ଏସ୍ଏନ୍ସିୟୁ, ଆଇସିୟୁ ଓ କାଜୁଆଲଟିରେ ରୋଗୀ ହନ୍ତସନ୍ତ
ଭୁବନେଶ୍ୱର : ରାଜ୍ୟବ୍ୟାପୀ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି। ବିଶେଷ କରି କ୍ୟାପିଟାଲ ହସ୍ପିଟାଲରେ ଏନ୍ଏଚ୍ଏମ୍ ଅଧୀନରେ କାର୍ଯ୍ୟରତ କର୍ମଚାରୀ ଏଥିରେ ସାମିଲ ହୋଇଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା।
କ୍ୟାପିଟାଲ ହସ୍ପିଟାଲରେ ସମୁଦାୟ ୧୬୦ଜଣ ନର୍ସିଂ କର୍ମଚାରୀ ରହିଛନ୍ତି। ଏଥିରୁ ଏନ୍ଏଚ୍ଏମ୍ ଅଧୀନରେ ୮୨ଜଣ ନର୍ସିଂ କର୍ମଚାରୀ କାର୍ଯ୍ୟ କରୁଛିନ୍ତି। ଏହି ନର୍ସିଂ କର୍ମଚାରୀମାନଙ୍କୁ ଶିଶୁ ଓ୍ଵାର୍ଡରେ ଥିବା ଏସ୍ଏନ୍ସିୟୁ, ଆଇସିୟୁ ଓ କାଜୁଆଲଟିରେ ନିଯୁକ୍ତି ଦିଆଯାଇଛି। ଆଜି ଏହି ୩ଟି ସ୍ଥାନରେ କାର୍ଯ୍ୟରତ ନର୍ସିଂ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ଫଳରେ ରୋଗୀ ସେବାରେ ସମସ୍ୟା ଉପୁଜୁଥିଲା। ହସ୍ପିଟାଲରେ କାର୍ଯ୍ୟରତ ଅନ୍ୟ ନର୍ସିଂ କର୍ମଚାରୀଙ୍କୁ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହୋଇ ପଡ଼ିଥିଲା। ଫଳରେ ଅନ୍ୟ ଓ୍ଵାର୍ଡରେ କାର୍ଯ୍ୟରତ ନର୍ସିଂ କର୍ମଚାରୀମାନଙ୍କୁ ଏହି ୩ଟି ସ୍ଥାନରେ କାର୍ଯ୍ୟ କରିବାକୁ ପଡ଼ିଥିଲା। ଆଇସିୟୁରେ କାର୍ଯ୍ୟରତ ନର୍ସିଂ କର୍ମଚାରୀ ସ୍ୱତନ୍ତ୍ର ତାଲିମପ୍ରାପ୍ତ ହୋଇଥିବାରୁ ସେମାନଙ୍କୁ ଏସ୍ଏନ୍ସିୟୁରେ କାର୍ଯ୍ୟ କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ନିର୍ଦେଶ ଦେଇଥିଲେ। ତେବେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଥିବାରୁ ହସ୍ପିଟାଲରେ ରୋଗୀ ସେବା ଅଧିକ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଛି।
କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସ କହିଛନ୍ତି, ଏସ୍ଏନ୍ସିୟୁ, ଆଇସିୟୁ ଓ କାଜୁଆଲଟିରେ ବିଶେଷକରି ଏନ୍ଏଚ୍ଏମ୍ ଅଧୀନରେ କାର୍ଯ୍ୟରତ ନର୍ସିଂ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି। ତେଣୁ ସେମାନେ ଏହି ଆନ୍ଦୋଳନକୁ ଯିବା ପାଇଁ ଗତକାଲି ଦରଖାସ୍ତ ଦେଇଥିଲେ। ଆଜି ସେମାନଙ୍କ ଆନ୍ଦୋଳନ ପାଇଁ ଅନ୍ୟ ଓ୍ଵାର୍ଡରେ କାର୍ଯ୍ୟ କରୁଥିବା ନର୍ସିଂ କର୍ମଚାରୀଙ୍କୁ ଏଠାରେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। ଆଇସିୟୁରେ କାର୍ଯ୍ୟ କରୁଥିବା ନର୍ସିଂ କର୍ମଚାରୀମାନେ ଏସ୍ଏନ୍ସିୟୁରେ କାର୍ଯ୍ୟ କରୁଛନ୍ତି ବୋଲି ଡା.ଦାସ ସୂଚନା ଦେଇଛନ୍ତି।