କ୍ୟାପିଟାଲ୍‌ ହସ୍ପିଟାଲ୍‌ କାଜୁଆଲିଟିରେ ଘୋର ଅବ୍ୟବସ୍ଥା: ବାରଣ୍ଡାରେ ଛଟପଟ ହେଲେ ଗର୍ଭବତୀ

ଟୋକନ୍ ସଂସ୍ଥାର ମନମାନୀ

ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍ପିଟାଲ୍‌ ଜରୁରୀକାଳୀନ ବିଭାଗରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। କାଜୁଆଲିଟିକୁ ଆସୁଥିବା ରୋଗୀଙ୍କୁ ଟୋକନ ମିଳିବାରେ ସମସ୍ୟା ହେଉଛି ବୋଲି ଅଭିଯୋଗ ହେଉଛି। ଟୋକନ ବଣ୍ଟନ ଦାୟିତ୍ବରେ ଥିବା ବେସରକାରୀ ସଂସ୍ଥା ରୋଗୀମାନଙ୍କୁ ହଇରାଣ କରୁଥିବା ଦେଖିବାକୁ ମଳୁଛି। ଉକ୍ତ ସଂସ୍ଥା ରୋଗୀର ଅବସ୍ଥା ପରଖିବା ବାହାନାରେ ମନମାନୀ କରୁଛି ବୋଲି ଅଭିଯୋଗ ହେଉଛି। ଅନେକ ସମୟରେ ରୋଗୀର ଅବସ୍ଥା ସଂଗିନ୍ ନଥିବା ଦର୍ଶାଇ ଟୋକନ ଦେଉନାହିଁ ଓ ହସ୍ପିଟାଲ ବାରଣ୍ଡାରୁ ଫେରାଇ ଦେଉଥିବା ଅଭିଯୋଗ ହେଉଛି। ଆଜି ଜଣେ ଗର୍ଭବତୀ ହସ୍ପିଟାଲ୍‌ ବାରଣ୍ଡାରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ତାଙ୍କୁ ଟୋକନ ଦେବାକୁ ଉକ୍ତ ସଂସ୍ଥା ବହୁ ବିଳମ୍ବ କରିଥି‌ବାରୁ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା।

ସୂଚନାନୁସାରେ ବାଳକାଟିର ଆସିଥିବା ଏହି ମହିଳା ହେଉଛନ୍ତି ସରୋଜିନୀ ଜେନା। ୫ ମାସର ଗର୍ଭବତୀ ଥିବା ସରୋଜିନୀ ଗତ ରାତିରେ ଅସୁସ୍ଥ ହୋଇପଡ଼ିଥିଲେ। ପ୍ରବଳ ମୁଣ୍ଡ ବିନ୍ଧା ସହ ତାଙ୍କର ବାନ୍ତି ହୋଇଥିଲା। ଆଜି ସେମାନେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପରେ ଡାକ୍ତର ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇ ଦେଇଥିଲେ। ପୂର୍ବାହ୍ଣ ୧୧ ଟାରେ ସେମାନେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପହଁଞ୍ଚିଥିଲେ ସୁଦ୍ଧା କାଜୁଆଲିଟିରେ ଦେଖାଇବା ପାଇଁ ତାଙ୍କୁ ଟୋକନ ମିଳିନଥିଲା। ଅପରାହ୍ଣ ୧ ଟା ପର୍ଯ୍ୟନ୍ତ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଟୋକନ ଦାୟିତ୍ବରେ ଥିବା ସଂସ୍ଥା ତାଙ୍କୁ ୪ ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ। ଅବଶ୍ୟ ପରେ ଜଣେ ସାମ୍ବାଦିକଙ୍କ ହସ୍ତ‌କ୍ଷେପ ଯୋଗୁଁ ତାଙ୍କୁ ଟୋକନ ମିଳିଥିଲା। ସେହିଭଳି ଖୋର୍ଦ୍ଧା ନିରାକାରପୁରରୁ ଆସିଥିବା ବାସନ୍ତୀ ନାୟକଙ୍କୁ ମଧ୍ୟ ଅଧ ଘଣ୍ଟା ଠିଆ କରାଇବା ପରେ ବି ଉକ୍ତ ସଂସ୍ଥାର କର୍ମଚାରୀମାନେ ତାଙ୍କୁ ଟୋକନ ଦେଇନଥିଲେ। ପର ଦିନ ସକାଳୁ ଆସି ଓପିଡି ଟିକେଟ୍‌ କରିବାକୁ ତାଙ୍କୁ କହିଥିଲେ। ଏଭଳି ପ୍ରତିଦିନ ବହୁ ଉଦାହରଣ ଦେଖିବାକୁ ମିଳୁଛି କ୍ୟାପିଟାଲ୍‌ ହସ୍ପିଟାଲ୍‌ର କାଜୁଆଲିଟି ବିଭାଗରେ। ବହୁ ରୋଗୀ ଏଠାରୁ ଟୋକନ ନପାଇ ବାଧ୍ୟରେ ଘରୋଇ ଡାକ୍ତରଖାନା ମୁହାଁ ହେଉଥିବା ଦେଖିବାକୁ ମିଳିଛି। ଏବାବଦରେ ଟୋକନ ବାଣ୍ଟୁଥିବା କର୍ମଚାରୀଙ୍କୁ ପଚାରିବାରୁ ସେମାନେ କହୁଛନ୍ତି ଯେ ଜରୁରୀକାଳୀନ ବିଭାଗରେ ରୋଗୀଙ୍କ ଭିଡ଼ ହେଉଥିବାରୁ ହସ୍ପିଟାଲ୍‌ ନିର୍ଦ୍ଦେଶକ ସେମାନଙ୍କୁ ଏଭଳି କରିବାକୁ ଦାୟିତ୍ବ ଦେଇଛନ୍ତି। ସେହିଭଳି ନିହାତି ଜରୁରୀ ସେବା ଦରକାର କରୁନଥିବା ରୋଗୀଙ୍କୁ ଟୋକନ ନ ଦେବା ପାଇଁ ଡାକ୍ତରମାନେ ମଧ୍ୟ ସେମାନଙ୍କୁ ତାଗିଦ୍ କରିଛନ୍ତି ବୋଲି ସେମାନେ କହିଛନ୍ତି।

ସୂଚନାଯୋଗ୍ୟ ପୂର୍ବରୁ ଏଭଳି ବ୍ୟବସ୍ଥା ନଥିଲା। ରୋଗୀଟିଏ ସିଧାସଳଖ ଟିକେଟ୍‌ କରି ଡାକ୍ତରଙ୍କୁ ଦେଖା କରିପାରୁଥିଲା। ତେଣୁ ଏବେ ପ୍ରଶ୍ନ ଉଠୁଛି ଏହି ସଂସ୍ଥା କିଭଳି ଜଣେ ରୋଗୀର ଅବସ୍ଥା ପରୀକ୍ଷା କରି ଟୋକନ ଦେଉଛି। ରୋଗୀର ଅବସ୍ଥା ପରଖିବା ପାଇଁ ଏହି ସଂସ୍ଥାର କର୍ମଚାରୀମାନଙ୍କ କେଉଁ ଯୋଗ୍ୟତା ରହିଛି? ବଡ଼ କଥା ହେଉଛି ଏବେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ବି ଆମ୍ବୁଲାନ୍‌ସ ଚାଳକଙ୍କୁ ଏହି ସଂସ୍ଥା ପାଖରେ ଗୋଡ଼ ଭାଙ୍ଗି ଠିଆ ହେବାକୁ ପଡ଼ୁଛି ବୋଲି କିଛି ଆମ୍ବୁଲାନ୍ସ ଡ୍ରାଇଭର କହିଛନ୍ତି। ଏବାବଦରେ ହସ୍ପିଟାଲ୍‌ ନିର୍ଦ୍ଦେଶକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଜରୁରୀକାଳୀନ ବିଭାଗରେ ଡାକ୍ତରମାନେ ସମସ୍ତଙ୍କ ଚିକିତ୍ସା କରିବା ସମ୍ଭବ ନୁହେଁ। ଯେଉଁମାନଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା କେବଳ ସେମାନଙ୍କର ହିଁ ଚିକିତ୍ସା କରାଯାଇପାରିବ। ତେଣୁ କେବଳ ଜରୁରୀକାଳୀନ ବିଭାଗରେ ଏହି ଟୋକନ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର