନ୍ତି। ଫଳରେ ନିୟମିତ ଏଥିପାଇଁ ଟଙ୍କା ଖର୍ଚ ହେଉଛି। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି, ଚୋର ଧରା ପଡ଼ୁ ନାହାନ୍ତି। ଯଦିଓ ସିକ୍ୟୁରିଟି ଗାର୍ଡ ଅଛନ୍ତି ତେବେ ବାଥରୁମ୍‌ ଭିତରୁ କିଏ କେତେବେଳେ ଏହାକୁ ଚୋରି କରୁଛି ତାହା ଧରିବା ସମ୍ଭବ ନୁହେଁ। ପୁଲିସ ଫାଣ୍ଡିକୁ ମଧ୍ୟ ଜଣାଯାଉଛି। ହେଲେ କେହି ଧରା ପଡ଼ୁନାହାନ୍ତି ବୋଲି ଡା. ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର